କୋରାପୁଟ ଜିଲ୍ଲାରେ ସରିଲା ରବି ମଣ୍ଡି : କାଗଜ ଗଲା ବଲାଙ୍ଗୀର, ଧାନ ଯାଉଛି ଆନ୍ଧ୍ର

ଜୟପୁର : ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ମଣ୍ଡିରୁ ଧାନ କ୍ରୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ଆସନ୍ତାକାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡିରେ ଧାନ କ୍ରୟ କରାଯିବା ପାଇଁ ଚାଷୀଙ୍କୁ ଦିଆଯାଇଥିବା ଟୋକେନ୍ ଗୁଡିକରେ ଆଜି ହିଁ ଧାନ କ୍ରୟ କରି ଏହାକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ରବି ଧାନ କିଣା ଆପତତଃ ଆଜି ଶେଷ ହୋଇଯାଇଛି। ଚଳିତ ବର୍ଷ ୧୩ଲକ୍ଷ ୯୮ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ମିଳିଥିବାବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୧୩ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ କିଣା ହୋଇସାରିଛି। ସରକାରୀ ସ୍ତରରେ ଧାନ କିଣାବିକା ଶେଷ ହୋଇଛି ସତ କିନ୍ତୁ ଆଜି ବି ଜିଲ୍ଲାରେ ହଜାର ହଜାର କୁଇଣ୍ଟାଲ ଧାନ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ପ୍ରତିଦିନ ଜୟପୁରରୁ ୫୦ରୁ ୬୦ ଟ୍ରକ୍ ଲୋଡ୍‌ ଧାନ ଆନ୍ଧ୍ର ଯାଉଥିବା ବେଳେ ଆଗାମୀ ଦିନରେ ଟ୍ରେନ୍ ଯୋଗେ ଧାନ ଯିବା ପାଇଁ ବ୍ୟବସାୟୀ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଧାନ ଯିବା ବିଷୟକୁ ବିଭାଗୀୟ ଅଧିକାରୀ ମାନେ ବି ସ୍ବୀକାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଜିଲ୍ଲାରେ ଏତେ ପରିମାଣ ଧାନ ଆସିଲା କେଉଁଠୁ ? ରବି ଧାନ ଏତେ ପରିମାଣରେ ଜିଲ୍ଲାରେ ଚାଷ ହୋଇଥିଲା କି ? ଧାନ ପ୍ରକୃତରେ ବଲାଙ୍ଗୀରକୁ ଯାଇଛି ତ ? ଏଭଳି ପୁଳା ପୁଳା ପ୍ରଶ୍ନ ଉଙ୍କି ମାରିଛି।

ଚଳିତ ବର୍ଷ ଜିଲ୍ଲାରେ କଷ୍ଟମ ମିଲିଂ ପାଇଁ ମୋଟ ୨୯ଟି ମିଲ୍ ସହ ଜିଲ୍ଲା ଯୋଗାଣ ବିଭାଗ ଚୁକ୍ତି କରିଥିଲା। ଏଥିରେ କୋରାପୁଟ ଜିଲ୍ଲାର ମାତ୍ର ୩ଟି ମିଲ୍ ରହିଥିବାବ‌େଳେ ୨୬ଟି ମିଲ୍ ବଲାଙ୍ଗିର ଜିଲ୍ଲାର। ରବି ଧାନ କିଣାରେ ଜିଲ୍ଲାରେ ସାଂଘାତିକ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି ଚାଷୀଙ୍କ ଠାରୁ ୪ କିଲୋ କଟାଯାଇଛି ତ ପୁଣି କେଉଁଠି ୮ କିଲୋ ବି ଧାନ କଣାଯାଇଛି। କେବଳ ଧାନ କଟାଯାଇନାହିଁ ବରଂ ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ୍ ମୂଲ୍ୟରେ ଧାନ କିଣାଯାଇଛି। ଗାଁ ଗାଁରେ ଦଲାଲ୍ ମାତିଥିବାବ‌େଳେ ସେମାନଙ୍କ ଜରିଆରେ ଧାନ କିଣାଯାଇଥିବା ଅଭିଯୋଗ ହୋଇଛି। ଯେଉଁ କିଛି ଜଣ ମାମଲତକାରୀ ଚାଷୀଙ୍କ ସମସ୍ୟାକୁ ନେଇ ସର୍ବଦା ଆଗଧାଡ଼ିରେ ରହି କୁମ୍ଭୀର କାନ୍ଦଣା କରୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଭଳି ଦଲାଲିଗିରି କରିଥିବା ସୂଚନା ମିଳିଛି।

www.thehindu.com

ଚାଷୀଙ୍କ ଠାରୁ ୧୪୦୦ରୁ ୧୪୫୦ ଟଙ୍କାରେ ଧାନ କିଣି ସରକାରୀ ଦରରେ ବିକ୍ରି କରି ମୁନାଫା ଉଠାଇଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲାର କିଛି ଚାଷୀଙ୍କ ନାମ ପଞ୍ଜୀକରଣ ହୋଇପାରିନଥିବା ବେଳେ ସେମାନେ ଧାନ ବିକ୍ରି କରିପାରିନଥିବା ଜଣାଯାଇଛି। କଷ୍ଟମ ମିଲିଂ ପାଇଁ ବଲାଙ୍ଗୀର ଜିଲ୍ଲାର ୨୬ ମିଲରଙ୍କ ସହ ଚୁକ୍ତିନାମା ହୋଇଥିବା ବେଳେ ସେମାନଙ୍କ ଏଜେଣ୍ଟ ରହି ଧାନ ଉଠାଇଥିବା ବେଳେ କିଛି ସ୍ଥାନୀୟ ଲୋକ ବି ଏଜେଣ୍ଟ ହୋଇଛନ୍ତି। କୋରାପୁଟ ଜିଲ୍ଲାରୁ ଧାନ ବଲାଙ୍ଗୀର ନେବା ପାଇଁ ସ୍ଥାନୀୟ ଜୟପୁର ଟ୍ରକ୍ ମାଲିକ ସଂଘ ସହ ବିଗତ ଦିନରେ ଚୁକ୍ତିନାମା ହୋଇଥିଲା। ଚୁକ୍ତିନାମା ଅନୁଯାୟୀ ୭୦ ପ୍ରତିଶତ ଟ୍ରକ୍ ଏଠାରୁ ନେବା ସହ ୩୦ ପ୍ରତିଶତ ମିଲ ମାଲିକ ନିୟୋଜିତ କରିପାରିବେ ବୋଲି କୁହାଯାଇଥିଲା। ଚଳିତବର୍ଷ ବଲାଙ୍ଗୀର ମିଲ୍ ମାଲିକ ୭୦ ପ୍ରତିଶତ ଟ୍ରକ୍ ନେଇନଥିବା ଟ୍ରକ୍ ମାଲିକ ସଂଘର ସଭାପତି ଅଭିଯୋଗ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏକଥା ସତ ଯେ ଚଳିତ ବର୍ଷ ବଲାଙ୍ଗୀରି ମିଲ୍ ମାଲିକ ଗତ ବର୍ଷ ଠାରୁ ଅଧିକ ନିୟୋଜିତ କରିଛନ୍ତି ତେବେ ସାଂଘାତିକ ଅଭିଯୋଗଟି ହେଉଛି କିଛି ମାଲିକ ଧାନ ନେବା ବଦଳରେ କେବଳ ପରିବହନ ବାବଦ କାଗଜପତ୍ର ପ୍ରସ୍ତୁତ କରି ଧାନ ନେଇନାହାନ୍ତି। ବଲାଙ୍ଗୀରରେ କମ୍ ମୂଲ୍ୟରେ ଧାନ କିଣି ସେଠାରେ ଦେଖାଉଥିବା ବେଳେ ଜିଲ୍ଲାରେ ଏହି ଧାନକୁ ଦଲାଲଙ୍କୁ ଛାଡି ଦେଇଛନ୍ତି। ଏହି ଧାନ ଏବେ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଅଭିଯୋଗ ହେଉଛି।

ଜିଲ୍ଲାର ମୋଟ ଟାର୍ଗେଟର ଶତକଡ଼ା ୩୦ରୁ ୪୦ ଭାଗ ଏଭଳି କାଗଜପତ୍ରରେ କିଣାଯାଇଥିବା ଅଭିଯୋଗ ହୋଇଛି। ଯଦି ଏହାର ସତ୍ୟତା ରହିଛି ତେବେ ଦୁଇ ପାର୍ଶ୍ବରୁ ବଲାଙ୍ଗୀର ମିଲ୍ ମାଲିକ ଫାଇଦା ଉଠାଇଛନ୍ତି। ବଲାଙ୍ଗୀରରେ ୧୩୦୦ ଟଙ୍କାରେ ଧାନ କିଣୁଥିଲେ ସେଥିରୁ ଫାଇଦା ଉଠାଇବା ସହ କୋରାପୁଟ ଜିଲ୍ଲାରୁ ବଲାଙ୍ଗୀରକୁ ଧାନ ପରିବହନ ବାବଦ ଅର୍ଥ‌ରେ ବି ଫାଇଦା ଉଠାଇବାର ବି ସମ୍ଭାବନା ରହିଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କ ସହ ଯୋଗାଯୋଗ କରାଯିବାରେ ଆନ୍ଧ୍ରପ୍ରଦେଶ ଧାନ ଯାଉଛି ସତ କିନ୍ତୁ ବଲାଙ୍ଗୀର ମିଲର ଯେଉଁ ପରିମାଣର ଧାନ ନେଇଛନ୍ତି ସେହି ଅନୁପାତରେ ଚାଉଳ ଫେରାଇବେ। ସରକାର ପ୍ରତି ଏକର ପିଛା ୨୪ କୁଇଣ୍ଟାଲ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲାରେ ଅଧିକ ପରିମାଣର ଧାନ ଅମଳ ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର