ସପ୍ତଦଶ ଅଞ୍ଜଳି ମିଶ୍ର ସ୍ମୃତି ପୁରସ୍କାର ପ୍ରଦାନ : ବିଦ୍ୟାର୍ଥୀମାନେ କ୍ୟାରିୟର ସଚେତନ ହେବା ସହିତ ଭଲ ମଣିଷ ହୁଅନ୍ତୁ

ଭୁବନେଶ୍ୱର : ‘ଖରାପ କାର୍ଯ୍ୟ ସବୁବେଳେ ଆକର୍ଷିତ କରିଥାଏ। କିନ୍ତୁ ଜଣେ ବିଦ୍ୟାର୍ଥୀ ଏହାଠାରୁ ଦୂରେଇ ରହି ନିଜ କ୍ୟାରିୟର ପ୍ରତି ସଚେତନ ହେବା ଆବଶ୍ୟକ। ଏହା ସହିତ ଜଣେ ଭଲ ମଣିଷ ହେବା ପାଇଁ ସେ ଉଦ୍ୟମ କରିବା ଉଚିତ। ଏକଥା ସତ୍ୟ ଯେ, ଉତ୍ତମ ମାର୍ଗରେ ଯିବାର ରାସ୍ତା ସରଳ ନୁହେଁ। କିନ୍ତୁ ଆମକୁ ନିଜ ରାସ୍ତା ନିଜେ ତିଆରି କରିବାକୁ ପଡ଼ିବ। ସଙ୍କଳ୍ପ ସାକାର କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ।’

ନୟାଗଡ଼ଠାରେ ଆୟୋଜିତ ସପ୍ତଦଶ ‘ଅଞ୍ଜଳି ମିଶ୍ର ସ୍ମୃତି ପୁରସ୍କାର-୨୦୧୯’ ପ୍ରଦାନ ସମାରୋହରେ ବକ୍ତାମାନେ ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି। ନୟାଗଡ଼ ସହରରେ ଥିବା ‘ବିଦ୍ୱାନ +୨ ବିଜ୍ଞାନ କୋଚିଂ ସେଣ୍ଟର’ ପରିସରରେ ଆୟୋଜିତ ଏହି ସମାରୋହରେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ସହଦେବ ବେହେରା ଓ ଅଧ୍ୟାପିକା ବିନ୍ଦୁଲତା ଷଣ୍ଢ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ୨୦୧୯ ମସିହା ପାଇଁ ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଶ୍ରୀମାନ୍ ପଞ୍ଚ‌ାନନ ସ୍ୱାଇଁଙ୍କୁ ସପ୍ତଦଶ ‘ଅଞ୍ଜଳି ମିଶ୍ର ସ୍ମୃତି ପୁରସ୍କାର’ ପ୍ରଦାନ କରିଥିଲେ।

ଉତ୍ସବରେ ବିଦ୍ୱାନ କୋଚିଂ ସେଣ୍ଟରର ବରିଷ୍ଠ ଅଧ୍ୟାପକ ସୁରେଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିବା ବେଳେ ‘ଅଞ୍ଜଳି ମିଶ୍ର ସ୍ମୃତି କମିଟି’ ପକ୍ଷରୁ ଦିଲୀପ ମିଶ୍ର ପୁରସ୍କାର ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀମାନ ସ୍ୱାଇଁ ନିଜ ପଢ଼ା ଅନୁଭୂତି ପ୍ରକାଶ କରି ପୁରସ୍କାର ପାଇଁ ସ୍ମୃତି କମିଟିକୁ କୃତଜ୍ଞତା ଜଣାଇଥିଲେ। ଶେଷରେ ବିଦ୍ୱାନର ସହ-ପ୍ରତିଷ୍ଠାତା ମନୋରଞ୍ଜନ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୱାନର ପରିଚାଳନା ନିର୍ଦ୍ଦେଶକ ବିଭୁଦତ୍ତ ଖୁଣ୍ଟିଆଙ୍କ ତତ୍ତ୍ବାବଧାନରେ ସମାରୋହଟି ସମ୍ପନ୍ନ ହୋଇଥିଲା।

ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ମାଟ୍ରିକ୍ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ର/ଛାତ୍ରୀଙ୍କୁ ‘ଅଞ୍ଜଳି ମିଶ୍ର ସ୍ମୃତି ପୁରସ୍କାର’ ପ୍ରଦାନ କରାଯାଇଥାଏ। ୨୦୦୩ ମସିହାରୁ ସ୍ୱର୍ଗତା ଅଞ୍ଜଳି ମିଶ୍ରଙ୍କ ପରିବାର ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି।

ସମ୍ବନ୍ଧିତ ଖବର