ବ୍ୟାଣ୍ଡ୍‌ରେ ମତୁଆଲା, ଅସୀମାଙ୍କ ସମ୍ବଲପୁରୀ ତଡ଼କା

ଭୁବନେଶ୍ବର: ବଲିଉଡ୍‌ ବ୍ୟାଣ୍ଡ୍‌ରେ ଢେର୍‌ ଦିନ ଝୁମିବା ପରେ ଆଜି ସ୍କୁଲ୍‌, କଲେଜ୍‌ ଓ ବିଶ୍ବବିଦ୍ୟାଳୟର ବ୍ୟାଣ୍ଡ୍‌ରେ ଝୁମିବାର ଅବକାଶ ଆଣି ଦେଇଥିଲା ଡଟ୍‌ ଫେଷ୍ଟ୍‌। ତେବେ ମଞ୍ଚରେ ଆଜି ଆକର୍ଷଣ ସାଜିଥିଲେ ଚୁଲ୍‌ବୁଲି କଣ୍ଠଶିଳ୍ପୀ ଅସୀମା ପଣ୍ଡା। ପ୍ରଦର୍ଶନୀ ପଡ଼ିଆର ମୁକ୍ତାକାଶ ମଞ୍ଚରେ ନାଚିନାଚି ସମ୍ବଲପୁରୀ ଗୀତ ଗାଇବା ବେଳେ ଦର୍ଶକ ବି ନାଚିବାକୁ ଲାଗିଥିଲେ। ମତେ ଜିଏଫ୍‌ ବନେଇଦେଲା.., ରାନୁଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣୁ.., ତତେ ଦେଖ୍‌ଲା ଦିନୁ.. ଭଳି ଧୁମ୍‌ ଧଡ଼କା ଗୀତ ପରିବେଷଣ କରିବା ସହ ଫଗୁ ଫଗୁ ଏଇ ଆକାଶ ତଳେ.., ଯେବେ ତୋ ସହ ଆଖି ମିଶିଗଲା.., ବାଟବଣା ହେଲା ପ୍ରେମ.. ଭଳି ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ। ଏହି ଅବସରରେ ସ୍କୁଲ୍‌ ସ୍ତରରେ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌, ଡିପିଏସ୍‌ କଳିଙ୍ଗ ଏବଂ ଡିଏଭି ପୋଖରୀପୁଟ ବ୍ୟାଣ୍ଡ୍‌ ପରିବେଷଣ କରିଥିବା ବେଳେ କଲେଜ୍‌ ଓ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ବ୍ୟାଣ୍ଡ୍‌ ମଧ୍ୟରେ ଜୋରଦାର୍‌ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏହି ବ୍ୟାଣ୍ଡ୍‌ ମଧ୍ୟରେ ଯେଉଁ ଦଳ ଶ୍ରେଷ୍ଠ ହେବେ ସେ ଡଟ୍‌ ଫେଷ୍ଟ୍‌ର ଶେଷ ସନ୍ଧ୍ୟାରେ ଶଙ୍କର-ଏହସାନ୍‌-ଲୟଙ୍କଠାରୁ ପୁରସ୍କାର ଗ୍ରହଣ କରିବେ। ଆଜି ଏହି ବ୍ୟାଣ୍ଡ୍‌ ପ୍ରତିଯୋଗିତାରେ ସଂଗୀତ ନିର୍ଦେଶକ ଓମ୍‌ ପ୍ରକାଶ, ଅଗ୍ନି ମିତ୍ର, ରିକି ବିଚାରକ ଭାବେ ଉପସ୍ଥିତ ଥିଲେ। ପ୍ରତ୍ୟେକ ବ୍ୟାଣ୍ଡ୍‌ ନିଜ ଶୈଳୀରେ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ।

ଆଜି ଚକ୍‌ ଦେ ଇଣ୍ଡିଆ
ଆଜି ଡଟ୍‌ ଫେଷ୍ଟ୍‌ ମଞ୍ଚରେ ସଂଗୀତ ପରିବେଷଣ କରିବେ କ୍ରିଷ୍ଣା ବେଉରା। ଓଡ଼ିଆ ପୁଅ କ୍ରିଷ୍ଣା ବଲିଉଡ୍‌ରେ ନିଜର ପତିଆରା ପ୍ରତିପାଦିତ କରି ଓଡ଼ିଶା ପାଇଁ ସୁନାମ ଆଣିଥିବା ବେଳେ କାଲି ଦର୍ଶକଙ୍କୁ ବହୁ ବଲିଉଡ୍‌ ହିଟ୍‌ସ ଭେଟିଦେବେ। ଏଥିସହ ଅନ୍ୟତମ ଆକର୍ଷଣ ସାଜିବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌। କଲର୍ସରେ ପ୍ରସାରିତ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ରେ ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ନିଜ ‌ନୃତ୍ୟ ଶୈଳୀରେ ବିଭୋର କରିବେ।

ଡଟ୍‌ ଫେଷ୍ଟ ଉପଭୋଗ କଲେ ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟା

ବିଭିନ୍ନ ବର୍ଗକୁ ଡଟ୍‌ ଫେଷ୍ଟ୍‌ ଭଳି ସର୍ବବୃହତ୍‌ ସାଂସ୍କୃତିକ ମେଳାକୁ ଉପଭୋଗ କରାଇବାର ସୁଯୋଗ ଦେଉଥିବା ବିଏମ୍‌ସି ଆଜି ସ୍ବୟଂ ସହାୟିକା ଗୋଷ୍ଠୀର ୨୫୪ଜଣଙ୍କୁ ସଂଗୀତ ଉପଭୋଗ କରିବାର ସୁଯୋଗ ଦେଇଛି। ନିରାଶ୍ରିତ ଓ ବରିଷ୍ଠ ନାଗରିକଙ୍କ ପରେ ଆଜି ସହରର ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ କିଛି ସଦସ୍ୟଙ୍କୁ ମଞ୍ଚ ନିକଟରେ ବସି ସଂଗୀତ ଉପଭୋଗ କରିବା ପାଇଁ ସୁଯୋଗ ଦେଇଛି। ସଦସ୍ୟା ବିଦ୍ୟୁତପ୍ରଭା ଭୂୟାଁ ନିଜର ଅନୁଭୂତି ବ୍ୟକ୍ତ କରି କହିଛନ୍ତି ଯେ ବିଶ୍ବକପ୍‌ ହକି ସାଙ୍ଗକୁ ସହରର ଏଭଳି ରୂପ ଦେଖି ବହୁତ ଗର୍ବ ଲାଗୁଛି।

 

ସମ୍ବନ୍ଧିତ ଖବର