ବାଲିଅନ୍ତା ଅତିରିକ୍ତ ତହସିଲଦାରଙ୍କୁ ମାଡ଼, ଥାନାରେ ଅଭିଯୋଗ

ଭୁବନେଶ୍ୱର : ବାଲିଅନ୍ତା ଅତିରିକ୍ତ ତହସିଲଦାରଙ୍କୁ ତହସିଲଦାର ମାଡ଼ମାରିବା ସହ ଗାଳି କରିଥିବା ଅଭିଯୋଗ ହୋଇଛି। ଗତ ୨୭ ତାରିଖ ଦିନ ସେ ଫନି କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବା ପାଇଁ ତହସିଲଦାରଙ୍କ ନିକଟକୁ ଯାଇଥିବା ବେଳେ ସେ ତାଙ୍କୁ ଗାଳି କରିବା ସହ ମାଡ଼ ମାରିଥିବା ମହିଳା ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ବାଲିଅନ୍ତା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜୋନ୍‌ ୪ ଏସିପି ଅମରେନ୍ଦ୍ର ପଣ୍ଡା ଏହାର ତଦନ୍ତ ଭାର ନେଇଛନ୍ତି। ଉଭୟ ମହିଳା ଅଧିକାରୀ ହୋଇଥିବାରୁ ପୁଲିସ ଅକଳରେ ପଡ଼ିଛି। ସେଥିପାଇଁ ତଦନ୍ତ ମଧ୍ୟ ବିଳମ୍ବିତ ହୋଇଛି। ଅନ୍ୟପଟେ ସମସ୍ତ ଷ୍ଟାଫ୍‌ଙ୍କ ଆଗରେ ଗାଳିଗୁଲଜ ସହ ମାଡ଼ ହୋଇଥିବାରୁ ସେ ମାନସିକସ୍ତରରେ ଆଘାତପ୍ରାପ୍ତ ହୋଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ଜାତିକୁ ନେଇ ମଧ୍ୟ ଗାଳି ହୋଇଛି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏ ନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି, ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ତହସିଲଦାରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ତାଙ୍କ ମତାମତ ମିଳିପାରିନି।

ସମ୍ବନ୍ଧିତ ଖବର