କାମ ମିଳୁନି, ଦାଦନ ଖଟିବାକୁ ଗଲେ ୫୦ ଯୁବକ

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିନି ଫସଲ କ୍ଷତିପୂରଣ, ଧାନ ବିହନ ଯୋଗାଣରେ ବିଳମ୍ବ, ତଦନ୍ତ ଆଳରେ ଅବହେଳା କରୁଛି କୃଷି ବିଭାଗ

ବାଲିଅନ୍ତା : ବାତ୍ୟା ‘ଫନି’ର ୨୬ ଦିନ ପରେ ମଧ୍ୟ ବାଲିଅନ୍ତା ବ୍ଲକ ଅଞ୍ଚଳରେ ସବୁ କିଛି ଅସଜଡ଼ା ହୋଇପଡ଼ିଛି। ବାଲିଅନ୍ତା ଓ ବାଲିପାଟଣା ଉଭୟ ବ୍ଲକରେ ଶତକଡ଼ା ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ବଞ୍ଚୁଥିବା ବେଳେ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। କୃଷି ଶ୍ରମିକଙ୍କୁ କାମ ମିଳୁନି। ଫଳରେ ୫୦ରୁ ଅଧିକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି। ଆହୁରି ଅନେକ ଯିବାକୁ ପ୍ରସ୍ତୁତ ହେୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବାତ୍ୟାରେ ମୋଟ ୪,୬୨୦ ହେକ୍ଟର ରବି ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ୩୦୦ ହେକ୍ଟର ପନିପରିବା ଫସଲ ନଷ୍ଟ ହୋଇଥିବା କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ରିପୋର୍ଟରୁ ଜଣାପଡ଼ିଛି। ରବି ଫସଲ ବିଲରେ ଉଜୁଡ଼ି ଯିବା ପରେ ଖରିଫ ଧାନ ଚାଷ କରିବା ଲାଗି ଚାଷୀମାନେ ପ୍ରସ୍ତୁତି ଚଳାଇଛନ୍ତି। ଆଉକିଛି ଚାଷୀ ଖାଲ ଜମିକୁ ବେଉଷଣ କରି ବିହନ ବୁଣିବା ଯୋଜନାରେ ଅଛନ୍ତି। ମେ ମାସ ଶେଷ ହେବାକୁ ବସିଥିବା ବେଳେ ବ୍ଲକ କୃଷି ବିଭାଗ ଓ ବିହନ ନିଗମ ପକ୍ଷରୁ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭିଙ୍ଗାରପୁର ସ୍ଥିତ କୃଷି କାର୍ଯ୍ୟାଳୟର ବରିଷ୍ଠ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କ ସୂଚନାନୁଯାୟୀ ଏବର୍ଷ ବାଲିଅନ୍ତା ବ୍ଲକର ବିଭିନ୍ନ ମୌଜାରେ ୯ ହଜାର ହେକ୍ଟର ଖରିଫ ଧାନ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୋଟ ୨ ହଜାରରୁ ଅଢ଼େଇ ହଜାର କୁଇଣ୍ଟାଲ ଉଭୟ ସହଳ ଓ ବିଳମ୍ବ କିସମର ଧାନ ବିହନ ଯଥା ୧୦୦୯, ୧୦୧୮, ପୂଜା, ଚେହେରାନ(ବୀଣା-୧୧), ସ୍ବର୍ଣ୍ଣ ମସୁରି ଓ ପ୍ରତୀକ୍ଷା ଆଦି ଧାନ ବିହନର ଆବଶ୍ୟକତା ରହିଛି। ସମସ୍ତ ପଞ୍ଚାୟତରେ ୧୨ଟି କୃଷି ସମବାୟ ସମିତିକୁ ଛାଡ଼ିଦେଲେ ୪ଟି ଘରୋଇ ଏଜେନ୍ସି ବିହନ ଯୋଗାଣ ଦାୟିତ୍ବରେ ଅଛନ୍ତି। ହେଲେ ବାତ୍ୟା କ୍ଷୟକ୍ଷତି ତଦନ୍ତ ଆଳରେ ଧାନ ବିହନ ଯୋଗାଣରେ ଅହେତୁକ ବିଳମ୍ବ ଘଟୁଥିବା କହି କୃଷି ବିଭାଗର ଅଧିକାରୀମାନେ ନିଜ ଉପରୁ ଦାୟିତ୍ବ ଖସାଉଛନ୍ତି। ଏଣେ ଚାଷୀମାନେ ଧାନ ବିହନ ପାଇଁ ବାରମ୍ବାର ବ୍ଲକ କୃଷି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଏ ସଂପର୍କରେ ସହକାରୀ କୃଷି ଅଧିକାରୀ ଶ୍ରୀ ରାଉଳଙ୍କୁ ପଚାରିବାରେ ଜୁନମାସ ପ୍ରଥମ ସପ୍ତାହ ମଧ୍ୟରେ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଚାଷବାସ ନଷ୍ଟ ହୋଇଯିବା ପରେ କୃଷି ଶ୍ରମିକମାନଙ୍କୁ ଆଉ ଗ୍ରାମରେ କାମ ମିଳୁନି। ତେଣୁ ପରିବାର ଚଳାଇବା ପାଇଁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଶ୍ରମ ବିଭାଗର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ‘ଫନି’ ପରେ ରୋଜଗାରର ଅନ୍ୟ କୌଣସି ବିକଳ୍ପ ନପାଇ ବାଲିଅନ୍ତା ବ୍ଲକ ଅଞ୍ଚଳରୁ ପ୍ରାୟ ୫୦ ଜଣ ଯୁବକ ‌ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପଳାଇଛନ୍ତି। ସାମଗ୍ରିକ ଭାବେ ଉପରୋକ୍ତ ସବୁ ସମସ୍ୟାର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର