ଝିଅ ଜନ୍ମଦେଲେ ବୋଲି ସ୍ତ୍ରୀକୁ କଟୁରି ଚୋଟ

ଭୁବନେଶ୍ବର: ତିନି ତିନିଟି ଝିଅ ଜନ୍ମ ଦେବା ମହିଳାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ପୁତ୍ର ସନ୍ତାନ ଜନ୍ମ ଦେଇନପାରିବାରୁ ନିଷ୍ଠୁର ସ୍ବାମୀ ତାଙ୍କୁ କଟୁରି‌ରେ ହାଣି ହତ୍ୟା ଉଦ୍ୟମ କରିଛି। ସୌଭାଗ୍ୟକୁ ଗୁରୁତର ହୋଇଥିଲେ ବି ମହିଳାଜଣଙ୍କ ବର୍ତ୍ତି ଯାଇଛନ୍ତି। ଆଜି ଭରତପୁର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ କୋର୍ଟ ଚାଲାଣ କରିଛି। ସେ ହେଲା ଭରତପୁର ଯଦୁମଣିବିହାର ଷଷ୍ଢସାହିର ଟୁଟୁ ସାହୁ। ଘଟଣାଟି ଭରତପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ପୁଲିସ ସୂଚନା ମୁତାବକ ଟୁଟୁର ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥିଲେ। ଏହାକୁ ନେଇ ଟୁଟୁ ତା’ ପତ୍ନୀଙ୍କୁ ବିଭିନ୍ନ ସମୟରେ ଗାଳିମନ୍ଦ କରିବା ସହ ମାଡ଼ ମାରୁଥିଲା। ଏପରିକି ପତ୍ନୀଙ୍କୁ ମାରିଦେବାକୁ ମଧ୍ୟ ଉଦ୍ୟମ କରୁଥିଲା। ଏନେଇ ସାହିରେ ଓ ଥାନାରେ ବିଭିନ୍ନ ସମୟରେ ଆପୋସ ସମାଧାନ ହୋଇଥିଲା। ପୁଅଟିଏ ଆଶା କରି ସେମାନେ ତୃତୀୟ ସନ୍ତାନ ପାଇଁ ମନ ବଳାଇଥିଲେ। ମାତ୍ର ପୁଣି ଏକ କନ୍ୟା‌ ସନ୍ତାନ ଜନ୍ମ ହୋଇଥିଲା। ଫଳରେ ଟୁଟୁ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ସେହିଦିନଠାରୁ ସ୍ତ୍ରୀ ଉପରେ ରକ୍ତ ଚାଉଳ ଚୋବାଉଥିଲା। ସ୍ତ୍ରୀର ସମସ୍ୟା ରହିଥିବାରୁ ବା‌ରମ୍ବାର କନ୍ୟା ସନ୍ତାନ ଜନ୍ମ ଦେଉଛି ବୋଲି ଦୋଷାରୋପ କରୁଥିଲା। ଗତକାଲି ସଂଧ୍ୟାରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀକୁ ଗାଳିମନ୍ଦ କରିଥିଲା।

ଏମିତିକି ହଠାତ୍ ଉତ୍ତ୍ୟକ୍ତ ହୋଇ କଟୁରିରେ ସ୍ତ୍ରୀଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପକାଇଥିଲା। ସୌଭାଗ୍ୟକୁ ସେ ଘୁଞ୍ଚିଯିବା ସହ ହାତ ଦେଖାଇ ଦେବାରୁ କଟୁରି ଚୋଟ ହାତରେ ପଡ଼ିଥିଲା। ଫଳରେ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସି ଟୁଟୁକୁ କାବୁ କରିନେଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ସେଠାରେ ପହଞ୍ଚି ପ୍ରଥମେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଟୁଟୁର ସ୍ତ୍ରୀଙ୍କୁ ହସ୍ପିଟାଲ ପଠାଇଥିଲା ଏବଂ ଟୁଟୁକୁ ଧରି ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର