ଜବରଦଖଲରେ ପୋଷ୍ଟ ଅଫିସ୍‌ର ନିଜସ୍ୱ ଜାଗା

ବର୍ଷ ବର୍ଷ ଧରି ଭଡ଼ାରେ ଚାଲିଛି ବନମାଳିପୁର ଉପ ଡାକଘର

ବାଲିପାଟଣା : ବନମାଳିପୁର ଉପଡାକଘର ଏବେ ଭଡ଼ା ଘରେ ଚାଲୁଛି। ବାଲିପାଟଣା ବ୍ଲକର ଏହି ପ୍ରମୁଖ ଡାକଘରଟିର ନିଜସ୍ୱ ଜାଗା ଥାଇ ମଧ୍ୟ ଏହା ବର୍ଷବର୍ଷ ଧରି ଭଡ଼ା ଘରେ ଚାଲି ଆସୁଛି। ଦୀର୍ଘ ବର୍ଷ ଧରି ବିଭାଗ ପକ୍ଷରୁ ନିଜସ୍ୱ ଜାଗାରେ କୌଣସି ଘର କି ପାଚେରି ନିର୍ମାଣ କରା ନଯିବା ଫଳରେ ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଉକ୍ତ ଜାଗାରେ ଡାକବିଭାଗ ନିଜସ୍ୱ ଘର କରି ଅଫିସ୍‌ କରିବାକୁ ଏବେ ଚିନ୍ତା କରିବା ବେଳକୁ ତାହା ଆଉ ବିଭାଗ ପାଇଁ ସହଜ ହେଉନାହିଁ। ଜବରଦଖଲ ହଟାଇବା ପାଇଁ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ଡାକ ଡିଭିଜନର ସିନିୟର ସୁପରିନ୍‌ଟେଣ୍ଡଣ୍ଟ ଅଫ୍‌ ପୋଷ୍ଟମାଷ୍ଟର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ନଂ ଡି-୬୩/ସି.ଏଚ୍‌(୨୯-୦୧-୧୬)ଲେଖିଥିବା ଚିଠି ମୁତାବକ ଭାପୁର ମୌଜାର ପ୍ଲଟ୍‌ ନଂ ୧୨୮୮ରେ ଡାକ ବିଭାଗକୁ ୦.୦୪୮୬ଡେସିମିଲର ଜାଗା ଆବଣ୍ଟନ କରାଯାଇଥିଲା। ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଉକ୍ତ ଜାଗାକୁ ଠିକ୍‌ଭାବେ ମାପଚୁପ କରାଯାଇ ବିଭାଗକୁ ହସ୍ତାନ୍ତର କରାଗଲେ ସେହି ଜାଗାରେ ବିଭାଗ ଏକ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ଡାକବିଭାଗ ପକ୍ଷରୁ ପ୍ରାୟ ୨୨ମାମ ହେବ ଜାଗା ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଅନ୍ୟପଟେ ଉକ୍ତ ଡାକଘରଟି ପ୍ରାୟ ୯ରୁ ୧୦ ବର୍ଷ ଏକ ମାର୍କେଟ କଂପ୍ଲେକ୍ସର ଘରେ ୩ହଜାର ଟଙ୍କା ଭଡ଼ାରେ ଚାଲିଥିଲା। ଗତମାସରେ ଏହା ଅନ୍ୟ ଏକ ଭଡ଼ାଘରକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ମାସିକ ଭଡ଼ା ୬ହଜାର ଟଙ୍କା ବିଭାଗକୁ ଦେବାକୁ ପଡ଼ିବ। ଭଡ଼ା ଘରୁ ଉଠି ନିଜସ୍ୱ ଜାଗାରେ କାର୍ଯ୍ୟାଳୟ କରିବାକୁ ବିଭାଗ ଚିନ୍ତା କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଅନୁମାନ କରାଯାଉଛି। ଏ ସଂପର୍କରେ ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଚିଠି କରାଯାଇଥିବା ବେଳେ ସେ ବାଲିପାଟଣାରେ ଯୋଗ ଦେଇନଥିଲେ,ଏଥିସହ ରେକର୍ଡ଼ ଯାଞ୍ଚ କରିବା ପରେ ସ୍ପଷ୍ଟ କରିଛନ୍ତି ଡାକ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରିବା ପାଇଁ ଆଜି ପର୍ଯ୍ୟନ୍ତ ତହସିଲରେ କୌଣସି ‘ରିକ୍ୟୁଜିସନ୍‌’ ଫାଇଲ କରାଯାଇ ନାହିଁ। ଡାକ ବିଭାଗ ପକ୍ଷରୁ ‘ରିକ୍ୟୁଜିସନ୍‌’ ଫାଇଲ କରାଗଲେ ଆମେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଆଗକୁ ବଢିପାରିବୁ।

ସମ୍ବନ୍ଧିତ ଖବର