ରିଲ୍ସ ପାଇଁ ଜୀବନକୁ ବାଜି : ସୀମା ଟପିଲାଣି ଅଶ୍ଳୀଳତା, ସଚେତନ କରାଇଲା ଓଡ଼ିଶା ପୁଲିସ୍‌

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳତା ଚରମ ସୀମାରେ ପହଞ୍ଚି ଗଲାଣି। ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ନଥିବାରୁ ବାକ୍‌-ସ୍ବାଧୀନତାର ଘୋର୍‌ ଦୁରୁପଯୋଗ ହେଉଛି। ଯିଏ ଯାହା ପାରୁଛି, କହୁଛି ଓ ପୋଷ୍ଟ କରୁଛି। କିଛି ୟୁଜର୍‌ ତ ଏମିତି କଦର୍ଯ୍ୟ କଥାବାର୍ତ୍ତା ଓ ଅଶ୍ଲୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି ଯେ ଛୁଆପିଲା, ପରିବାର ସାମ୍ନାରେ ମୋବାଇଲ୍‌ ଖୋଲିବାକୁ ବି ଭୟ ଲାଗିଲାଣି। ସାମାଜିକ ଗଣମାଧ୍ୟମ ଜରିଆରେ ସମାଜକୁ କଳୁଷିତ କରୁଥିବା ଏମିତି କିଛି ଗୋଷ୍ଠୀଙ୍କୁ ଛାଡ଼ିଦେଲେ ଆଉ ପଞ୍ଝାଏ ଦୁଃସାହସିକ ରିଲ୍ସ କରିବାରେ ବ୍ୟସ୍ତ।

କିଏ ଜନଗହଳି ରାସ୍ତାରେ ହାତ ଛାଡ଼ି ଗାଡ଼ି ଚଳାଉଛି ତ କିଏ ପାହାଡ଼ର ଅଗ୍ରଭାଗରେ ଠିଆ ହୋଇ ଟାଇଟନିକ୍‌ ଚଳଚ୍ଚିତ୍ରର ପୋଜ୍‌ ଦେଉଛି। ସମୟ ଅତିବାହତ ଓ ଅଜବ ସଉକ ପୂରଣ କରିବା ନିଶାରେ କରୁଥିବା ଏହି ସାଧାରଣ ରିଲ୍ସ ବେଳେବେଳେ ସେମାନଙ୍କ ମୃତ୍ୟୁର କାରଣ ପାଲଟୁଛି। ରାଜ୍ୟରେ ଏଭଳି ଅପମୃତ୍ୟୁ ବଢ଼ୁଥିବାରୁ ଆଜି ଓଡ଼ିଶା ପୁଲିସ୍‌ ଟ୍ବିଟ୍‌ କରି ଯୁବପିଢ଼ିଙ୍କୁ ସଚେତନ କରାଇଛି। ଉକ୍ତ ପୋଷ୍ଟରେ ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ‘ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି। ଏହାଦ୍ବାରା ଦୁର୍ଘଟଣା ଘଟିବା ସହ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି। ଦାୟିତ୍ବପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନ ପଡ଼ି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

ଅପରପକ୍ଷେ, ଦୁଃସାହସିକ ରିଲ୍ସ ନ କରିବାକୁ ଭୁବନେଶ୍ବର ଡିସିପି ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି‌ ଯେ ବର୍ତ୍ତମାନ ଇଷ୍ଟାଗ୍ରାମ୍‌ରେ ରିଲସ୍, ଷ୍ଟାଟସ୍, ‌ଷ୍ଟୋରିଜ୍‌ ପୋଷ୍ଟ ଏକ ଟ୍ରେଣ୍ଡ୍‌ ପାଲଟି ଯାଇଛି। ଜଣେ ଅନ୍ୟ ଜଣଙ୍କଠାରୁ କିଭଳି ଭଲ ରିଲ୍ସ ବନାଇବ‌, ସେଥିପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଦେଉଛନ୍ତି। ଏହାର ଭୟଙ୍କର ପରିଣାମ ସଂପର୍କରେ ବି ଥରୁଟିଏ ଭାବୁନାହାନ୍ତି। ତେଣୁ ରିଲ୍ସ ପାଇଁ ଏମିତି ଦୁଃସାହସିକ କାମ କରିବା ନଜରକୁ ଆସିଲେ, ସଂପୃକ୍ତ ଯୁବକ/ଯୁବତୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର