ଭଞ୍ଜ ସଙ୍ଗୀତ ପ୍ରତିଯୋଗିତା : ବୈଦେହୀଶ ବିଳାଶର ଗଦ୍ୟରୂପ ଉନ୍ମୋଚିତ

ଭୁବନେଶ୍ୱର : କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଚାଲିଥିବା ଦୁଇ ଦିନିଆ ଭଞ୍ଜ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ପ୍ରେମାନନ୍ଦ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶୀତିକଣ୍ଠ ଦାଶ ଓ ଦୂରଦର୍ଶନର କାର୍ଯ୍ୟକ୍ରମ ମୁଖ୍ୟ ନୀଳାଦ୍ରି ମୋହନ ଶତପଥୀ ଉପସ୍ଥିତ ରହି ଓଡ଼ିଆ ସଂସ୍କୃତି ପାଇଁ କଳିଙ୍ଗ ଭାରତୀର ଉଦ୍ୟମକୁ ପ୍ରଶଂସା କରିଥିଲେ। କଳିଙ୍ଗ ଭାରତୀର ସଭାପତି ରଜତ କୁମାର କର ସଭାରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀ କରଙ୍କ ରଚିତ ବୈଦେହୀଶ ବିଳାଶର ଗଦ୍ୟରୂପ ଉନ୍ମୋଚନ କରାଯାଇଥିଲା।

ଏହି ପୁସ୍ତକ ଉପରେ ଅନୁଷ୍ଠାନର ଉପସଭାପତି ପ୍ରଭାତ କୁମାର ନନ୍ଦ ଓ ସଂପାଦକ ଶୈଳେଶ୍ୱର ନନ୍ଦ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପୂଜାରୀଙ୍କୁ କଳିଙ୍ଗ ଭାରତୀ ସମ୍ମାନ ଓ ରାମନାରାୟଣ ପୂଜାରୀଙ୍କୁ ବିଚ୍ଛନ୍ଦ ଚରଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାଶେଷରେ କୀର୍ତ୍ତନ ନାରାୟଣ ପାଢୀ, ନିର୍ମଳା ସୁବୁଦ୍ଧି ଓ ନୋଭାଦେବୀ ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ। ଶେଷରେ ଉତ୍କଳ ଛାତ୍ର ସାହିତ୍ୟ ସମାଜର ସମ୍ପାଦକ ଅନୁପ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଦିନରେ ଉପେନ୍ଦ୍ର ଭଞ୍ଜ ରଚନାରୁ ଛାନ୍ଦ ଓ ଓଡିଶୀ ଗାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର