ଭୋଗଡ଼ା ଡକାୟତି ମାମଲା: ମହିଳାଙ୍କ ସମେତ ୪ ଅଭିଯୁକ୍ତ ଗିରଫ, ୪ କେଜି ସୁନା, ୩୫ ହଜାର ନଗଦ ଟଙ୍କା ଜବତ

ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୨ଟି ଡକାୟତି ମାମଲା

ଖୋର୍ଦ୍ଧା: ଦୀର୍ଘ ୧୭ ଦିନ ପରେ ବହୁଚର୍ଚ୍ଚିତ ଭୋଗଡ଼ା ଡକାୟତି ମାମଲାର ପର୍ଦାଫାସ୍‌ କରିଛି ଖୋର୍ଧା ପୁଲିସ। ଡକାୟତି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର ସମେତ ୪ କିଲୋଗ୍ରାମ ସୁନା (ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା) ଜବତ କରାଯାଇଛି। ଗତ ମେ’ ୨୫ ତାରିଖ ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁର ପୂର୍ବତନ ସରପଞ୍ଚ ସୌମ୍ୟରଂଜନ ଜୟସିଂହଙ୍କ ଘରେ ପଶିଥିଲେ। ଭୁଜାଲି ଓ ଲୁହା ରଡ୍‌ରେ ଆକ୍ରମଣ କରି ଘରୁ ୧୫/୨୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଆକ୍ରମଣରେ ସୌମ୍ୟରଂଜନ ଜୟସିଂହ, ବାପା ସୁକାନ୍ତ ଜୟସିଂହ ଆହତ ହୋଇଥିବା ବେଳେ ସୁକାନ୍ତଙ୍କ ପତ୍ନୀ ଭୟରେ ଘରର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ପରେ ସୁକାନ୍ତଙ୍କ ପତ୍ନୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ବାଘମାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

୨୬ ତାରିଖ ସକାଳେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ, କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ଫରେନ୍‌ସିକ୍ ଟିମ୍‌ ସହ ଅନୁସନ୍ଧାନ କରି ଫେରିଥିଲେ। ଏହାପରେ କଟକ, ନୟାଗଡ଼ ଓ ଖୋର୍ଦ୍ଧା ପୁଲିସକୁ ନେଇ ୪ଟି ଟିମ୍ ଗଠନ କରାଯାଇଥିଲା। ଆଜି ଏନେଇ ଏକ ସାମ୍ବାଦିକ ସମ୍ମଳିନୀରେ ଘଟଣା ସମ୍ପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଭୋଗଡ଼ା ଡକାୟତି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚୁରା କରାଯାଇଥିଲା। ଗତକାଲି ଏକାଥରକେ ଚଢ଼ଉ କରାଯାଇ ବେଗୁନିଆ କେନ୍ଦୁପଲ୍ଲୀ ଗାଁର ହରିବନ୍ଧୁ ଖଟୁଆ ଓରଫ ହରିଆ (୩୦), ଅଜୟ ନାୟକ ଓରଫ ଅଜି (୪୦), ଦଶପଲ୍ଲା ବଡ଼ପୋଖରିଆର ସୁକାନ୍ତ ବେହେରା (୩୪)ଙ୍କୁ ପ୍ରଥମେ ଗିରଫ କରାଯାଇଥିଲେ। ପରେ ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ନୟାଗଡ଼ ଶିବାଜୀ ନଗରର ଲକ୍ଷ୍ମୀ ନାରାୟଣ ସୁନା ଦୋକାନର ମାଲିକାଣୀ ଅନିତା ସାହୁ (୪୫)ଙ୍କୁ ଗିରଫ କରାଯାଇଥିଲା। ଗିରଫ ହରିବନ୍ଧୁଠାରୁ ୧୦ ହଜାର ଟଙ୍କା ନଗଦ ଓ ଗୋଟିଏ ଛୁରି, ଅଜୟଠାରୁ ୧୫ହଜାର ୫୦୦ଟଙ୍କା ସହ ଗୋଟିଏ ବାଇକ୍‌ ଓ ବନ୍ଧୁକ, ସୁକାନ୍ତଠାରୁ କବାଟ ତାଡ଼ିବା ପାଇଁ ବ୍ୟବହାର କରାଯାଉଥିବା ‘କ୍ରୋ-ବାର’ ସହ ୧୦ହଜାର ଟଙ୍କା ଜବତ କରାଯାଇଛି। ସେହିଭଳି ଅନିତା ସାହୁଙ୍କଠାରୁ ୩ କିଲୋଗ୍ରାମ ୭୦୦ ଗ୍ରାମର ସୁନା ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ହାଜର ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ଅଭିଯୁକ୍ତଙ୍କ ବିରୋଧରେ କଟକ, ନୟାଗଡ଼, ଖୋର୍ଦ୍ଧାର ବିଭିନ୍ନ ଥାନାରେ ୧୨ଟି ଡକାୟତି ମାମଲା ରହିଛି।

‘ଡକାୟତଙ୍କଠାରୁ ଗହଣା କିଣୁଥିଲେ ସୁନା ଦୋକାନୀ’
ଡକାୟତମାନଙ୍କଠାରୁ ଗହଣା କିଣୁଥି‌ଲେ ନୟାଗଡ଼ ଶିବାଜୀନଗରର ଲକ୍ଷ୍ମୀ ନାରାୟଣ ସୁନା ଦୋକାନର ମାଲିକାଣୀ ଅନିତା ସାହୁ। ଏହି ସୁନା ଅଳଙ୍କାରକୁ ସେ ତରଳାଇ ରଖୁଥିଲେ। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ଡକାୟତମାନଙ୍କ ସମ୍ପର୍କରେ ପୁଲିସକୁ ବହୁ ସୂଚନା ମିଳିଛି। ତେବେ ତଦନ୍ତ ବାଧାପ୍ରାପ୍ତ ଆଶଙ୍କାରେ ଫେରାର୍‌ ଡକାୟତମାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ।

ସମ୍ବନ୍ଧିତ ଖବର