ବିଡିଏ ଓ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି : ସାଇକେଲ୍‌ ଟ୍ରାକ୍ ନ ଥିଲେ ଗୃହ ପ୍ରକଳ୍ପକୁ ପ୍ଲାନ୍ ଅନୁମୋଦନ ହେବ ନାହିଁ

ଭୁବନେଶ୍ବର : ବିଡିଏ କି ବିଏମ୍‌ସି ଅଧୀନରେ ଏଣିକି କୌଣସି ଗୃହ ପ୍ରକଳ୍ପ କଲେ ସେଠାରେ ସାଇକେଲ୍‌ ଟ୍ରାକ୍, ପବ୍ଲିକ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା, ମୋଟର ବିହୀନ ଯାନ ପରିବହନ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାକୁ ପଡ଼ିବ। ଗୃହ ପ୍ରକଳ୍ପ ପ୍ଲାନ୍‌ରେ ଏହା ନଥିଲେ ପ୍ଲାନ୍‌ ଅନୁମୋଦନ ହେବନି। ଆଜି ଏନେଇ ବିଡିଏ ଓ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ଗୃହ ପ୍ରକଳ୍ପ ଏବଂ ଜମି ପ୍ରକଳ୍ପ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି। ଏଥିରେ ପବ୍ଲିକ ବାଇସାଇକେଲ୍‌ ସେୟାରିଂ ପାଇଁ ଟ୍ରାକ୍, ଷ୍ଟାଣ୍ଡ୍‌, ବ୍ୟାଟେରି ଗାଡ଼ି ଚାଲିବା ପାଇଁ ଟ୍ରାକ୍, ଚାର୍ଜିଂ ପଏଣ୍ଟ ରଖିବାକୁ କୁହାଯାଇଛି।

ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ ପିଲାମାନଙ୍କୁ ସୁରକ୍ଷିତ ଭାବେ ସାଇକେଲ୍‌ ଚଲାଇବାକୁ ଏବଂ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଏହି ନୂଆ ନିୟମ ହୋଇଛି। ଏବେ ବହୁ ପିଲା ସାଇକେଲ୍‌ ଚଲାଇବା ଶିଖୁ ନାହାନ୍ତି। ପିଲାମାନଙ୍କୁ ଫିଟ୍‌ ରଖିବା ସହ ରାଜଧାନୀବାସୀଙ୍କୁ ଫିଟ୍‌ ରଖିବା ପାଇଁ ଆମେ ସାଇକେଲ୍‌ ଚଲାଇବାକୁ ଅଗ୍ରାଧିକାର ଦେଉଛୁ। ଏହାଦ୍ବାରା ରାଜଧାନୀର ପ୍ରଦୂଷଣ ମାତ୍ରା ବି କମିବ। ବିଡିଏର (ପ୍ଲାନିଂ ଓ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ ୨୦୧୮ର ଧାରା ୫୨ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର