ଗୁଣାତ୍ମକ ସେବା ଯୋଗାଇବାକୁ ତାଗିଦ୍‌ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅନ୍ତର୍ଜାତୀୟ ଟର୍ମିନାଲରେ ନିମ୍ନମାନର ସେବା ପ୍ରସଙ୍ଗ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟି-୨ ଟର୍ମିନାଲରେ ଯାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନମାନର ସେବା ମିଳିବା ଘଟଣାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ସ୍ଥିତିରେ କିପରି ସୁଧାର ଆସିବ ଏବଂ ଯାତ୍ରୀଙ୍କୁ ଗୁଣାତ୍ମକ ସେବା ମିଳିବ ସେନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ କ’ଣ ପଦକ୍ଷେପ ନେଉଛନ୍ତି ଜଣାଇବାକୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପି.କେ ବିଶ୍ୱାଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଚିଠି ଲେଖିଛନ୍ତି।

ଗତ ଅକ୍ଟୋବର ୩୧ତାରିଖରେ ‘ସମ୍ବାଦ’ରେ ଟି-୨ ଟର୍ମିନାଲରେ ମିଳୁଥିବା ଅତ୍ୟନ୍ତ ନିମ୍ନମାନର ସେବା ନେଇ ‘ରେଳ ଷ୍ଟେସନଠାରୁ ବି ଅନୁନ୍ନତ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଥିରେ ଟି-୨ ଟର୍ମିନାଲ ଦେଇ ଦୈନିକ ଶହ ଶହ ବିଦେଶୀ ପର୍ଯ୍ୟଟକ ଯାତ୍ରା କରୁଥିବା ବେଳେ କିପରି ରେଳ ଷ୍ଟେସନଠାରୁ ବି ନିମ୍ନମାନର ସେବା ଯୋଗା ଯାଉଛି, ତାହା ଉପରେ ଖବର ପ୍ରକାଶ ପାଇଥିଲା। କିପରି ଶୌଚାଳୟଠାରୁ ଆରମ୍ଭ କରି ଯାତ୍ରୀ ବସିବାକୁ ଥିବା ସୋଫା, ଶୌଚାଳୟର ସ୍ଥିତି, କ’ଣ କ’ଣ ଅସୁବିଧା ଅଛି ଏବଂ ଯାତ୍ରୀଙ୍କ ଅସନ୍ତୋଷ ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସମ୍ବାଦ ଉପରେ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇବା ପରେ ବିଭାଗୀୟ ଅତିରିକ୍ତ ସଚିବ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ଏପରିକି ଗୁଣାତ୍ମକ ସେବା ଯୋଗାଇବାକୁ କି’ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର