ବିଜେଡି ସ୍ପଷ୍ଟ କଲାନି ଡେପୁଟି ମେୟର୍ ନାଁ

ଲାଲ୍‌ ମୋହନ ଟୁଡୁଙ୍କୁ ନେଇ ଚର୍ଚ୍ଚା, ପ୍ରାର୍ଥୀ ଦେବନି ବିଜେପି

ଭୁବନେଶ୍ବର: ବିଏମ୍‌ସି ଡେପୁଟି ମେୟର୍‌ ପଦରେ କିଏ ବସିବ, ତାହାକୁ ନେଇ ଆଜି ଦିନତମାମ କଳ୍ପନାଜଳ୍ପନା ଲାଗି ରହିଛି। ନିର୍ବାଚନ ପରେ ପରେ ଏକାଧିକ ଥରିଆ କର୍ପୋରେଟରଙ୍କ ଉପରେ ଦଳ ଭରସା କରିବ ବୋଲି କୁହାଯାଉଥିଲା। ମାତ୍ର ଦୁଇ ଦିନ ହେଲା କଟକ ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ଡେପୁଟି ମେୟର ପ୍ରାର୍ଥୀ ଚୟନରେ ବିଜେଡି ଯେଉଁଭଳି ଚକ୍‌ମା ଦେଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଏମ୍‌ସି ଡେପୁଟି ମେୟରରେ ମଧ୍ୟ ଦଳ ସେଭଳି ଚକ୍‌ମା ଦେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଏହାରି ଭିତରେ ଆଜି ଯେଉଁମାନଙ୍କ ନାଁ ଶୁଣିବାକୁ ମିଳୁଛି, ତାହା ବି ଆଶ୍ଚର୍ଯ୍ୟ କରିବା ଭଳି। ୮ ନମ୍ବର ୱାର୍ଡ କର୍ପୋରେଟର ଲାଲ୍‌ ମୋହନ ଟୁଡୁକୁ ବିଜେଡି ଡେପୁଟି ମେୟର ପଦ ଲାଗି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ପ୍ରଥମତଃ ଶ୍ରୀ ଟୁଡୁ ଜଣେ ବସ୍ତିବାସିନ୍ଦା। ଦ୍ବିତୀୟତଃ ଅନୁସୂଚିତ ଜନଜାତି ବର୍ଗର। ତୃତୀୟତଃ ପ୍ରଥମ ଥର କର୍ପୋରେଟର୍‌ ହୋଇଛନ୍ତି। ଚତୁର୍ଥରେ ପୁରୁଷ କର୍ପୋରେଟର ହୋଇଥିବାରୁ ଆଉ କୌଣସି ଅସୁବିଧା ହେବ ନାହିଁ। କାରଣ ମେୟର ପଦବିରେ ପୂର୍ବରୁ ଜଣେ ମହିଳା ବସି ସାରିଛନ୍ତି। ତେଣୁ ସବୁଆଡ଼କୁ ନଜର ରଖି ଟୁଡ଼ୁଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

ଟୁଡୁଙ୍କ ବ୍ୟତୀତ ଆଉ କିଛି ପ୍ରଥମ ଥରିଆ କର୍ପୋରେଟରଙ୍କ ନାଁକୁ ନେଇ ମଧ୍ୟ ଜୋର ଧରିଛି। ଅନୁସୂଚିତ ଜାତି(ଏସ୍‌ସି) ବର୍ଗଙ୍କୁ ବି ଦଳ ପ୍ରାଧାନ୍ୟ ଦେଇପାରେ। ସେହି ଦୃଷ୍ଟିରୁ ୧୮ନମ୍ବର ୱାର୍ଡର ବିପ୍ଲବ ବେହେରାଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଆଜି ରାତି ସୁଦ୍ଧା ଦଳ କାହା ନାଁରେ ବି ମୋହର ଲଗାଇ ନାହିଁ। ଶନିବାର ନାମାଙ୍କନପତ୍ର ଦାଖଲ ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ବିଏମ୍‌ସିରେ ବିଜେଡି କର୍ପୋରେଟର୍‌ଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି। ଡେପୁଟି ମେୟର୍‌ ଲାଗି ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ ଜିତିବା ଏକପ୍ରକାର ଥୟ। କାରଣ ମୋଟ ୬୭ ୱାର୍ଡ ମଧ୍ୟରୁ ବିଜେଡି ଏକପାଖିଆ ଭାବେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେଣୁ କାହାର ବି ସହଯୋଗ ଲୋଡ଼ା ନାହିଁ। ପ୍ରମୁଖ ବିରୋଧୀ ଦଳ ବିଜେପିର ୧୦ଜଣ କର୍ପୋରେଟର ରହିଛନ୍ତି। ଦଳ ପ୍ରାର୍ଥୀ ଦେଲେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟ ହେବେ। ତେଣୁ ବିଏମ୍‌ସି ଡେପୁଟି ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବ ନାହିଁ ବୋଲି ଦଳର ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର