ଆଜି ଦାୟିତ୍ବ ନେବେ ମେୟର୍‌

ଭୁବନେଶ୍ବର: ଶନିବାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ। ତାଙ୍କ ସହ ସମସ୍ତ ୬୭ କର୍ପୋରେଟର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ। ଏତଦ୍‌ବ୍ୟତୀତ ଡେପୁଟି ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏ ସମସ୍ତ ନିର୍ବାଚିତ ପ୍ରତିନିଧି ଶପଥ ଗ୍ରହଣ କରିବା ପରେ କାର୍ଯ୍ୟଭାର ଗ୍ରହଣ କରିବେ। ଏଥିପାଇଁ ବିଏମ୍‌ସି ଏକ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଛି। ସକାଳେ ସାଢ଼େ ୯ଟା ବେଳେ ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ଗ୍ରହଣ କରାଇବେ। ଏଥିରେ ସମସ୍ତ ଅଧିକାରୀ ଉପସ୍ଥିତ ରହିବେ। ଏଥିପାଇଁ ବିଏମ୍‌ସି ପ୍ରସ୍ତୁତି ଶେଷ କରିଛି। ଆଜି ସକାଳେ ବିଏମ୍‌ସି କମିସନର ସଞ୍ଜୟ ସିଂହ ବିଏମ୍‌ସି ଅଫିସ୍‌ ଯାଇ ଏହି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ଚଳିତ କର୍ପୋରେସନ୍‌ରେ ୬୭ କର୍ପୋରେଟର୍‌ଙ୍କ ମଧ୍ୟରୁ ୫୧ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏହି ଶପଥ ଗ୍ରହଣକୁ ନେଇ ବେଶ୍‌ ଉତ୍ସାହ ରହିଛି। ପ୍ରଥମଥର ପାଇଁ ସେମାନେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇବା ସହ ନିଜ ଅଞ୍ଚଳକୁ ପ୍ରତିନିଧିତ୍ବ କରିବା ପାଇଁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ୩୩ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ କର୍ପୋରେସନରେ ସାମିଲ ହେବା ସହ ଆସନ୍ତାକାଲି ଶପଥ ନେବା ପାଇଁ ଯାଉଛନ୍ତି। ଏଣୁ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।

ଅନ୍ୟପଟେ ଦୀର୍ଘ ତିନି ବର୍ଷ ହେବ ବିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନଥିଲେ। ଏବେ ନିର୍ବାଚିତ ପ୍ରତିନିଧି ଦାୟିତ୍ବ ନେବାକୁ ଯାଉଥିବାରୁ କର୍ମଚାରୀଙ୍କ ସହ ଅଧିକାରୀମାନେ ଉତ୍ସାହିତ ଅଛନ୍ତି। ନିର୍ବାଚିତ ପ୍ରତିନିଧି ନଥିବାରୁ କେତେକ ଅଧିକାରୀ ଓ କର୍ମଚାରୀ ମନମାନି କରୁଥିଲେ। ଏବେ ସେମାନଙ୍କ ଉପରେ ଅଙ୍କୁଶ ଲାଗିବାକୁ ଯାଉଥିବାରୁ ସେମାନେ ଛାନିଆ ହୋଇଛନ୍ତି। ସେହିଭଳି ନିର୍ବାଚିତ ପ୍ରତିନିଧି ଥିଲେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ହିସାବ ମାଗିବା ସହ କାର୍ଯ୍ୟର ମାନ ପରୀକ୍ଷା କରନ୍ତି। ଏଣୁ ଏହି ପ୍ରତିନିଧିମାନେ ଶପଥ ଗ୍ରହଣ କରିବା ପୂର୍ବରୁ ଅଧିକାଂଶ ନିର୍ମାଣ କାର୍ଯ୍ୟ ଟେଣ୍ଡର ଦେଇ ଦିଆଯାଇଥିବା ଜଣାପଡ଼ିଛି। ଏବେ ନିର୍ବାଚିତ କର୍ପୋରେଟର ସେସବୁର ଟିକ୍‌ନିକ୍‌ ହିସାବ ମାଗିବାକୁ ଯାଉଥିବାରୁ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର