ଜବରଦଖଲ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର: ବିଏମ୍‌ସି, ବିଡିଏ ଓ ସାଧାରଣ ପ୍ରଶାସନର ମିଳିତ ସ୍କ୍ବାଡ୍ ଆଜି ପୋଖରୀପୁଟ୍‌ ଡିଏଭି ସ୍କୁଲ ନିକଟରେ ଏକ ଜବର ଦଖଲକୁ ଉଚ୍ଛେଦ କରିଛି। ସେଠାରେ ଥିବା ୪ଟି ଆଜ୍‌ବେଷ୍ଟେସ୍‌ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଘର ଭିତରେ ଜଣେ ରୋଗୀ ଥିବାରୁ ଉଚ୍ଛେଦକୁ ପ୍ରବଳ ବିରୋଧ କରାଯାଇଥିଲା। ଏହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

ଏଠା‌ରେ ନିଖିଳ ଉତ୍କଳ ହୋମିଓପାଥି ଡିସ୍‌ପେନ୍‌ସାରି ସମିତି ନାମରେ ୪ଟି ଘର ରହିଥିଲା। ଏହା ବେଆଇନ୍‌ ଭାବେ ସରକାରୀ ଜମିରେ ତିଆରି ହୋଇଥିବା ସାଧାରଣ ପ୍ରଶାସନ ବିଭାଗରେ ଅଭିଯୋଗ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ବିଡିଏ, ସାଧାରଣ ପ୍ରଶାସନ ଓ ବିଏମ୍‌ସି ପକ୍ଷରୁ ମିଳିତ ଟିମ୍‌ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ବେଳେ ସମିତିର ସମ୍ପାଦକ ରଘୁନାଥ ଜେନା ସେହି ଘରେ ଥିଲେ। ସେ ଅସୁସ୍ଥ ଥିଲେ। ତାଙ୍କ ଦେହରେ ସାଲାଇନ୍‌ ଲାଗିଥିବା ଦେଖାଯାଇଥିଲା। ଅସୁସ୍ଥତା ନେଇ ଉଚ୍ଛେଦ ନ କରିବାକୁ ତାଙ୍କ ପରିବାର ସଦସ୍ୟ ଅନୁରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ପରେ ଉଚ୍ଛେଦକାରୀ ଦଳ ଆମ୍ବୁଲାନ୍ସ ଡକାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ତାଙ୍କର ଆସବାବପତ୍ର ବାହାରକୁ ବାହାର କରାଯାଇ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦ ବେଳେ ବିଡିଏ ଅଧିକାରୀ ପ୍ରମୋଦ ପାତ୍ର, ସଂଯୋଜକ ଶୁଭ୍ରାଂଶୁ ଶେଖର ମହାନ୍ତି, ଏସିପି ଅମରେଶ ପଣ୍ଡା, ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର