ରୁଚିକା ନର୍ସିଂହୋମ୍‌କୁ ବନ୍ଦ କଲା ବିଏମ୍‌ସି

ଭୁବନେଶ୍ବର : ବରମୁଣ୍ଡା ହାଉସିଂବୋର୍ଡ କଲୋନିସ୍ଥିତ ରୁଚିକା ନର୍ସିଂହୋମ୍‌କୁ ବନ୍ଦ କରିବାକୁ ଆଜି ବିଏମ୍‌ସି ନୋଟିସ୍‌ କରିଛି। ଏହି ନର୍ସିଂହୋମ୍‌ରେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ହୋଇଥିବା ବିଏମ୍‌ସି କର୍ତ୍ତୃପକ୍ଷ ଗତ ଜୁନ୍‌ ୨୬‌ରେ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲେ। ଏହାପରେ ନିୟମ କାହିଁକି ପାଳନ ହେଉନି, ସେନେଇ କାରଣଦର୍ଶାଅ ନୋଟିସ୍‌ ହୋଇଥିଲା। କିନ୍ତୁ ନର୍ସିଂହୋମ୍‌ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇନଥିଲେ। ତେଣୁ ଆଜି ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ଦକ୍ଷିଣ-ପଶ୍ଚିମ ଜୋନାଲ ଡେପୁଟି କମିସନର ରବି ନାରାୟଣ ଜେଠୀ ଏହି ନର୍ସିଂହୋମ୍‌କୁ ବନ୍ଦ କରିବାକୁ ନୋଟିସ୍‌ କରିଛନ୍ତି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ୧ଟା‌ ୪୦ରେ ଦକ୍ଷିଣ ପଶ୍ଚିମ ଜୋନାଲ ଡେପୁଟି କମିସନର୍‌ ନର୍ସିଂହୋମ୍‌କୁ ଯାଇ ବନ୍ଦ କରିବାକୁ ନୋଟିସ୍‌ କରିଛନ୍ତି। ଏନେଇ କ୍ଲୋଜର ନୋଟିସ୍‌ ସଂଖ୍ୟା ୨୪୬୩୯ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ନର୍ସିଂହୋମ୍‌ର ଆନ୍ତଃବିଭାଗ ଏବଂ ବର୍ହିବିଭାଗ ସେବା ବନ୍ଦ କରାଯାଇଛି। ଏବେ କେବଳ ହସ୍ପିଟାଲରେ ଚିକିତ୍ସିତ ରୋଗୀ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସେବା ଯୋଗାଇ ଦିଆଯିବ। କୌଣସି ନୂଆ ରୋଗୀଙ୍କୁ ଚିକିତ୍ସା କରାଯିବନି। ବିଏମ୍‌ସି ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ର ସନ୍ତୋଷଜନକ ଉତ୍ତର ନମିଳିବା ପର୍ଯ୍ୟନ୍ତ ନର୍ସିଂହୋମ୍‌ ବନ୍ଦ ରହିବ। ସୂଚନାଯୋଗ୍ୟ ଯେ ମଞ୍ଚେଶ୍ବରସ୍ଥିତ ବ୍ଲୁ ହୁଇଲ୍‌ ହସ୍ପିଟାଲ‌େର ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ହସ୍ପିଟାଲକୁ ସିଲ୍‌ କରାଯାଇଥିଲା। ଏହାପରେ ୧୦ଟି ହସ୍ପିଟାଲକୁ ବିଏମ୍‌ସିର ଜୋନାଲ ଡେପୁଟି କମିସନର୍‌ମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତେ ଊଣା ଅଧିକେ କଟକଣା ମାନୁ ନଥିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା।

ସମ୍ବନ୍ଧିତ ଖବର