ବେହୁସିଆର୍ ବିଏମ୍‌ସି ବିଦ୍ୟୁତ୍ ବିଭାଗ: ଷ୍ଟ୍ରିଟ୍‌ଲାଇଟ୍‌ ଡିପି ବକ୍ସ ନା ମରଣଯନ୍ତା?

ଭୁବନେଶ୍ୱର: ବିଏମ୍‌ସି ବିଦ୍ୟୁତ୍ ବିଭାଗ ଦାୟିତ୍ବରେ ରହିଛି ରାଜଧାନୀର ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ଦାୟିତ୍ବ। ସହରର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାଜପଥ ପର୍ଯ୍ୟନ୍ତ ସବୁ ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା କରୁଛି ବିଏମ୍‌ସି। ମାତ୍ର ପରିତାପର କଥା ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍ ବ୍ୟବସ୍ଥାର ଡିଷ୍ଟ୍ରିବ୍ୟୁସନ୍‌ ପ୍ୟାନେଲ୍ ବକ୍ସ(ଡିପି ବକ୍ସ) ଅସୁରକ୍ଷିତ ଭାବେ ରଖାଯାଇଛି। ବହୁ ଷ୍ଟ୍ରିଟ୍‌ରେ ଡିପି ବକ୍ସ ବସିଥିବା ସ୍ଥାନ ଆବଦ୍ଧ କରାଯାଇନଥିବା ବେଳେ ବହୁ ଡିପି ବକ୍ସର ଡୋର୍ ବା କଭର୍‌ ଭାଙ୍ଗି ମେଲା ପଡ଼ିଛି। ଫଳରେ ଅନେକ ସମୟରେ ବୁଲା ଗାଈଗୋରୁ ଏପରିକି ମଣିଷମାନେ ଏହି ଡିପି ବକ୍ସ ସଂସ୍ପର୍ଶରେ ଆସି ମୃତ୍ୟୁର ଶିକାର ହେଉଛନ୍ତି। ଅସୁରକ୍ଷିତ ଡିପି ବକ୍ସରେ ଲାଗି ଗାଈଗୋରୁ ମୃତାହତ ହେବା ରାଜଧାନୀର ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ମଣିଷ ମରିଥିବାର ଉଦାହରଣ ମଧ୍ୟ ରହିଛି।

ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଲଗାଯାଇଥିବା ଡିପି ବକ୍ସକୁ ସାଧାରଣତଃ ସୁରକ୍ଷିତ ସ୍ଥାନରେ ଓ ସୁରକ୍ଷିତ ଭାବେ ରଖିବା ନିୟମ। ପ୍ରଥମତଃ ଏହାକୁ କୌଣସି ନିଛାଟିଆ ସ୍ଥାନ ଅର୍ଥାତ୍ ଯେମିତି କେହି ସହଜରେ ସଂସ୍ପର୍ଶରେ ନଆସିବେ, ସେଭଳି ସ୍ଥାନରେ ରଖିବା କଥା। ଦ୍ବିତୀୟତଃ ଡିପି ବକ୍ସର କଭର୍ ମଜବୁତ୍ ହେବା କଥା। ଡିପି ବକ୍ସରେ ଯୋଡ଼ା ଯାଇଥିବା ବିଭିନ୍ନ ତାରକୁ ଭଲ ଭାବେ ବିଦ୍ୟୁତ୍‌ରୋଧୀ ଟେପ୍‌ ଦ୍ବାରା ଗୁଡ଼ାଇବା ଜରୁରୀ। ସେହିଭଳି ସେଥି‌ରେ ଲଗାଯାଇଥିବା କଟ୍‌ ଆଉଟ୍‌ ଓ ଏମ୍‌ସିବି ମଧ୍ୟ ଭଲ ରହିବା ଦରକାର। ସେଗୁଡ଼ିକ ଖରାପ ହେଲେ ମରାମତି ନକରି ତୁରନ୍ତ ନୂଆ ଲଗାଯିବା କଥା। ମାତ୍ର ଅଧିକାଂଶ ସ୍ଥାନରେ ଡିପି ବକ୍ସ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିଛି। ଅର୍ଥାତ୍ ଡିପି ବକ୍ସ ଥିବା ଡିଭାଇଡର୍‌ରେ ବାଡ଼ ନଥିବାରୁ ଲୋକେ ସେହି ବାଟ ଦେଇ ରାସ୍ତା‌ ପାର୍ ହେଉଛନ୍ତି।

ସେହିଭଳି ବହୁ ଡିପି ବକ୍ସରେ ଡୋର୍ ବା କଭର ନାହିଁ। ଫଳରେ ଯୋଡ଼ା ଯାଇଥିବା ତାର ସବୁ ବାହାରକୁ ବାହାରିଛି। ପୁଣି ତାର ସଂଯୋଗକୁ ଭଲ ଭାବେ ଟେପ୍‌ରେ ଗୁଡ଼ା ଯାଉନାହିଁ। ଫଳରେ ବେଳେବେଳେ ଏହି ସଂଯୋଗ ବିଦ୍ୟୁତ୍ ପୋଲକୁ ଛୁଇଁବାରୁ ବିଦ୍ୟୁତ୍ ଖମ୍ବ ଚାର୍ଜ ହୋଇଯାଉଛି। ଗତ କିଛି ଦିନ ପୂର୍ବେ କଳ୍ପନା ଛକରେ ଏଭଳି ଏକ ଅଘଟଣ ଘଟିଥିଲା। ଚାର୍ଜ ହୋଇଯାଇଥିବା ବିଦ୍ୟୁତ୍ ଖମ୍ବ ସଂସ୍ପର୍ଶରେ ଆସି ନୟାଗଡ଼ ଜିଲ୍ଲା ଭାପୁର ବିଜିପୁର ଗାଁର ଯୁଧିଷ୍ଠିର ନାୟକ ଗୁରୁତର ଆହତ ହୋଇଥିଲେ। ସେହିଭଳି ଗତ କିଛି ବର୍ଷ ପୂର୍ବେ ପଳାସୁଣି ଛକରେ ଏନ୍‌ଏଚ୍ ପାର୍ ହେଉଥିବା ବେଳେ ଡିଭାଇଡର୍‌ରେ ମରଣଯନ୍ତା ଡିପି ବକ୍ସ ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଅବଶ୍ୟ ଉକ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ଦାୟିତ୍ବ ଖୋଦ୍‌ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଥିଲା। ତେବେ ରାଜଧାନୀ ଭିତରେ ଏଭଳି ଶହ ଶହ ବିପଦସଂକୁଳ ଡିପି ବକ୍ସ ରହିଛି। ଏବେ ତ ସ୍ମାର୍ଟ ଜନପଥ ଅବସ୍ଥା ଆହୁରି ଭୟଙ୍କର। ରାସ୍ତା କାମ ଚାଲିଥିବାରୁ ବହୁ ସ୍ଥାନରେ ବିଦ୍ୟୁତ୍ ତାର ଖୋଲାମେଲା ହୋଇ ରହିଛି।

ବ୍ୟବସାୟୀ ଘନଶ୍ୟାମ ମିଶ୍ରଙ୍କ କହିବା କଥା ରାସ୍ତା କାମ ସମୟରେ ମାଟି ତଳେ ଯାଇଥିବା ତାର ଛିଡ଼ି ଯାଉଛି। ଛିଡ଼ି ଯାଉଥିବା ସ୍ଥାନରେ ଭଲ ଭାବେ ଟେପ୍‌ ନବାନ୍ଧି ବଡ଼ ଖାମଖିଆଲି ଭାବେ ଜରି ବାନ୍ଧି ଛାଡ଼ି ଦିଆଯାଉଛି। ଯାଉଛନ୍ତି। ତେଣୁ କେବଳ ମଣିଷ ନୁହନ୍ତି, ବର୍ଷା ଦିନେ ବୁଲା ଗୋରୁ ଓ ପଶୁପକ୍ଷୀମାନେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇ ମରୁଛନ୍ତି। ଏ ବାବଦର ବିଏମ୍‌ସି ସହକାରୀ ନିର୍ବାହୀ ଯନ୍ତ୍ରୀ (ଇଲେକ୍‌ଟ୍ରିକାଲ) ଇଂ. ସୁକାନ୍ତ କମାର ସାବତ କହିଛନ୍ତି ଯେ ଷ୍ଟ୍ରିଟ୍ ଲାଇଟ୍‌ ଡିପି ବକ୍ସକୁ ଲୋକେ ଭାଙ୍ଗି ଦେଉଛନ୍ତି। ତେବେ ଯେଉଁଠି ଭଙ୍ଗା ଡିପି ବକ୍ସକୁ ନେଇ ଅଭିଯୋଗ ଆସୁଛି, ସେସବୁକୁ ମରାମତି କରାଯାଉଛି।

ସମ୍ବନ୍ଧିତ ଖବର