ବିଏମ୍‌ସିରେ ବଢ଼ୁଛି ଅଫିସର୍‌ଙ୍କ ସଂଖ୍ୟା

ନୂଆ ଆସୁଛନ୍ତି ପୁରୁଣା ଯାଉନାହାନ୍ତି

ଭୁବନେଶ୍ବର: ବିଏମ୍‌ସିରେ ଆଉ ଦୁଇ ନୂଆ ଅଫିସର କାର୍ଯ୍ୟରେ ଯୋଗ ଦେଇଛନ୍ତି। ସହକାରୀ କମିସନର ଭାବେ ସେମାନେ କାମ କରୁଛନ୍ତି। ଏମାନଙ୍କୁ ମିଶାଇ ଅଫିସର(ରେଗୁଲାର)ଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ଠିକା ସଂସ୍ଥାଙ୍କ ଜରିଆରେ ରହିଥିବା ଅନ୍ୟ ଅଫିସରଙ୍କୁ ହିସାବକୁ ନେଲେ ସଂଖ୍ୟା ୫୦ ଛୁଇଁବ। ସ୍ଥିତି ଏଭଳି ହୋଇଛି ଅଫିସରେ ବସିବାକୁ ଜାଗା ବି ନାହିଁ। ଗୋଟିଏ ଚାମ୍ବରରେ ଦୁଇ ଦୁଇ ଜଣ ବସୁଥିବା ବେଳେ କେତେକ ଅଫିସର କିରାଣୀଙ୍କ ଜାଗା ଅକ୍ତିଆର କରିଛନ୍ତି। ନିକଟ ଅତୀତରେ ଆଇଏଏସ୍‌ ଅଫିସର ସୂର୍ଯ୍ୟବଂଶୀ ମୟୂର ବିକାଶ ତୃତୀୟ ଅତିରିକ୍ତ କମିସନର ଭାବରେ କାର୍ଯ୍ୟରେ ଯୋଗ ଦେବା ପରେ ଡେପୁଟି କମିସନର ସପନ ନନ୍ଦଙ୍କୁ ଚାମ୍ବର ଛାଡ଼ିବାକୁ ପଡ଼ିଥିଲା। ଶ୍ରୀ ନନ୍ଦ ଏବେ ଓଡିଏ କୋର୍ଟରେ ବସୁଛନ୍ତି। ଓଡିଏ କୋର୍ଟ ପାଇଁ ଜାଗା ନାହିଁ। ତାହା ଅଧିକାରୀଙ୍କ ଚାମ୍ବରରେ ଚାଲୁଛି।

ଗୋଟିଏ ପଟେ ନୂଆ ନୂଆ ଅଫିସର ଏଠାକୁ ବଦଳି ହୋଇ ଆସୁଥିବା ବେଳେ ଏଠାରୁ ବଦଳି ହେଉଥିବା ଅଫିସର ନୂଆ ଜାଗାକୁ ଯାଉନାହାନ୍ତି। କେତେକ ବଦଳି ବାତିଲ କରିଥିବା ବେଳେ କେତେକଙ୍କର ବଦଳି ବାତିଲ ହୋଇନାହିଁ। ସେମାନେ ଏଠାରେ କାମ କରୁଛନ୍ତି। ଅଫିସରଙ୍କ ସଂଖ୍ୟା ଯେଉଁ ଅନୁପାତରେ ବଢ଼ୁଛି ସେଇ ଅନୁପାତରେ କାମ ହେଉନାହିଁ କିମ୍ବା କାର୍ଯ୍ୟର ଗୁଣାତ୍ମକ ବିକାଶ ହେଉନାହିଁ। କେତୋଟି ଉଦାହରଣ ଏହି ପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିଦେବ। ରାସ୍ତାଘାଟରେ ବାଲି ଘାସ, ପ୍ଲାଷ୍ଟିକ୍‌ ରହିବ ନାହିଁ। ‘ଜିରୋ ଟୁ ଜିପିଏସ୍‌’ ନାମରେ ଏଭଳି ଉଦ୍ଦେଶ୍ୟ ନେଇ ଏକ ମିସନ ଆରମ୍ଭ କରିଥିଲା ବିଏମ୍‌ସି। ସହକାରୀ ନିର୍ବାହୀ ଇଞ୍ଜିନିୟର(ମେକାନିକାଲ) ଡେପୁଟି କମିସନରଙ୍କ ସହ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟକୁ ନିଶ୍ଚିତ କରିବା କଥା। କେବଳ ବାଲି ଘାସ କିମ୍ବା ପ୍ଲାଷ୍ଟିକ୍‌ ନୁହେଁ ବରଂ ଭଙ୍ଗା ଦଦରା ଗାଡ଼ି, ନିର୍ମାଣ ବର୍ଜ୍ୟ, ବେଆଇନ ହୋର୍ଡିଂ ହଟାଇବାକୁ ଯୋଜନା ରହିଥିଲା। କିନ୍ତୁ ଅବସ୍ଥା ଏଭଳି ଯେ ରାସ୍ତାଘାଟରୁ ଅଳିଆ ଉଠୁନି। ବାକି କଥା ନ କହିବା ଭଲ।

ସେହିଭଳି ବିଏମ୍‌ସିରେ ଥିବା ତିନିଜଣ ଅତିରିକ୍ତ କମିସନରଙ୍କୁ ତିନୋଟି ଜୋନ୍‌ର ‘ଗାର୍ଡିଆନ୍‌ ଅଫିସର’ କରାଯାଇଥିଲା। ଏମାନେ ସମ୍ପୃକ୍ତ ଜୋନ୍‌ର ଡେପୁଟି କମିସନରମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ଉନ୍ନୟନମୂଳକ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ସରିବା ନିଶ୍ଚିତ କରିବେ। ପରିମଳ ବ୍ୟବସ୍ଥାରେ ଯେଭଳି ଉନ୍ନତି ଆସିବ, ଜବରଦଖଲ ହଟିବ, ପ୍ରତ୍ୟେକ ଷ୍ଟ୍ରିଟ୍‌ ଲାଇଟ୍‌ ଯେଭଳି ଜଳିବ ତାହା ନିଶ୍ଚିତ କରିବେ। ଏହି କାର୍ଯ୍ୟ କିଭଳି ଚାଲିଛି ତାହା ରାଜଧାନୀବାସୀ ପ୍ରତ୍ୟେକ ଦିନ ଅଙ୍ଗେ ନିଭାଉଛନ୍ତି। ବାରମ୍ବାର ଅଭିଯୋଗ ପରେ ଲାଇଟ୍‌ ଜଳୁନି। ଜବରଦଖଲରେ ନଳା ଭର୍ତ୍ତି ହୋଇଗଲାଣି। ପରିମଳ ଅବସ୍ଥା ତଦ୍ରୂପ।

ସେହିଭଳି କେତେକ କର୍ମଚାରୀଙ୍କ ପଦବି ‘ୱାର୍ଡ ଅଫିସର’ ହୋଇଥିଲେ ମଧ୍ୟ ସେମାନେ ଅଫିସ୍‌ରେ ବସି କିରାଣୀ କାମ କରୁଛନ୍ତି। ଏପଟେ ଜଣେ ଜଣେ ୱାର୍ଡ ଅଫିସର ଦୁଇ ଦୁଇଟି ୱାର୍ଡ ଦାୟିତ୍ବ ନେଇଛନ୍ତି। ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ ଓ ଆସେସ୍‌ମେଣ୍ଟ ଶତ ପ୍ରତିଶତ ହୋଇପାରୁନାହିଁ। କିଏ ଆସେସ୍‌ମେଣ୍ଟ କମାଇଦବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡ଼ିଲାଣି। ଏହି କେତୋଟି ପ୍ରସଙ୍ଗ ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଭାତ ଚିପିବା ଭଳି। ବିଏମ୍‌ସିରେ ଯେଉଁ ସବୁ କାମ ପାଇଁ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି କେହି କିଛି କରୁନାହାନ୍ତି। କେବଳ ଗୋଟିଏ ଫଟୋ ଟ୍ବିଟ୍‌ କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଟ୍ୟାଗ୍‌ କରିଦେଲେ କାମ ସରିଗଲା ବୋଲି ଭାବୁଛନ୍ତି। କିନ୍ତୁ ଅଫିସରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର