ପାତ୍ରପଡ଼ାରେ ବୋମାମାଡ଼: ସିସିଟିଭିରେ କଏଦ ୩ ଦୁର୍ବୃତ୍ତଙ୍କ କାଣ୍ତ

ଖଣ୍ତଗିରି: ଗୁରୁବାର ରାତି ପ୍ରାୟ ୨ଟା ବେଳେ ୩ ଜଣ ଦୁର୍ବୃତ୍ତ ପାତ୍ରପଡ଼ା ଗାଁ ଭିତରେ ଘନଘନ ବୋମାମାଡ଼ କରିଛନ୍ତି। ଗାଁରେ ବୁଲି ବୁଲି ୪ଟି ସ୍ଥାନରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କୌଣସି ଧନଜୀବନ କ୍ଷତି ହୋଇନାହିଁ। ଗୋଟିଏ ସ୍ଥାନରେ ବୋମା ଫୁଟିଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ବୋମା ଫୁଟିନଥିବା ଜଣାପଡ଼ିଛି। ସିସିଟିଭି ଫୁ‌ଟେଜ୍‌ରୁ ମିଳିଥିବା ଚିତ୍ର ଅନୁସାରେ, ଏଥିରେ ସମ୍ପୃକ୍ତ ୩ ଦୁର୍ବୃତ୍ତ ସେହି ପାତ୍ରପଡ଼ା ଗାଁର ବୋଲି ସ୍ପଷ୍ଟ ହୋଇଛି। ଆଜି ଅଭିଯୋଗ ପାଇବା ପରେ ଖଣ୍ତଗିରି ଥାନା ପୁଲିସ ଗାଁ ଭିତରୁ ଗୋଟିଏ ଅଫୁଟା ବୋମା ଜବତ କରିଛି। ସିସିଟିଭି ଫୁଟେଜ୍ ସଂଗ୍ରହ କରି ପୁଲିସ ଅଧିକ ଛାନ୍‌ଭିନ୍ ଆରମ୍ଭ କରିଛି। ସିସିଟିଭି ଚିତ୍ରରୁ ମିଳିଥିବା ସୂଚନାନୁସାରେ, ରାତି ପ୍ରାୟ ୧ଟା ୫୬ ମିନିଟ୍‌ରେ ଏହି ବୋମାମାଡ଼ ହୋଇଥିଲା। ପ୍ରଥମେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଗାଁ ଦାଣ୍ତରେ ପୂର୍ବତନ ସରପଞ୍ଚ ସନ୍ତୋଷ ପାଇକରାୟ ଓ ପ୍ରମୋଦ ରାଉତରାୟଙ୍କ ଘରଠାରୁ ଅଳ୍ପ ଦୂରରେ ଠିଆ ହେଉଛି। କିଛି ମିନିଟ୍ ପରେ ଦୁଇ ଜଣ ଦୁର୍ବୃତ୍ତ ଚାଲି ଚାଲି ଆସୁଛନ୍ତି ଓ ବାଇକ୍‌ରେ ଥିବା ଦୁର୍ବୃତ୍ତ ବାଇକ୍‌କୁ ଗଡ଼ାଇ ଗଡ଼ାଇ ଆଗକୁ ଚାଲି ଯାଉଛି। ଜଣେ ଦୁର୍ବୃତ୍ତ ଗୋଟିଏ ଜରି ବ୍ୟାଗ୍‌ରୁ ବୋମା ବାହାର କରି ଅନ୍ୟଜଣଙ୍କ ହାତକୁ ବଢ଼ାଇ ଦେଉଛି। ଉକ୍ତ ଯୁବକ ବୋମାକୁ ପ୍ରମୋଦ ରାଉତରାୟଙ୍କ ଘରକୁ ଲକ୍ଷ୍ୟ କରି ଖୁବ୍ ଜୋର୍‌ରେ ଫିଙ୍ଗୁଛି ଓ ଦୌଡ଼ିବାକୁ ଲାଗୁଛି। ମାତ୍ର ବୋମାଟି ଫୁଟୁନାହିଁ। ତେଣୁ ଜରି ବ୍ୟାଗ୍ ଧରିଥିବା ଯୁବକ ପୁଣି ବୋମାଟିକୁ ଗୋଟାଇ ଆଣି ନିଜେ ଫୋପାଡ଼ୁଛି। ତଥାପି ବୋମା ଫୁଟୁନାହିଁ। ଏହା ପରେ ସେ ବ୍ୟାଗ୍‌ରୁ ଆଉ ଗୋଟିଏ ବୋମା ବାହାର କରି ଫୋପାଡ଼ୁଛି। ଏଇଟି ମଧ୍ୟ ଫୁଟୁନାହିଁ। ଏହା ପରେ ସେମାନେ ବୋମା ଦୁଇଟିକୁ ଗୋଟାଇ ବାଇକ୍‌ରେ ବସି ସେଠାରୁ ଚାଲି ଯାଉଛନ୍ତି।

ଖଣ୍ତଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗାଁର ୪ଟି ସ୍ଥାନରେ ବୋମାମାଡ଼ ହୋଇଛି ଓ ଗାଁ ମୁଣ୍ତରେ ଭୋର୍ ପ୍ରାୟ ୪ଟା ବେଳେ ୨ଟି ବୋମା ଫୁଟିଥିବା ସେମାନେ ଶୁଣିଛନ୍ତି। କିନ୍ତୁ ଆଜି ପୁଲିସ ଗାଁରେ ଛାନଭିନ୍‌ କରିବା ପରେ ଗୋଟିଏ ଅଫୁଟା ବୋମା ଜବତ କରିଛି। ମାତ୍ର ଫୁଟିଥିବା ବୋମାଗୁଡ଼ିକର ଟୁକୁଡ଼ା ଅଂଶ ପାଇ ନଥିବା ପୁଲିସ ସୂଚନା ଦେଇଛି। ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁଙ୍କ ସୂଚନାନୁସାରେ ଜବତ ବୋମାରେ ଅଳ୍ପ ବାରୁଦ ଓ ଚିପ୍ସ ରହିଛି। ତେଣୁ ତାହା ଫୁଟିବା ଭଳି ବୋମା ନୁହେଁ। ତେବେ ସିସିଟିଭି ଫୁଟେଜ୍‌ରୁ ୩ଜଣ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ବୋମାମାଡ଼ର କାରଣ ଜଣାପଡ଼ିନାହିଁ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏଥିରେ ସମ୍ପୃକ୍ତ ଜଣେ ଦୁର୍ବୃତ୍ତ(ସିସିଟିଭି ଫୁଟେଜରେ ଅଛି) ପୂର୍ବରୁ ବହୁ ଚର୍ଚ୍ଚିତ ଦିଲ୍ଲୀପ ନାଏକ ହତ୍ୟାକାଣ୍ତରେ ଅଭିଯୁକ୍ତ ଥିଲା ଓ କିଛି ଦିନ ପୂର୍ବରୁ ସେ ଜାମିନ୍‌ରେ ଆସିଛି। ଦିଲ୍ଲୀପ ନାଏକ ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଜାମିନ ନ ପାଇ ଏବେ ବି ଜେଲ୍‌ରେ ଅଛି। ତେଣୁ ଜାମିନ୍ ପାଇଥିବା ଅଭିଯୁକ୍ତ ବୋମାମାଡ଼ କରୁଥିବା ପଛରେ କି ରହସ୍ୟ ରହିଛି, ତାହାକୁ ନେଇ ନାନା କଥା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର