ମହିଳାଙ୍କ ସୁନାଗହଣା ଧରି ପ୍ରେମିକ ଚମ୍ପଟ୍

ବାହା ହେବ କହି ଗର୍ଭପାତ କରାଇଛି, ୪ବର୍ଷ ଲିଭ୍-ଇନ୍‌ରେ ରହିବା ପରେ ଧୋକା ଦେଲା

ଭୁବନେଶ୍ବର : ଜଣେ ମହିଳାଙ୍କ ସହ ୪ବର୍ଷ ଲିଭ୍ଇନ୍‌ରେ ରହିବାପରେ ବାହା ହେବ କହି ତାଙ୍କଠାରୁ ସୁନାଗହଣା ନେଇ ଚମ୍ପଟ ମାରିଛି ଧୂର୍ତ୍ତ ପ୍ରେମିକ। ଏହା ସହିତ ବିବାହ କରିବାକୁ ହେଲେ ଗର୍ଭପାତ କରିବାକୁ ହେବ କହି ତାଙ୍କୁ ଧୋକା ଦେଇଛି। ଏଭଳି ପ୍ରତାରଣାର ଶିକାର ହେବା ପରେ ମହିଳା ଜଣକ ଆଜି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅଭିଯୋଗକାରିଣୀ ସ୍ବର୍ଣ୍ଣଲତା ପ୍ରଧାନ(୨୯) ହେଉଛନ୍ତି ସାଲିଆସାହି ନୀଳଚକ୍ରନଗରର ବାସିନ୍ଦା। ୪ବର୍ଷ ତଳେ ପଡ଼ୋଶୀ ସୁଶାନ୍ତ ଦାସଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସୁଶାନ୍ତ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ଚଳାଉଥିବା ବେଳେ ନୀଳଚକ୍ରନଗରରେ ନିଜ ଭାଇଭାଉଜଙ୍କ ଘରେ ରହୁଥିଲା। ସେମାନଙ୍କ ଭିତରେ ସଂପର୍କ ନିବିଡ଼ ହେବାରୁ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଉଭୟ ଏକ ଘର ଭଡ଼ାନେଇ ଲିଭ୍‌-ଇନ୍ ସଂପର୍କରେ ରହିଥିଲେ। ପ୍ରାୟ ୪ ବର୍ଷ କାଳ‌ ସାଂଗରେ ରହିବା ଭିତରେ ସୁଶାନ୍ତଙ୍କ ଦ୍ବାର ସ୍ବର୍ଣ୍ଣଲତା ଅନ୍ତଃସତ୍ତ୍ବା ହୋଇଥିଲେ। ମାତ୍ର ଏହା ଜାଣିବା ପରେ ସୁଶାନ୍ତ ତାଙ୍କୁ ଗର୍ଭପାତ କରାଇବାକୁ ବାରମ୍ବାର ଚାପ ଦେଇଥିଲା। ବାପା ଜଣେ ହୃଦ୍‌ରୋଗୀ ହୋଇଥିବାରୁ ଗର୍ଭପାତ ନ କରାଇଲେ ତାଙ୍କୁ ବିବାହ କରିବା ଅସମ୍ଭବ ଏବଂ ପରବର୍ତ୍ତୀ ସମୟରେ ଏହା ବିବାହରେ ସମସ୍ୟା ସୃଷ୍ଟି କରିବ ବୋଲି ସୁଶାନ୍ତ ସ୍ବର୍ଣ୍ଣଲତାଙ୍କୁ ବୁଝାଇଥିଲା। ସୁଶାନ୍ତଙ୍କ କଥାକୁ ବିଶ୍ବାସ କରି ସ୍ବର୍ଣ୍ଣଲତା ଗର୍ଭପାତ କରାଇବା ପରେ ଗତ ୧୫ ଜୁଲାଇରେ ସୁଶାନ୍ତ ତାଙ୍କୁ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲା। ଏହା ସହିତ ଘରୁ ଯିବା ସମୟରେ ସ୍ବର୍ଣ୍ଣଲତାଙ୍କ ସୁନାହାର, ମୁଦି, କାନଫୁଲ ଓ ଟଙ୍କା ମଧ୍ୟ ନେଇ ଯାଇଥିଲା। ଏ ନେଇ ସ୍ବର୍ଣ୍ଣଲତା ବାରମ୍ବାର ସୁଶାନ୍ତଙ୍କୁ ଫୋନ୍ କରିବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତା’ର ଅନ୍ୟତ୍ର ବିବାହ ଠିକ ହୋଇଯାଇଛି ବୋଲି କହିଥିଲା। ଯଦି ସ୍ବର୍ଣ୍ଣଲତା ଏ ସଂପର୍କରେ ଥାନାରେ ଅଭିଯୋଗ କରନ୍ତି, ତେବେ ତାଙ୍କ ନଗ୍ନ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଦେବ ବୋଲି ଧମକ ମଧ୍ୟ ଦେଇଥିଲା ବୋଲି ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି।

ନୂଆପଲ୍ଲୀ ପୁଲିସ ଘଟଣା ସଂପର୍କରେ କହିଛି ଯେ ପୀଡ଼ିତା ପୂର୍ବରୁ ବିବାହିତା। ତାଙ୍କର ବିବାହ ବିଚ୍ଛେଦ ପରେ ସେ ସୁଶାନ୍ତଙ୍କ ସହ ସ୍ବଇଚ୍ଛାରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବାକୁ ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର