ଉତ୍ତରପ୍ରଦେଶରୁ ବିଲ୍ଡର୍‌ ଗିରଫ, ଜମି ଦେବା ନାଁରେ ପୁଅର ଟିଉସନ୍ ଶିକ୍ଷୟିତ୍ରୀଙ୍କଠାରୁ ଠକିଥିଲା ୨୩ଲକ୍ଷ

ମାମଲା ପରେ ଫେରାର୍‌ ହୋଇଯାଇଥିଲା

ଠକେଇ ଟଙ୍କା ପୁଞ୍ଜି ବଜାରରେ ନିବେଶ କରୁଥିଲା

ଭୁବନେଶ୍ୱର : ଠକଙ୍କ ସହର ପାଲଟି ଗଲାଣି ରାଜଧାନୀ ଭୁବନେଶ୍ବର। ସବୁଆଡ଼େ ଠକ ମାଡ଼ି ଗଲେଣି। ଜମି, ଫ୍ଲାଟ୍ ଦେବା ନାଁରେ ଠକେଇ କରି ଚାଲିଥିବା ଏକାଧିକ ଠକ ଏବେ ପୁଲିସ କବ୍‌ଜାରେ ପଡ଼ୁଛନ୍ତି। ଏଭଳି ଆଉ ଏକ ଠକେଇ ଘଟଣା ଏବେ ପଦାକୁ ଆସିଛି। ଜମି ଦେବା ନାଁରେ ୨୩ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ବିଲ୍ଡର୍‌କୁ ଉତ୍ତରପ୍ରଦେଶରୁ ଗିରଫ କରିଛି।

‌ସେ ହେଲା, ବିଜେବିନଗରସ୍ଥିତ ନାଇନଥ୍ ଏମ୍ପାୟାର ଆପାର୍ଟମେଣ୍ଟରେ ରହୁଥିବା ପର୍ଶୁରାମ କାଣ୍ଡି। ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଉତ୍ତରପ୍ରଦେଶ ମହମ୍ମଦାନଗର ଅଞ୍ଚ​ଳରୁ ତାକୁ ଗିରଫ କରିବା ସହ ସେଠାକାର କୋର୍ଟରେ ହାଜର କରି ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଆଣିଛି।

ପୁଲିସ ସୂଚନା ଅନୁସାରେ, ପର୍ଶୁରାମର ପୁଅକୁ ଟିଉସନ୍ କରୁଥିଲେ ମାମଲାର ଅଭିଯୋଗକାରୀ ମଧୁସ୍ମିତା ମିଶ୍ର। ପର୍ଶୁରାମ ନିଜକୁ ବିଲ୍ଡର୍‌ ବୋଲି କହିବା ସହ ଏକ ଜମି କିଣିବା ପାଇଁ ଏକାଧିକଥର ମଧୁସ୍ମିତାଙ୍କୁ କହିଥିଲା। କିସ୍ତିରେ ସେ ମଧୁସ୍ମିତାଙ୍କଠାରୁ ୨୩ ଲକ୍ଷ ଟଙ୍କା ନେଇ ଯାଇଥିଲା। କିନ୍ତୁ ଦୀର୍ଘ ଦିନ ଧରି ପର୍ଶୁରାମ ଜମି ଦେଇନଥିଲା। ଟଙ୍କା ମଧ୍ୟ ଫେରାଇନଥିଲା। ଏ ସଂକ୍ରାନ୍ତରେ ମଧୁସ୍ମିତା ଗତ ଜୁଲାଇରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଗିରଫଦାରୀ ଭୟରେ ପର୍ଶୁରାମ ଉତ୍ତରପ୍ରଦେଶରେ ଆତ୍ମଗୋପନ କରିଥିଲା। ଠକେଇ ଟଙ୍କାକୁ ପୁଞ୍ଜିବଜାରରେ ନିବେଶ କରି ପ୍ରବଳ ଅର୍ଥ ରୋଜଗାର କରୁଥିଲା।

ସୂଚନାଯୋଗ୍ୟ, ପର୍ଶୁରାମ ବିରୋଧରେ ଏକାଧିକ ଠକେଇ ମାମଲା ରହିଛି। ରଞ୍ଜନ ବିଶ୍ବାଳ, ଚନ୍ଦ୍ରଶେଖର ମୁଦୁଲି ଓ ସୁପ୍ରଜିତ ପାତ୍ରଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତା’ ନାଁରେ ୩ଟି ପୃଥକ୍‌ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର