ଅଧା ଚିକିତ୍ସାରୁ ହସ୍ପିଟାଲ ଛାଡ଼ୁଛନ୍ତି ରୋଗୀ

ଉଜୁଡ଼ିଲା ହର୍ବାଲ ଗାର୍ଡେନ୍, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି, ଛାତ ଉପରେ ସୋଲାର ପ୍ୟାନେଲ୍, ସଂଯୋଗ ନାହିଁ, ହସ୍ପିଟାଲ ଚଳାଇବା କଷ୍ଟକର ହୋଇପଡ଼ିଲାଣି: ଉପ ଅଧୀକ୍ଷକ

ଭୁବନେଶ୍ବର : ବାତ୍ୟା ‘ଫନି’ ଆସିବାର ୩ ଦିନରେ କ୍ୟାପିଟାଲ ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ ଦିଆଗଲା। ହେଲେ ଏହାର ମାତ୍ର ୨ କି.ମି ଦୂରରେ ଥିବା ସରକାରୀ ଆୟୁର୍ବେଦିକ ହସ୍ପିଟାଲକୁ ୫ଦିନ ପରେ ମଧ୍ୟ ବିଜୁଳି ସଂଯୋଗ ମିଳିପାରିନି। ଜରୁରୀ ସେବା ଦେଉ ନ ଥିବାରୁ ଆୟୁର୍ବେଦିକ ହସ୍ପିଟାଲକୁ ଏକପ୍ରକାର ଅଣଦେଖା କରାଯାଉଛି। ଫଳରେ ଆଡମିଟ୍ ହୋଇଥିବା ରୋଗୀ ବିଜୁଳି ଓ ପାଣି ଅଭାବରୁ ଅଧା ଚିକିତ୍ସାରୁ ହସ୍ପିଟାଲ ଛାଡ଼ୁଛନ୍ତି। ତୁରନ୍ତ ବିଜୁଳି ସଂଯୋଗ ଦିଆ ନ ଗଲେ ହସ୍ପିଟାଲରେ ଯେତିକି ରୋଗୀ ଅଛନ୍ତି ସେମାନେ ବି ହସ୍ପିଟାଲ ଛାଡ଼ିଦେବେ।

ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଥିବା ଗଛ ବାତ୍ୟାରେ ଭାଙ୍ଗି ଯିବାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ହସ୍ପିଟାଲର ନିଜସ୍ବ ଡିଜିସେଟ୍‌ ରହିଥିଲେ ହେଁ, ଏହାକୁ ଚଳାଇବା ପାଇଁ ଆବଶ୍ୟକ ଡିଜେଲ ଖର୍ଚ ପାଇଁ ଅର୍ଥ ନାହିଁ। ହସ୍ପିଟାଲର ଅଧିକାରୀ ନିଜ ଖର୍ଚରେ ଡିଜେଲ କିଣି ଜେନେରେଟର ଚଳାଉଛନ୍ତି। ଦିନରେ ୨ଘଣ୍ଟା ଓ ରାତିରେ ୪ଘଣ୍ଟା ଜେନେରେଟର୍‌ ଚାଲୁଛି। ତେଣୁ ହସ୍ପିଟାଲରେ ବାତ୍ୟା ପରବର୍ତୀ ଦିନଗୁଡ଼ିକରେ ବିଜୁଳି ଓ ପାଣି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆୟୁଷ ନିର୍ଦେଶାଳୟ କିମ୍ବା ସରକାର ଆୟୁର୍ବେଦିକ ଚିକିତ୍ସାଳୟକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ସଂଧ୍ୟା ହେଲେ ଅନ୍ଧାର ମାଡ଼ି ବସୁଛି। ହସ୍ପିଟାଲରେ ଆଡମିଟ୍ ହୋଇଥିବା ଜଣେ ରୋଗୀଙ୍କ କହିବା କଥା, ବାତ୍ୟା ପରେ ବିଜୁଳି ନ ଥିବାରୁ ଠିକ୍‌ରେ ଚିକିତ୍ସା ସମ୍ଭବ ହେଉନାହିଁ। ପାଣି ବଡ଼ ସମସ୍ୟା ପାଲଟିଛି। ଦିନରେ ଅସହ୍ୟ ଗରମ ଯୋଗୁଁ ହସ୍ପିଟାଲରେ ରହିବା ଅସମ୍ଭବ ହୋଇ ପଡ଼ିଲାଣି। ତେଣୁ ତୁରନ୍ତ ବିଜୁଳି ସଂଯୋଗ ନ ହେଲେ ଡିସଚାର୍ଜ ହେବାକୁ ବାଧ୍ୟ ହେବୁ ବୋଲି ରୋଗୀ କହିଛନ୍ତି। ବାତ୍ୟା ପୂର୍ବରୁ ହସ୍ପିଟାଲରେ ୨୫ରୁ ଅଧିକ ରୋଗୀ ଆଡମିଟ୍‌ ହୋଇଥିବା ବେଳେ ବହୁ ସଂଖ୍ୟାରେ ରୋଗୀ ହସ୍ପିଟାଲ ଛାଡ଼ିବା ଯୋଗୁଁ ଏବେ ୧୦ରୁ ମଧ୍ୟ କମ୍ ରୋଗୀ ହସ୍ପିଟାଲରେ ରହିଛନ୍ତି।

ଉଜୁଡ଼ିଲା ହର୍ବାଲ ଗାର୍ଡେନ୍

ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପରିସରରେ ଥିବା ହର୍ବାଲ ଗାର୍ଡେନ୍ ବାତ୍ୟାରେ ଉଜୁଡ଼ି ଯାଇଛି। ବଗିଚାରେ ଥିବା ଚନ୍ଦନ, ଅଶୋକ, ଅର୍ଜୁନ, ବେଲ, ନିମ୍ବ, ଲୋଧ୍ରା ଓ ଗୁଗୁଳ ଭଳି ୩ଶହରୁ ଅଧିକ ଔଷଧୀୟ ଗଛ ଭାଙ୍ଗି ଯାଇଛି। ଅନେକ ଗଛ ଅଧା ଉପୁଡ଼ ରହିଛି। ତେବେ ହସ୍ପିଟାଲର ହର୍ବାଲ ଗାର୍ଡେନ୍‌କୁ ସ୍ବତନ୍ତ୍ରଭାବେ ପାଣି ସଂଯୋଗ ନାହିଁ। ଯାହାଫଳରେ ଏବେ ପାଣି ଆବଶ୍ୟକ କରୁଥିବା ଗଛଗୁଡ଼ିକୁ ପାଣି ଦେବା ସମ୍ଭବ ହେଉନାହିଁ। ତେଣୁ ହର୍ବାଲ ଗାର୍ଡେନ୍ ପାଇଁ ସ୍ବତନ୍ତ୍ରଭାବେ ବୋରିଂ ପ୍ରସ୍ତୁତ କରିବା ଜରୁରୀ ହୋଇ ପଡ଼ିଛି।

ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
‘ଫନି’ ଯୋଗୁଁ ସରକାରୀ ଆୟୁବର୍ଦେକି ହସ୍ପିଟାଲରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ପଞ୍ଚକର୍ମ, ଫାର୍ମାସି, ପାଥୋଲୋଜିର କାଚ ଭାଙ୍ଗି ଯାଇଛି। ହସ୍ପିଟାଲରେ ୩ଶହ ଫୁଟ୍‌ର ପାଚେରି ମଧ୍ୟ ଭାଙ୍ଗି ଯାଇଛି। ବିଜୁଳି ଅଭାବରୁ ଯନ୍ତ୍ରପାତି ଜରିଆରେ ହେଉଥିବା ପଞ୍ଚକର୍ମ ଚିକିତ୍ସା ବନ୍ଦ ହୋଇଯାଇଛି। ପାଥୋଲୋଜିରେ ମଧ୍ୟ କୌଣସି ପ୍ରକାର ପରୀକ୍ଷା ହୋଇପାରୁ ନାହିଁ। ହସ୍ପିଟାଲରେ ପ୍ରାୟ ୫୬ଲକ୍ଷ ୪୪ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

ଛାତ ଉପରେ ସୋଲାର ପ୍ୟାନେଲ୍, ସଂଯୋଗ ନାହିଁ
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଛାତ ଉପରେ ୧୧.୫ କିଲୋୱାଟ୍‌ର ସୋଲାର ପ୍ୟାନେଲ୍‌ ରହିଛି। ଗତବର୍ଷ ଏପ୍ରିଲ ମାସରେ ଏନେଇ ହସ୍ପିଟାଲ ସହିତ ଚୁକ୍ତିନାମା ମଧ୍ୟ ହୋଇଛି। ମାତ୍ର ଏଥିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ କିନ୍ତୁ ହସ୍ପିଟାଲର କୌଣସି କାମରେ ଲାଗୁନାହିଁ। ବିଦ୍ୟୁତ୍ ସିଧାସଳଖ ଜିଇଡି ନେଉଥିବା ବେଳେ ବାତ୍ୟା ଭଳି ଜରୁରୀ ପରିସ୍ଥିତିରେ ମଧ୍ୟ ହସ୍ପିଟାଲକୁ ଏଥିରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। ଯାହାଫଳରେ ହସ୍ପିଟାଲ ସୋଲାର ପ୍ୟାନେଲ୍‌ରୁ କୌଣସି ପ୍ରକାର ଲାଭ ପାଉନାହିଁ।

ହସ୍ପିଟାଲ ଚଳାଇବା କଷ୍ଟକର ହୋଇପଡ଼ିଲାଣି: ଉପ ଅଧୀକ୍ଷକ
ବାତ୍ୟା ପରେ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ହସ୍ପିଟାଲ ଚଳାଇବା ଦିନକୁ ଦିନ କଷ୍ଟକର ହୋଇପଡ଼ୁଥିବା କହିଛନ୍ତି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ(ଭାରପ୍ରାପ୍ତ) ଡା.ଧନେଶ୍ବର ବଳିୟାରସିଂହ କହିଛନ୍ତି। ଜେନେରେଟର ଚଳାଇବା ପାଇଁ ହସ୍ପିଟାଲର ନିଜସ୍ବ ଅର୍ଥ ନ ଥିବାରୁ ନିଜ ପକେଟ୍‌ରୁ ଏବେ ଡିଜେଲ କିଣି ହସ୍ପିଟାଲ ଚାଲୁଛି। ଗତକାଲି ଆୟୁଷ ନିର୍ଦେଶକ ହସ୍ପିଟାଲ ପରିଦର୍ଶନ କରିବା ସହିତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ପାଇଁ କହିଛନ୍ତି। ତୁରନ୍ତ ବିଜୁଳି ସଂଯୋଗ କରାଯିବାର ଆବଶ୍ୟକତା ରହିଛି ବୋଲି ଡା.ବଳିୟାରସିଂହ କହିଛନ୍ତି।

ସମ୍ବନ୍ଧିତ ଖବର