ଚଉଷଠୀ ଯୋଗିନୀ ପୀଠରେ ଥିବା ଭଗ୍ନ ମୂର୍ତ୍ତି ପ୍ରସଙ୍ଗ : ପ୍ରତ୍ନତତ୍ତ୍ୱ ଟିମ୍‌ର ଅନୁଧ୍ୟାନ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠରେ ଗତ ୪ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଦେବୀ ପ୍ରତିମୂର୍ତ୍ତି ଚିହ୍ନଟକୁ ନେଇ କେନ୍ଦ୍ରୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଭୁବନେଶ୍ୱର ମଣ୍ଡଳ, ଏଏସ୍‌ଆଇ) ପକ୍ଷରୁ ଏବେ ଜୋରଦାର୍‌ କସରତ ଆରମ୍ଭ ହୋଇଯାଇଛି। ଏଭଳି ଏକ ବିରଳ ଐତିହ୍ୟ ସଂପନ୍ନ ଦେବୀ ମୂର୍ତ୍ତି ପୀଠସ୍ଥଳରେ ସ୍ଥାପନ କରା ନଯାଇ ଭଣ୍ଡାର ଘରେ ପଡ଼ିରହିବା ବିରୋଧରେ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଦୃଢ଼ ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ପରେ ଯାଇ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚେତା ପଶିଛି। ଅଧୀକ୍ଷଣ ପୁରାତତ୍ୱବିଦ୍‌ ହେମ୍‌ ସାଗର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୬ ଜଣିଆ ପ୍ରତିନିଧିଦଳ ଚଉଷଠୀ ଯୋଗିନୀ ପୀଠରେ ପହଞ୍ଚି ସଂରକ୍ଷିତ ଥିବା ଏହି ମୂର୍ତ୍ତି ବିଷୟରେ ଅନୁଧ୍ୟାନ କରିଛନ୍ତି।

ପୀଠ ପରିସରରେ ଥିବା ଷ୍ଟୋର ରୁମ୍‌ ଖୋଲି ଭଗ୍ନ ଅବସ୍ଥାରେ ଏକ ଅଖାରେ ବନ୍ଧା ହୋଇ ରହିଥିବା ଉକ୍ତ ଦୁର୍ଲ୍ଲଭ ମୂର୍ତ୍ତିକୁ ଖୋଲି ଅତି ନିରୀକ୍ଷଣ କରାଯାଇଥିଲା। ପୂର୍ବରୁ ମୂର୍ତ୍ତି କେଉଁଠାରେ ସ୍ଥାନିତ ହୋଇ ପୂଜାର୍ଚ୍ଚନା ହେଉଥିଲା ଏବଂ କେବେ କେଉଁ ଅବସ୍ଥାରେ ଭଣ୍ଡାର ଘରେ ରଖାଗଲା ସେ ବିଷୟରେ ଗ୍ରାମବାସୀ ତଥା ପୀଠ ପରିଚାଳନା କମିଟି କର୍ମକର୍ତାଙ୍କୁ ଟିକିନିଖି ପଚାରି ତଥ୍ୟ ସଂଗ୍ରହ କରିଥିଲେ। ଏଥିସହିତ ମୂର୍ତ୍ତିର ଭଗ୍ନ ଅଂଶକୁ ମଧ୍ୟ ଭଲ କରି ଦେଖିଥିଲେ। ହେଲେ ଏହା କେଉଁ ଦେବୀଙ୍କ ପ୍ରତିମୂର୍ତ୍ତି ସେ ବିଷୟରେ ସ୍ଥାନୀୟ ଲୋକ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ କୌଣସି ମନ୍ତବ୍ୟ ଦେଇ ନଥିଲେ। ମୂର୍ତ୍ତିର ଐତିହ୍ୟ ସଂପର୍କରେ ଅଧିକ ଗବେଷଣା ଚାଲିଛି, ସବୁ ତଥ୍ୟପ୍ରମାଣକୁ ଆଧାର କରି ଦାୟିତ୍ୱରେ ଥିବା ଏହି ଅଧିକାରୀଙ୍କ ରିପୋର୍ଟ ଏହି ଦେବୀ ମୂର୍ତ୍ତି ଚିହ୍ନଟ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହା ମନ୍ଦିର ରକ୍ଷାକର୍ତ୍ରୀ ଚାରିଣୀ ଦେବୀଙ୍କ ପ୍ରତିମୂର୍ତ୍ତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଦୀର୍ଘବର୍ଷ ଧରି ମୂର୍ତ୍ତି ଚଣ୍ଡୀମଣ୍ଡପରେ ରହି ପୂଜାର୍ଚ୍ଚନା ହେଉଥିଲା। ବର୍ତମାନ ମହାମାୟାଙ୍କ ନିକଟରେ ମୂର୍ତ୍ତିର ଫଟୋ ରଖି ପୂଜା ଚାଲିଛି। ହେଲେ ଏହି ପ୍ରତିମୂର୍ତ୍ତି ତଦନ୍ତରେ ଆସିଥିବା ଅଧିକାରୀମାନେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଭାଙ୍ଗିଯାଇଥିବା ଉକ୍ତ ମୂର୍ତ୍ତିଟିକୁ ୨୦୧୩ରୁ ଭଣ୍ଡାର ଘରେ ରଖାଯାଇଥିବା ପୂଜକ ଏବଂ ସେବାୟତମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୂର୍ତ୍ତି ରହସ୍ୟ ଏବଂ ଚିହ୍ନଟ ସଂପର୍କରେ ଜାଣିବା ପାଇଁ ସବୁମହଲରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ମୂର୍ତ୍ତିର ସଂରକ୍ଷଣ ଓ ନିର୍ଦିଷ୍ଟ ସ୍ଥାନରେ ପୁନର୍ବାର ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ନିର୍ଦ୍ଦେଶକ ଏ କେ ପଟେଲ (ମନୁମେଣ୍ଟ), ରାଜ୍ୟ ଅଧୀକ୍ଷଣ ପୁରାତତ୍ତ୍ୱବିଦ୍‌ ବି କେ ରଥ, ଡ. ଜୀବନ କୁମାର ପଟ୍ଟନାୟକ (ଅବସରପ୍ରାପ୍ତ ), ଉତ୍‌ଖନନ ଶାଖା (୪ ) ର ମୁଖ୍ୟ ଡ. ଦୀପିସଦ୍‌ ଗଡ଼ନାୟକ ପ୍ରମୁଖ ଏଥିରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର