୫ ଜିଲ୍ଲାରେ ଖୋଲିଲା‌ ଚିଲ୍‌ଡ୍ରେନ୍‌ସ୍‌ କୋର୍ଟ: ଚାଇଲ୍ଡ ଫ୍ରେଣ୍ଡ୍‌ଲି ହେବ ମହିଳା ଥାନା, ସରକାର ଦେଲେ ସ୍ବୀକୃତି

ଭୁବନେଶ୍ୱର: ଚାଇଲ୍ଡ ଫ୍ରେଣ୍ଡ୍‌ଲି ହେବ ଭୁବନେଶ୍ବରର ମହିଳା ଥାନା। ସରକାର ଏନେଇ ସ୍ବୀକୃତି ପ୍ରଦାନ କରିଛନ୍ତି। ସ୍ବୀକୃତି ମିଳିବା ପରେ ମହିଳା ଥାନାରେ ନିର୍ମାଣ କାମ ଆରମ୍ଭ ହୋଇଛି। କେବଳ କମିସନରେଟ୍‌ ପୁଲିସ ଅଧୀନ‌ରେ ନୁହେଁ ବରଂ ସମଗ୍ର ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଏକ ବ୍ୟବସ୍ଥା ହେବାକୁ ଯାଉଛି। ଦୀର୍ଘ ଦିନ ଧରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏ ନେଇ ତାଗିଦ୍‌ କରି ଆସୁଥିଲେ। ନିକଟ ଅତୀତରେ ମହିଳା ଥାନା ଇନ୍‌ସ୍‌ପେକ୍ଟର ଭାବରେ ଯୋଗଦେବା ପରେ ବନିତା ମହାରଣା ସରକାରଙ୍କୁ ଏ ବାବଦରେ ସୁପାରିସ କରିଥିଲେ। ସରକାର ସ୍ବୀକୃତି ଦେବା ପରେ କାର୍ଯ୍ୟ ଆରମ୍ଭ ହେବା ସହ ଓଡ଼ିଆ ନୂଆବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

ଶ୍ରମିକ ଭାବରେ କାମ କରୁଥିବା ଶିଶୁ ବା ଅନ୍ୟ କୌଣସି ସ୍ଥାନରୁ ଅବହେଳିତ ଅବସ୍ଥାରେ ଉଦ୍ଧାର ହେଉଥିବା ଶିଶୁ ଏହି ଚାଇଲ୍ଡ ଫ୍ରେଣ୍ଡ୍‌ଲି ଥାନାକୁ ଆସି‌ବେ। ସେମାନଙ୍କୁ ଏଠାରେ ହିଁ କାଉନସେଲିଂ କରାଯିବ। ସେମାନେ ଯେଭଳି ଏହାକୁ ଥାନା ବୋଲି ନ ଭାବିବେ, ସେଭଳି ପରିବେଶ ସୃଷ୍ଟି କରାଯିବ। ଏଠାରେ ଖେଳଣା ରହିବା ସହ ପରିବେଶକୁ ଶିଶୁମନସ୍କ କରାଯିବ। ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀ ରହିବା ସହ ଘର ଭଳି ଆଚରଣ ପ୍ରଦର୍ଶନ କରିବେ। ଏଥିପାଇଁ ମହିଳା ଥାନା ପରିସରରେ ଏକ ଘର ନିର୍ମାଣ ଆରମ୍ଭ ହୋଇଛି। ତେବେ କେବଳ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ବା ଅବହେଳିତ ଶିଶୁ ନୁହନ୍ତି, ବରଂ ଆଇନ ସହ ଦ୍ବନ୍ଦ୍ବରେ ପଡ଼ୁଥିବା ନାବାଳକ ଓ ନାବାଳିକାଙ୍କୁ ମଧ୍ୟ ଏଠାରେ କାଉନସେଲିଂ କରାଯାଇପାରିବ। ସେହିଭଳି ବିଭିନ୍ନ ସମୟରେ ମହିଳା ଅଭିଯୋଗକାରୀ ଥାନାକୁ ଆସୁଛନ୍ତି। ମା’ ସହ ଥାନାରେ ବସିବା ଦ୍ବାରା ଶିଶୁ ଉପରେ କୁ-ପ୍ରଭାବ ପଡ଼ୁଛି। ତେଣୁ ଏହି ଚାଇଲ୍ଡ ଫ୍ରେଣ୍ଡ୍‌ଲି ବ୍ୟବସ୍ଥା ଫଳପ୍ରଦ ହେବ। ଏଥିପାଇଁ ଦୀର୍ଘ ଦିନରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତାଗିଦ୍‌ କରି ଆସୁଥିଲା। ସେହିଭଳି ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଅସଦାଚରଣର ଶିକାର ହୋଇ କୋର୍ଟକୁ ଯାଉଥିବା ନାବାଳିକାଙ୍କ ପାଇଁ ସରକାର ଚିଲ୍‌ଡ୍ରେନ୍‌ସ୍‌ କୋର୍ଟ ବ୍ୟବସ୍ଥା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ୩ଟି ଜିଲ୍ଲାକୁ କିଶୋର ନ୍ୟାୟ ପାଣ୍ଠିରୁ ୩ଲକ୍ଷ ଲେଖାଏ ଟଙ୍କା ପଠାଇଛନ୍ତି। ଗଜପତି, ନବରଙ୍ଗପୁର, ନୂଆପଡ଼ା, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ ଏହି ଚିଲ୍‌ଡ୍ରେନ୍‌ସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ନିର୍ମାଣ କାର୍ଯ୍ୟ ଚାଲିଛି। ବାକି ରହିଥିବା ଅନ୍ୟ ୧୭ଜିଲ୍ଲାକୁ ଖୁବ୍‌ଶୀଘ୍ର ଅର୍ଥ ପଠାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନିର୍ମାଣ କାର୍ଯ୍ୟ ଧିମା ଚାଲିଥିବା ନେଇ ଅଭିଯୋଗ ହୋଇଛି।

ଏହି ଚିଲ୍‌ଡ୍ରେନ୍‌ସ୍‌ କୋର୍ଟରେ ପୀଡ଼ିତାକୁ ପଚରାଉଚରା ହେବ। ପରିବେଶ ଏଭଳି ହେବ ଯେ ପୀଡ଼ିତା ନାବାଳିକା ବା ଶିଶୁ ଏହାକୁ କୋର୍ଟ ବୋଲି ଭାବିବ ନାହିଁ। ଚାଇଲ୍ଡ ଫ୍ରେଣ୍ଡ୍‌ଲି ଥାନା ଭଳି ଏଠାରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ହେବ। ଶିଶୁଟି ଖେଳିଲା ବେଳେ ତା’ ସହ ଘଟିଥିବା ଘଟଣା ସମ୍ପର୍କରେ ପଚାରି ହେବ। ପୂର୍ବରୁ ପୋକ୍ସୋ କୋର୍ଟରେ ଏହି ପଚରାଉଚରା ବ୍ୟବସ୍ଥା ଥିଲା। ପୋକ୍ସୋ କୋର୍ଟକୁ ହିଁ ଚିଲ୍‌ଡ୍ରେନ୍‌ସ୍‌ କୋର୍ଟରେ ପରିବର୍ତ୍ତନ କରାଯିବ କିମ୍ବା ପାଖରେ ଥିବା ଗୃହକୁ ଏଭଳି ଢଙ୍ଗରେ ସଜାଯିବ। ଦୀର୍ଘ ଦିନରୁ ହାଇକୋର୍ଟଙ୍କ କିଶୋର ନ୍ୟାୟ କମିଟି ଚିଲ୍‌ଡ୍ରେନ୍‌ସ୍‌ କୋର୍ଟ ବ୍ୟବସ୍ଥା କରିବାକୁ ସୁପାରିସ୍‌ କରିଥିଲା। ହେଲେ ଆନ୍ତରିକତା ଅଭାବରୁ ଏହା ହୋଇପାରୁନଥିଲା।

ସମ୍ବନ୍ଧିତ ଖବର