ଶେଷ ହେଲା ‘ଅଞ୍ଜଳି’

ଭୁବନେଶ୍ୱର : ‘ସ୍ୱାଭିମାନ’ ପକ୍ଷରୁ ଗତ ପାଞ୍ଚ ଦିନ ଧରି ସ୍ଥାନୀୟ ଆଦିବାସୀ ପଡ଼ିଆରେ ଚାଲିଥିବା ଆନ୍ତର୍ଜାତୀୟ ଶିଶୁ ମହୋତ୍ସବ ‘ଅଞ୍ଜଳି’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ତତ୍ତ୍ୱାବଧାନରେ ଏକ ନୃତ୍ୟ କର୍ମଶାଳାର ଆୟୋଜିତ ହୋଇଥିଲା। କୁନି କୁନି ପିଲାମାନେ ଶ୍ରୀ ଯୋଶୀଙ୍କ ପାଦରେ ପାଦ ମିଶାଇ ନୃତ୍ୟ ଶିଖିଥିଲେ। ଏହାପରେ ‘ଓଡ଼ିଶା କେନ୍ନାଲ କ୍ଲବ୍‌, ଭୁବନେଶ୍ୱର’ ପକ୍ଷରୁ ‘ପୋଷା କୁକୁର ପ୍ରଦର୍ଶନୀ’ ଆୟୋଜିତ ହୋଇଥିଲା। ପୁଣି ଭଞ୍ଜକଳା ମଣ୍ଡପରେ ହଲିଉଡ୍‌ ଚଳଚ୍ଚିତ୍ର ‘ସ୍ପାଏ କିଡ୍‌ସ’ ପ୍ରଦର୍ଶିତ ହୋଇଥିଲା। ଏଥିରେ ଜାତୀୟ ପୁରସ୍କାର ବିଜେତା ଅମାର୍ତ୍ୟ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ‘ଅଞ୍ଜଳି’ର ଚଳିତ ବର୍ଷର ବିଷୟବସ୍ତୁ ‘ଜିରୋ େଓ୍ଵଷ୍ଟ୍‍’ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। ତେଣୁ ଉତ୍ସବ ପରିସର ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବା ସହ ଆବର୍ଜନା କମାଇବା ତଥା ଏହାର ପୁନଃପ୍ରକ୍ରିୟାକରଣ ଉପରେ ସଚେତନତା ସୃଷ୍ଟି କରାଯିବା ସହ ଅଂଶଗ୍ରହଣକାରୀଙ୍କୁ ଏନେଇ ତାଲିମ ଦିଆଯାଇଥିଲା। ଆଜିର ସଂଧ୍ୟାରେ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର୍‌ ଆର୍‌ ବାଲ୍‌କ୍ରିଷ୍ଣନ୍‌ ଉପସ୍ଥିତ ଥିଲେ। ଏଥିରେ ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ର ଓ ମିହିର ମହାନ୍ତି ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର