ନିଶା କାରବାରରୁ ସାଲିଆ ସାହିରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ବର : ରବିବାର ରାତିରେ ନିଶା କାରବାରକୁ ନେଇ ସାଲିଆସାହିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ପ୍ରାୟ ୫/୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ‌କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରୁ ସନ୍ଦୀପ ନାଥ ନାମକ ଜଣେ ଯୁବକକୁ ଉଠାଇ ନେଇଛି। ଅନ୍ୟମାନେ ଲୁଚାଛପାରେ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ସୂଚନାନୁସାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଉଠିନଥିବାରୁ କିଛି ମଦ ବେପାରୀ ସୁନାମ କ୍ଲବ୍‌ ନିକଟରେ ଚୋରା ବିଦେଶୀ ମଦ ପସରା ଖୋଲି ଦେଇଥିଲେ। କିନ୍ତୁ ପୂର୍ବରୁ ସେଠାରେ ଅନ୍ୟ ଏକ ଗୋଷ୍ଠୀ କାରବାର କରୁଥିଲା। ନୂଆ କରି ମଦ ବେପାର କରୁଥିବା ଗୋଷ୍ଠୀ କିଛି କମ୍ ଦରରେ ମଦ ବିକିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଫଳରେ କଥା କଟାକଟିରୁ ହାତାହାତି ଯାଏ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ବସ୍ତିର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଖଣ୍ଡା ଚୋଟରେ କେତେଜଣ ଆହତ ହୋଇଥିବା ବେଳେ ଲୁହାରଡ୍‌ ମାଡ଼ରେ କେତେଜଣଙ୍କର ମୁଣ୍ଡ ଫାଟିଛି। ଆହତ ହେବା ପରେ ପରେ ସେମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର