ସଫେଇ କର୍ମଚାରୀଙ୍କୁ ମିଳୁନି ନ୍ୟାଯ୍ୟ ପ୍ରାପ୍ୟ

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ପରିମଳ କାର୍ଯ୍ୟର ଠିକାଦାରଙ୍କ ଦ୍ବାରା ନିଯୁକ୍ତ ସଫେଇ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳୁନି। ଶ୍ରମ ବିଭାଗ ଦ୍ବାରା ଧାର୍ଯ୍ୟ ମଜୁରି ବି ପ୍ରଦାନ କରାଯାଉନାହିଁ। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଖୋର୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏଥିପ୍ରତି ଗୁରୁତ୍ବ ଦେଉନି କି ବିଏମ୍‌ସି ଅଧିକାରୀ। ଯେଉଁଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ, ଜୁଲାଇରେ ବିଧା‌ନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଖୋର୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରଣୟନ ଯୋଜନାରୁ ସଫେଇ କର୍ମଚାରୀଙ୍କୁ ବଞ୍ଚିତ କରାଯାଉଛି। ଶ୍ରମ ବିଭାଗ ଦ୍ବାରା ସ୍ଥିର ହୋଇଥିବା ପାରିଶ୍ରମିକ ଦିଆଯାଉନାହିଁ। ଓଡ଼ିଶା ମ୍ୟୁନିସିପାଲ ମାନୁଆଲ ଅନୁଯାୟୀ, ପରିମଳ କର୍ମଚାରୀଙ୍କୁ ପୌର କର୍ମଚାରୀ ଭାବେ ଗ୍ରହଣ କରାଯାଇଛି ସତ, ମାତ୍ର ସେମାନଙ୍କୁ ଠିକାଦାରଙ୍କ ମାଧ୍ୟମରେ ନିୟୋଜିତ କରାଯାଇଛି। ସ୍ବଚ୍ଛ ଭାରତ ମିସନ୍‌କୁ ସଫଳ ରୂପାୟନ କରୁଥିବା ଏହି କର୍ମଚାରୀଙ୍କୁ ବାରମ୍ବାର ଅଣଦେଖା କରାଯାଉଛି।

ଠିକା ସଂସ୍ଥା ଦ୍ବାରା ହେଉଛନ୍ତି ଶୋଷଣର ଶିକାର
ଅଭିଯୋଗ ଶୁଣୁନି ଶ୍ରମ କାର୍ଯ୍ୟାଳୟ, ବିଏମସି

ଠିକାଦାରଙ୍କ ଦ୍ବାରା ଚଞ୍ଚକତାର ଶିକାର ହେଉଛନ୍ତି। ଶୋଷଣ ଓ ଅତ୍ୟାଚାରିତ ମଧ୍ୟ ହେଉଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଆଇନ ଅନୁଯାୟୀ, ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଅଣକୁଶଳୀ ମାନ୍ୟତା ପାଇଛନ୍ତି। ମାତ୍ର ସେହି ଅନୁଯାୟୀ ଦରମା ପାଉନାହାନ୍ତି। ଠିକାଦାରମାନେ ଫାଇଦା ନେଉଛନ୍ତି। ବିଏମ୍‌ସି ଦ୍ବାରା ନିୟୋଜିତ ଠିକା ସଂସ୍ଥାଗୁଡ଼ିକ ଶ୍ରମ ଆଇନର ଉଲ୍ଲଂଘନ କରୁଛନ୍ତି। ନିୟୋଜିତ ହୋଇଥିବା ମହିଳା ଓ ପୁରୁଷମାନଙ୍କୁ ଦୈନିକ ଧାର୍ଯ୍ୟ ମଜୁରି ହାରଠାରୁ କମ୍‌ ଦେଉଛନ୍ତି। ଶ୍ରମ ଆଇନର ନିୟମାବଳୀ ଅନୁଯାୟୀ, କର୍ମଚାରୀଙ୍କ ଦୈନିକ ମଜୁରି ଅନୁପାତର ୧୩% ଇପିଏଫ୍‌ ଓ ୩.୨୫% ଇଏସ୍‌ଆଇରେ ପଇଠ କରିବା ବାଧ୍ୟତାମୂଳକ। ହେଲେ ତାହାକୁ ପାଳନ କରାଯାଉ ନାହିଁ। ବିଏମ୍‌ସି ଦ୍ବାରା ନୂତନ ଭାବେ ନିୟୋଜିତ ଠିକା ସଂସ୍ଥାଗୁଡ଼ିକ ଶ୍ରମ ଆଇନକୁ ଆଖିଠାର ମାରି ନିୟୋଜିତ କର୍ମଚାରୀଙ୍କୁ ଶୋଷଣ କରୁଛନ୍ତି।

ଏ ସମ୍ପର୍କରେ ଗତ ୨ ତାରିଖରେ ଖୋର୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ସହାୟତାରେ ବିଏମ୍‌ସିରେ କାର୍ଯ୍ୟରତ କର୍ମଚାରୀମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଶ୍ରମ ଆଇନ ଅନୁଯାୟୀ ମଜୁରି ପ୍ରଦାନ ସହ ପ୍ରତି ମାସ ୧ରୁ ୭ ମଧ୍ୟରେ ଦରମା ପ୍ରଦାନ, ମହିଳା ଶ୍ରମ ଆଇନ ଅନୁଯାୟୀ ମହିଳା ଶ୍ରମିକଙ୍କୁ ପ୍ରସୂତିକାଳୀନ ସହାୟତା, ପାରିଶ୍ରମିକ ସହ ଛୁଟି ପ୍ରଦାନ, ବିନା କାରଣରେ ଠିକାଦାରମାନେ କର୍ମଚାରୀଙ୍କୁ ଛଟେଇ ବନ୍ଦ କରିବା ସମ୍ପର୍କରେ ଅବଗତ କରାଯାଇଥିଲା। ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ବି ଦାବି ହୋଇଥିଲା। ଇତି ମଧ୍ୟରେ ମାସେ ବିତିବାକୁ ବସିଥିଲେ ମଧ୍ୟ କେହି ବି ପଦକ୍ଷେପ ନେଇନାହାନ୍ତି।

ସମ୍ବନ୍ଧିତ ଖବର