କମିସନରେଟ୍‌ ପୁଲିସ ହାତରେ ଲ୍ୟାପ୍‌ଟପ୍ ଚୋର ଗ୍ୟାଙ୍ଗ୍‌

ଭୁବନେଶ୍ୱର: ଆନ୍ତଃଜିଲ୍ଲା ଗାଡ଼ି ଚୋର ରୢାକେଟ୍‌, ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଓ ବନ୍ଧୁକ କାରଖାନା ଠାବ କରିବା ପ୍ରଭୃତି ଅନେକ ସଫଳତା ପରେ କମିସନରେଟ୍‌ ପୁଲିସ ଆଉ ଏକ ବଡ଼ ଅପରାଧ ଉପରୁ ପର୍ଦ୍ଦାଫାସ୍‌ କରିବାକୁ ଯାଉଛି। ପୁଲିସ ହାତରେ ଏକ ଆନ୍ତଃଜିଲ୍ଲା ଲ୍ୟାପ୍‌ଟପ୍‌ ଲୁଟେରା ଧରା ପଡ଼ିଛି। ତା’ ନାମରେ ବିଭିନ୍ନ ଥାନାରେ ଏହି ଲ୍ୟାପ୍‌ଟପ୍‌ ଚୋରିକୁ ନେଇ ଏକାଧିକ ମାମଲା ରହିଛି। ପାଖାପାଖି ୧୫ ଲ୍ୟାପ୍‌ଟପ୍‌ ଚୋରି ନେଇ ଅଭିଯୋଗ ରହିଥିବା ବେଳେ ପୁଲିସ ତା’ଠାରୁ ୭ରୁ ୮ ଲ୍ୟାପ୍‌ଟପ୍‌ ଜବତ କରିବାକୁ ଯୋଜନା କରିଛି। ତାକୁ ଧରି ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରାୟ ୧୨ଟି ସ୍ଥାନରେ ପୁଲିସ ଚଢ଼ଉ କରିସାରିଛି। ଅଭିଯୁକ୍ତର ବୟାନକୁ ଆଧାର କରି ଆହୁରି ଏକାଧିକ ସ୍ଥାନରେ ଚଢ଼ଉ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ସବୁ ଚୋରା ଲ୍ୟାପ୍‌ଟପ୍‌କୁ କିଣିଥିବା କେତେକ ଗ୍ରାହକ ମଧ୍ୟ ଫସିବାକୁ ଯାଉଛନ୍ତି। କେତେକ ଗ୍ରାହକଙ୍କୁ ମଧ୍ୟ ଠାବ କରାଯାଇଛି। କେତେକ ଗ୍ରାହକଙ୍କ ପାଖରୁ ଲ୍ୟାପ୍‌ଟପ୍‌ ଜବତ ହୋଇ ପାରି ନଥିବାରୁ ସମ୍ପୃକ୍ତ ଗ୍ରାହକ ଖସି ଯାଇଛନ୍ତି। ତେବେ ସେମାନେ ଆଉ କାହାକୁ ବିକି ଦେଇଥିବା ପୁଲିସ ସନ୍ଦେହ କରୁଛି। ସେ ଦିଗ‌ରେ ମଧ୍ୟ ତଦନ୍ତ କରାଯାଉଛି। ଏଭଳି ଜଣାପଡ଼ିଲେ ସମ୍ପୃକ୍ତ ଗ୍ରାହକମାନଙ୍କୁ ମଧ୍ୟ ଗିରଫ କରାଯିବାକୁ ଚିନ୍ତା କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପ୍ରଥମେ ଲକ୍ଷ୍ମୀସାଗର ଥାନା‌ ଅଧୀନରେ ଏକ ଅଫିସ୍‌ରୁ ଲ୍ୟାପ୍‌ଟପ୍‌ ଚୋରି ହୋଇଥିଲା। ସିସିଟିଭିରୁ ମିଳିଥିବା ତଥ୍ୟ ମୁତାବକ ଚୋର ଅଫିସକୁ ଆସି କିଛି ସମୟ ବସିବା ପରେ କେହି ନଥିବା ଦେଖି ଲ୍ୟାପ୍‌ଟପ୍‌ ଧରି ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ପରେ ସହିଦ୍‌ ନଗର ଥାନା ଅଧୀନରେ ଜଣେ ବ୍ୟକ୍ତିଙ୍କଠାରୁ ଏଭଳି ଢଙ୍ଗରେ ସେ ଚୋରି କରିଥିଲା। ପୂର୍ବରୁ ନୟାପଲ୍ଲୀ ଥାନାରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଥିଲା। ଗୋଟିଏ ପରେ ଗୋଟିଏ ଲ୍ୟାପ୍‌ଟପ୍‌ ବିଭିନ୍ନ ଅଞ୍ଚଳରୁ ସମାନ ଢଙ୍ଗରେ ଚୋରି ହେବା ପରେ ପୁଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ଶେଷରେ ଏକ ଟିମ୍‌ ଗଠନ କରାଯାଇ ଏହି ଲ୍ୟାପ୍‌ଟପ୍‌ ଚୋରକୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଜାଲ ବିଛାଇଥିଲା। ପୁଲିସ ଯୋଜନାର ପ୍ରାୟ ୧୦ ଦିନ ପରେ ସହିଦନଗର ଥାନା ପୁଲିସ ହାତରେ ସେ ଧରାପଡ଼ିଥିଲା। ଅନେକ ଲ୍ୟାପ୍‌ଟପ୍‌ ସେ କଲେଜ୍‌ ଛାତ୍ରଙ୍କର ଚୋରି କରିଥିଲା‌। କେତେକ ଜାଗାରେ ଚୋରି ବେଳେ ଧରାପଡ଼ି ମାଡ଼ ମଧ୍ୟ ଖାଇଥିଲା। ଏବେ ସେ ପୁଲିସ ହେପାଜତ୍‌ରେ ରହିଛି। ଖୁବ୍‌ଶୀଘ୍ର ତାକୁ ଏକାଧିକ ଲ୍ୟାପ୍‌ଟପ୍‌ ସହ ଗିରଫ କରାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର