ସମ୍ ହସ୍ପିଟାଲ୍‌ରେ ଅଗ୍ନାଶୟ କର୍କଟର ଜଟିଳ ଅସ୍ତ୍ରୋପଚାର

ଖଣ୍ଡଗିରି: ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରାଯାଇଛି। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା। ଯାହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ମଧ୍ୟ ଜଡ଼ିତ ଥିଲା। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ରୋଗୀର ଅସ୍ତ୍ରୋପଚାର କରିଥିଲେ। ମାତ୍ର ୬ ମାସ ବଞ୍ଚିବାର ସମ୍ଭାବନା ଥିବାରୁ ଏଭଳି ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଅସ୍ତ୍ରୋପଚାର କରାଯାଏ ନାହିଁ। ତେବେ ଏଭଳି କ୍ଷେତ୍ରରେ ଆପେଲ୍‌ବି ପ୍ରୋସିଡ୍ୟୁୟର୍ ନାମକ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଥାଏ।

ଏଭଳି ଅସ୍ତ୍ରୋପଚାରରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ସମ୍ଭାବନା ରହିଥିବା ବେଳେ ଏହି ରୋଗୀ କିନ୍ତୁ ୩ ଦିନ ଆଇସିୟୁରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ଜେନା କହିଛନ୍ତି।ଏହି ଅସ୍ତ୍ରୋପଚାର ଟିମ୍‌ରେ ଡା. ଜେନାଙ୍କ ସହିତ ଡା. ସନ୍ତୋଷ ସିଂହ, ଡା. ଅନିତା, ପ୍ରଫେସର ଏସ୍‌.ଏସ୍ ମହାପାତ୍ର, ଆସୋସିଏଟ୍ ପ୍ରଫେସର ସୁମିତ ମହାନ୍ତି, ଡା. ଲଲାଟେନ୍ଦୁ ମହାରଣା, ଡା. ସଂଗ୍ରାମ କେଶରୀ ବେହେରା, ଡା. ସସ୍ମିତା ପାଣିଗ୍ରାହୀ ଏବଂ ଡା. ରୁପନ୍ୱିତା ବିଶ୍ୱାଳ ପ୍ରମୁଖ ଟିମ୍‌ରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର