ଭୁବନେଶ୍ବର : ‘ଗତବର୍ଷର ଲୁହ ଶୁଖିନି। ପୁଣି ମାଡ଼ି ଆସିଲାଣି ନିଉଛଣା କରୋନା । ଜୀବନ ନେଇଯାଆନ୍ତା କି! ସବୁ ସରିଯାଆନ୍ତା। ଖାଲି କନ୍ଦେଇ କନ୍ଦେଇ ମାରୁଛି ଏ ନିଆଁଲଗା ରୋଗ। ଲୋକଙ୍କ କାମ ଛଡ଼ାଇ ନେଉଛି, ରୋଜଗାର ବନ୍ଦ କରି ଦଉଛି, ପୁଣି ଇଚ୍ଛା ନଥିଲେ ବି ପର ପାଖରେ ହାତ ପାତିବାକୁ ବାଧ୍ୟ କରୁଛି।’ ମହାମାରୀ କରୋନାର ଭୟାବହତାକୁ ଦେଖି ବିମର୍ଷ ଓ ବିବଶ ହୋଇ ପଡ଼ୁଥିବା ପାନ ଦୋକାନୀ ଚାନ୍ଦ ମାଉସୀର ଏହା ହେଉଛି ବେଦନାସିକ୍ତ କଥା।
Sambad is now on WhatsApp
Join and get latest news updates delivered to you via WhatsApp
ପଟିଆସ୍ଥିତ କର୍ଲଅନ୍ କମ୍ପାନି ନିକଟରେ ରହିଛି ଚାନ୍ଦ ମାଉସୀର ପାନ ଦୋକାନ। ବୟସ ୭୫ ବର୍ଷ। ଆଖିକୁ ଆଉ ଭଲ ଭାବେ ଦେଖାଯାଉନାହିଁ। କିନ୍ତୁ ଏଇ ବୟସରେ ବି ଚାନ୍ଦ ମାଉସୀ ଜୀବନ ଯୁଦ୍ଧରେ ହାରି ଯାଇନାହିଁ। ସ୍ବାମୀଙ୍କ ପରଲୋକ ପରେ ଦାରୁଠେଙ୍ଗ ଗାଁରୁ ସେ ପଳାଇ ଆସିଥିଲେ ରାଜଧାନୀକୁ। ଘରର ଆର୍ଥିକ ସମସ୍ୟା ପାଇଁ ସେ ପୁଅ ଝିଅ କାହା ଉପରେ ବୋଝ ହୋଇ ନାହାନ୍ତି। ଦୀର୍ଘ ୩୦ ବର୍ଷ ହେଲା ସେ ପାନ ଦୋକାନ କରି ନିଜ ପେଟ ପୋଷୁଛନ୍ତି। ଛୋଟିଆ କ୍ୟାବିନ୍ଟିରେ ବସି ଦିନ କାଟୁଛନ୍ତି ଚାନ୍ଦ ମାଉସୀ। ଗତବର୍ଷ କରୋନା କଥା ମନେ ପକାଇ ଦୁଃଖରେ ଏମିତି ବାହୁନି ହୁଅନ୍ତି ଚାନ୍ଦ ମାଉସୀ। ଲକ୍ଡାଉନ୍, ସଟ୍ଡାଉନ୍ ହେଲା। ବଜାର ହାଟ ବନ୍ଦ ହୋଇଗଲା। ସରକାର ଆଗ ପାନ ଗୁଟ୍ଖା ବନ୍ଦ କଲେ। ସେହିଭଳି ପାନ ଦର ବି ବଢ଼ିଗଲା। ମସଲା କଳାବଜାରି ହେଲା। ପାନଖଣ୍ଡକ ୫ଟଙ୍କା ହୋଇଗଲା। ଗୁଟ୍ଖା ବି କଳାବଜାରି ହେଲା। ଗୋଟାକୁ ୧୦ ଟଙ୍କା ପଡ଼ିଲା। ତେଣୁ ଲୋକେ ଦରକୁ ଡରି ସେସବୁ ଖାଇବା କମାଇଦେଲେ। ପୁଣି କିଛି ଲୋକ ବି କରୋନାକୁ ଡରି ପାନ ଗୁଟ୍ଖା ଖାଇବା ବନ୍ଦ କରିଦେଲେ। ତେଣୁ ହଠାତ୍ ତାଙ୍କ ରୋଜଗାର ବନ୍ଦ ହୋଇଗଲା। ପର ଉପରେ ବୋଝ ହେବେ ନାହିଁ ବୋଲି ପଣ କରିଥିବା ଚାନ୍ଦ ମାଉସୀ ଶେଷରେ ଝିଅକୁ ଆଶ୍ରା କରି ବଞ୍ଚିଲେ। କିନ୍ତୁ ସ୍ବାଭିମାନ ତାଙ୍କୁ ବହୁ ବାଧା ଦେଇଥିଲା। କେବଳ ପେଟର ଭୋକ ମେଣ୍ଟାଇବାକୁ ସେ ଝିଅ ଉପରେ ବୋଝ ହେଲେ।
ଆଉ ଏକ ଦୁଃଖର କଥା ହେଉଛି ଗତବର୍ଷ ସରକାର ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଲେ। ମାତ୍ର ଏହି ସରକାରୀ ସୁବିଧାରୁ ତାଙ୍କୁ ବଞ୍ଚିତ ହେବାକୁ ପଡ଼ିଲା। ବାବୁମାନଙ୍କୁ ଗୋଡ଼ାଇ ପାରିଲେନି ବୋଲି ତାଙ୍କ କଥା କାହା କାନରେ ପଡ଼ିଲା ନାହିଁ। ଚାନ୍ଦ ମାଉସୀ କହନ୍ତି, ଏବେ ପୁଣି ସେହି ଦଶା ଆସିଲାଣି। କମ୍ପାନି ଆଜି ଚାଲିଛି। ଶ୍ରମିକମାନେ ଚଳପ୍ରଚଳ ହେଉଛନ୍ତି। ପାନ ଗୁଟ୍ଖା କିଛି ବିକ୍ରିବଟା ହେଉଛି। ଆଗରୁ ଦୈନିକ ୫ ଶହ ରୁ ୬ ଶହ ଟଙ୍କା ବେପାର ହେଉଥିଲା। ଗୋଟିଏ ପେଟ ଚଳିବା ଭଳି ଦି’ ପଇସା ବାହାରୁଥିଲା। କିନ୍ତୁ ଏବେ ସପ୍ତାହେ ହେଲା ଟଙ୍କା ଦୁଇ ଶହ ବି ବେପାର ହଉନି। କାଲି ରୋଗ ବଢ଼ିଲେ, ସରକାର ପୁଣି ତାଲାବନ୍ଦ କରିବ। ପୁଣି ମୋ କ୍ୟାବିନ୍ ବନ୍ଦ ହୋଇଯିବ। ତେଣୁ ମୋତେ ଚିନ୍ତା ମାଡ଼ି ବସିଲାଣି। ଗତବର୍ଷର କଥା ମନେ ପଡ଼ିଲେ, ମରିଗଲା ଭଳି ଲାଗୁଛି। ଭଗବାନ ତୁରନ୍ତ ଏ ରୋଗକୁ ହଟେଇ ଦିଅନ୍ତେ କି? ଏତକ କହି ମୁଣ୍ଡିଆଟେ ମାରିଲାବେଳେ ଛଳଛଳ ହୋଇଗଲେ ଚାନ୍ଦ ମାଉସୀ।