କ‌ରୋନା ପାଇଁ ଅଘୋଷିତ କର୍ଫ୍ୟୁ : ସବୁ ବନ୍ଦ

ଭୁବନେଶ୍ବର : କରୋନା ଆତଙ୍କର କାୟା ମେଲାଇ ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଛି। ଯେମିତି ମେଳା, ମହୋତ୍ସବ, ମନୋରଂଜନ କ୍ଷେତ୍ରରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଛି। ଗତକାଲି ସିନେମା ହଲ୍ ବନ୍ଦ ‌ହୋଇଥିବା ବେଳେ ଆଜି ସିନେମା ହଲ୍‌ ଆଗରେ ନୋଟିସ ଝୁଲିଛି। ଏହି କ୍ରମରେ ଆଜି ଯାତ୍ରା ବି ବନ୍ଦ ହୋଇଯାଇଛି। ମନୋରଂଜନର ଗାଡ଼ି ଯେମିତି ଗୋଟିଏ ଜାଗା‌ରେ ହଠାତ୍‌ ଅଟକି ଯାଇଛି। ପର୍ଯ୍ୟଟନସ୍ଥଳ ବି ଖାଁଖାଁ ପାଲଟିଛି। ଖଣ୍ଡଗିରି, ଉଦୟଗିରି, ଧଉଳି, ଲିଙ୍ଗରାଜ ମନ୍ଦିରରେ କାଁଭାଁ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି। ବାହାର ପର୍ଯ୍ୟଟକଙ୍କ କଥା ଛାଡ଼, ରାଜ୍ୟ ଭିତରେ ବି ପର୍ଯ୍ୟଟକମାନେ ପାଖ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ହେବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନର କର୍ମଚାରୀମାନେ ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍‌ସ ପିନ୍ଧି ଜୀବଜନ୍ତୁମାନଙ୍କର ସେବା ଜାରି ରଖିବେ। ଆବଶ୍ୟକସ୍ଥଳେ ଡାକ୍ତରୀ ସେବା ଯୋଗାଇ ଦେବା ପାଇଁ ମଧ୍ୟ ଡାକ୍ତରୀ ଦଳ ସଜାଗ ରହିଛନ୍ତି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏହି ବିଭାଗ ଅଧୀନସ୍ଥ ସମସ୍ତ ତାଲିମ କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରଖାଯାଇଛି। ସେହିପରି ସିଆରପି ଛକସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନରେ ଥିବା ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟକୁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି ବୋଲି ଏସ୍‌ସିଏସଟିଆରଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

କରୋନା ପାଇଁ ବିଭିନ୍ନ ଜନ ସମାଗମସ୍ଥଳୀକୁ ବନ୍ଦ କରାଯାଇଥିଲେ ହେଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରକୁ ପର୍ଯ୍ୟଟକଙ୍କ ପ୍ରବେଶରେ ରୋକ ଲଗା ଯାଇନାହିଁ। ତେବେ ଏହା ମଧ୍ୟରେ ଯେଉଁ ସବୁ ସଭା ସମିତି ଆୟୋଜନ ହେବାର ଥିଲା, ସେସବୁକୁ ବନ୍ଦ କରାଯାଇଛି। ଏନେଇ କେନ୍ଦ୍ରର ମୁଖ୍ୟ ତଥା ପ୍ରକଳ୍ପ ସଂଯୋଜକ ହରପ୍ରସାଦ ମିଶ୍ର କହିଛନ୍ତି, ଆଜି ରାତି ସୁଦ୍ଧା ଆମେ ଖବର ପାଇଛୁ। ଆସନ୍ତାକାଲିଠାରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ବନ୍ଦ ରହିବ।

ଶ୍ରମିକ ହାଟ ବି ଖାଁ ଖାଁ
ଶ୍ରମିକମାନଙ୍କୁ ମଧ୍ୟ କରୋନା ନେଇ ଭୟ ଘାରିଛି। ଆଜି ରାଜଧାନୀର ସମସ୍ତ ଶ୍ରମିକ ହାଟରେ ପୂର୍ବ ଦିନ ଅପେକ୍ଷା ଗହଳି କମ୍‌ ଥିଲା। ବର୍ତ୍ତମାନ କାମ ବନ୍ଦ ହୋଇଯାଇ ଥିବାରୁ କାମ ମିଳୁ ନ ଥିବା ଶ୍ରମିକ ମାନେ କହୁଥିଲେ। କରୋନାର ମୁକାବିଲା ପାଇଁ କ’ଣ କରିବାକୁ ହେବ ସେ ନେଇ ସେମାନେ କିଛି ଜାଣି ନ ଥିବା କହିଥିଲେ।

କ୍ୟାପିଟାଲ ହସ୍ପିଟାଲ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଗତକାଲି ଭର୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ନମୁନା ରିପୋର୍ଟ ନେଗେଟିଭ୍ ରହିଥିବା ଜଣାପଡ଼ିଛି। ରାଜଧାନୀରେ ରହୁଥିବା ଏହି ଯୁବତୀ ଗତକାଲି କରୋନାରେ ଆକ୍ରାନ୍ତ ସନ୍ଦେହରେ ହସ୍ପିଟାଲରେ ଭର୍ତି ହୋଇଥିଲେ। ଏହା ପୂର୍ବରୁ ନୟାଗଡ଼ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ସମେତ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୫ବର୍ଷୀୟ ଯୁବକ, ଆୟର୍ଲ୍ୟାଣ୍ଡର ନାଗରିକ ଓ ତାଙ୍କ ସହଯୋଗୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଥିଲା।

୪ କରୋନା ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତି
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଅଟଳାଗଡ଼ା ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ରହୁଥିବା ଗୋଟିଏ ପରିବାରର ୪ ଜଣ କରୋନା ସନ୍ଦିଗ୍ଧ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ‌ହସ୍ପିଟାଲର ଏକ ସ୍ବତନ୍ତ୍ର ୱାର୍ଡରେ ସେମାନଙ୍କୁ ଭର୍ତି କରାଯାଇଛି। ଗତକାଲି ଏହି ପରିବାର ମାଲେସିଆର କ୍ବାଲାଲାମ୍ପୁରରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସନ୍ଦିଗ୍ଧ ଭାବେ ହସ୍ପିଟାଲରେ ଭର୍ତି କରାଯାଇଛି। ସନ୍ଦିଗ୍ଧଙ୍କ ମଧ୍ୟରେ ରହିଛନ୍ତି ଦମ୍ପତିଙ୍କ ସମେତ ସେମାନଙ୍କର ଦୁଇ ଛୋଟ ପୁଅ ଓ ଝିଅ। ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର