ଶ୍ରୀଲିଙ୍ଗରାଜ ମନ୍ଦିର‌ରେ କରୋନା ସତର୍କତା, ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ମନା

ପ୍ରବେଶ ପୂର୍ବରୁ ନାମ ଲେଖା ଓ ହାତ ସଫା

ପୁରୁଣା ଭୁବନେଶ୍ୱର, : ଶ୍ରୀଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଆଜି ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ଓ ତିନି ନିଯୋଗ ସମ୍ପାଦକଙ୍କୁ ଡାକି ଏନେଇ ବୈଠକ କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୌଣସି ଭକ୍ତ ଆସିଲେ ଭିତର କାଠରୁ ଦର୍ଶନ କରିବେ। ସେମାନେ ଭୋଗ ଦେଲେ ସେବାୟତ ନେଇ ପୂଜା କରାଇବେ। ତେବେ ଭକ୍ତମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଗର୍ଭଗୃହକୁ କେବଳ ସେବାୟତମାନେ ଯାଇ ପାରିବେ। ତେବେ ୧୦ରୁ ଅଧିକ ସେବାୟତ ଗର୍ଭଗୃହରେ ରହିବେ ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ସତର୍କତା ଅବଲମ୍ବନ କରାଯାଇଛି। କୌଣସି ଭକ୍ତ ଆସିଲେ ପ୍ରଥମେ ମନ୍ଦିର ବାହାରେ ହେଲ୍ପ ଡେସ୍କରେ ନିଜ ନାମ, ଠିକଣା ଓ ମୋବାଇଲ୍‌ ନମ୍ବର ଲେଖିବେ। ଏହାପରେ ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ମନ୍ଦିରରେ ପ୍ରବେଶ କରିବେ। ଆବଶ୍ୟକସ୍ଥଳେ ଅଧିକ ପୁଲିସ ରହି ଏହାକୁ ତଦାରଖ କରିବେ। ଅପରପକ୍ଷରେ ଆଜି ବିଏମ୍‌ସି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଗଣେଶ ପ୍ରସାଦ ଦାଶ ମନ୍ଦିରରେ ସେବାୟତମାନଙ୍କୁ ସଚେତନ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଉପସ୍ଥିତ ରହି ପୂଜା ବେଳେ ମାସ୍କ କିମ୍ବା ମୁହଁରେ ଗାମୁଛା ବାନ୍ଧିବାକୁ ସେବାୟତଙ୍କୁ କହିଥିଲେ। ସେହିପରି କୌଣସି ଭକ୍ତ ଅରୁଣ ସ୍ତମ୍ଭକୁ ଛୁଇଁବାକୁ ମନା କରାଯାଇଛି।। ମାର୍ଚ୍ଚ ୩୧ ତାରିଖ ଯାଏ ଏପରି କଟକଣା କରାଯାଇଛି। କୌଣସି ସେବାୟତଙ୍କୁ ଜ୍ୱର, ଥଣ୍ଡା ହୋଇଥିଲେ କିମ୍ବା ଭକ୍ତଙ୍କୁ ଏପରି ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ବାରଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାଛଡ଼ା ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଧାଡ଼ି ମଧ୍ୟରେ ୨ମିଟର ବ୍ୟବଧାନ ରଖିବାକୁ କୁହାଯାଇଛି। ଆଜି ଏହି ସଚେତନତା କାର୍ଯ୍ୟରେ ଡ. ଦାଶଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପ୍ରଭୁଦତ୍ତ ମହାପାତ୍ର, ସୁମିତ୍ରା ସାମନ୍ତରାୟ, ଅରୁଣ କୁମାର ଜେନା ଡେମୋ ଦେଖାଇଥିଲେ। ଏଥିରେ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର