ଓଏସ୍‌ଏସ୍‌ସି ଚାକିରିରେ ଦୁର୍ନୀତି ଘଟଣା: ପୁଅର ନିଯୁକ୍ତି ପାଇଁ ମହିଳାଙ୍କ ସହ ୭ଲକ୍ଷ ଟଙ୍କାର ଡିଲ୍ କରିଥିଲେ ସୁରେନ୍ଦ୍ର, ବିରଞ୍ଚି!

ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଭିଜିଲାନ୍ସ, ଡିସିପି ଓ ନୂଆପଲ୍ଲୀ ଥାନାରେ ଅଭିଯୋଗ, ଚାକିରି ଦେବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ଆଜି ଆଉ ଏକ ସଂଗିନ୍‌ ଅଭିଯୋଗ ଆସିଛି। ପୁଅର ଚାକିରି କରାଇ‌‌ଦେବାକୁ କହି ବିରଞ୍ଚି ଓ ଲୋକସେବା ଭବନର ଡ୍ରାଇଭର୍‌ ସୁରେନ୍ଦ୍ର କୁମାର ପ୍ରଧାନ ତାଙ୍କଠାରୁ ଟଙ୍କା ନେଇଛନ୍ତି ବୋଲି ଆଜି ଜଣେ ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ମହିଳାଜଣଙ୍କ ହେଲେ, ନୂଆପଲ୍ଲୀ ବ୍ରିଟ୍‌ କଲୋନିର ପି. ନମିତା ରାଓ। ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠୁ ଆରମ୍ଭ କରି ଭିଜିଲାନ୍ସ, ଡିସିପି ଓ ନୂଆପଲ୍ଲୀ ପୁଲିସକୁ ତାଙ୍କ ଅଭିଯୋଗପତ୍ର ଦେଇଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ସମାଜସେବୀ ଭାବେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ଅନେକ ସମୟରେ ଲୋକସେବା ଭବନ ଯାଆନ୍ତି। ପୁଅର ଯୁକ୍ତ ୩ ଶେଷ ହେବା ପରେ ଚାକିରି ଖଣ୍ଡେ ପାଇଁ ଚାରିଆଡ଼େ ଖୋଜାଖୋଜି କରିବା ସମୟରେ ଲୋକସେବା ଭବନରେ ସୁରେନ୍ଦ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା। ୧୦ ଲକ୍ଷ ଟଙ୍କା ଦେଲେ ଭଲ ଚାକିରି କରାଇଦେବେ ବୋଲି ସେ ନମିତାଙ୍କୁ କହିଥିଲେ।
ଏପରିକି ବିଶ୍ବାସ ଜନ୍ମାଇବା ପାଇଁ ସେ ଅନେକ ପିଲାଙ୍କ ନାଁ ଓ ଠିକଣା ଦେଇ ନମିତାକୁ କହିଥିଲେ ଯେ ଏମାନଙ୍କ ଚାକିରି ମୁଁ କରାଇଛି କି ନାହିଁ, ବୁଝନ୍ତୁ। ଏହା ପରେ ସମୟ ଦେଖି ନମିତାଙ୍କୁ ନେଇ ସେ ବିରଞ୍ଚିଙ୍କ ସହ ଦେଖା କରାଇଥିଲେ। ବିରଞ୍ଚିଙ୍କୁ ଓଏସ୍‌ଏସ୍‌ସିର ଜଣେ ବରିଷ୍ଠ ପଦାଧିକାରୀ କହିବା ସହ ଓଏସ୍‌ଏସ୍‌ସି ବାହାର କରୁଥିବା ପଦବୀରେ ଚାକିରି କରାଇବାକୁ ସେ ୧୦ ଲକ୍ଷ ଟଙ୍କା ନେବେ ବୋଲି ଡିଲ୍ କରିଥିଲେ। ତେବେ କଥା ୭ ଲକ୍ଷରେ ଛିଣ୍ଡିଥିଲା। ନମିତାଙ୍କ ପୁଅ ଓଏସ୍‌ଏସ୍‌ସିରେ ବାହାରୁଥିବା ପଦବୀ ନଚେତ୍ ଡିଏସ୍‌ପି ଚାକିରି ସିଧାସଳଖ ପାଇବେ ବୋଲି ସେମାନଙ୍କ ମଧ୍ୟରେ ଡିଲ୍‌ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ନମିତା ୨୦୧୯ ମାର୍ଚ୍ଚରେ ପ୍ରାୟ ୨ଲକ୍ଷ ଟଙ୍କା ସୁରେନ୍ଦ୍ରଙ୍କୁ ଦେଇଥିଲେ। କିନ୍ତୁ ଟଙ୍କା ପାଇଯିବା ପରେ ଆଉ ଧରାଛୁଆଁ ଦେଇନଥିଲେ ସୁରେନ୍ଦ୍ର।

ଗତ ଜୁଲାଇ ୩୦ ତାରିଖରେ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ନମିତା ଆଜି ଅଭିଯୋଗ କରିଛନ୍ତି। ଡାକ ଯୋଗେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠୁ ଆରମ୍ଭ କରି ଭିଜିଲାନ୍ସ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ଯଦି ନମିତାଙ୍କ କଥା ସତ ହୁଏ, ତେବେ ବିରଞ୍ଚିଙ୍କ ଏଜେଣ୍ଟ ସାଜି ସୁରେନ୍ଦ୍ର ଏମିତି କେତେ ପିଲାଙ୍କଠାରୁ ଟଙ୍କା ହଡ଼ପ କରିଛନ୍ତି ଓ କେତେଜଣଙ୍କ ଚାକିରି କରାଇଛନ୍ତି, ତାହାର ଖୋଳତାଡ଼ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର