ପ୍ରେମୀଯୁଗଳଙ୍କୁ ପୁଲିସ ସୁରକ୍ଷା, ବିମାନବନ୍ଦରରୁ ଫେରିଲେ ବାପାମା’

ଭୁବନେଶ୍ବର: ବାପାମା’ ବିମାନବନ୍ଦର ବାହାରେ ଅପେକ୍ଷା କରିଥିଲେ ବେଙ୍ଗାଲୁରୁରୁ ଫେରିଥିବା ଡାକ୍ତର ଝିଅକୁ ସାଙ୍ଗରେ ଘରକୁ ନେବେ ବୋଲି। କିନ୍ତୁ ଇଂଜିନିୟର ପ୍ରେମିକ ସହ ଆସିଥିବା ଡାକ୍ତର ଝିଅ ବିମାନରୁ ଓହ୍ଲାଇଲା ସିନା ବାହାରକୁ ବାହାରିଲା ନାହିଁ। ବାହାରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ ସହାୟତା ଲୋଡ଼ିଲା। ଏମିତିକି ବିମାନବନ୍ଦର ଭିତରେ ବି ସିଆଇଏସ୍‌ଏଫ୍‌ର ସହାୟତା ମାଗିଲା। ଶେଷରେ ପ୍ରେମୀଯୁଗଳଙ୍କ ବିଜୟ ହେଲା। ସିଆଇଏସ୍‌ଏଫ୍‌ର କଡ଼ା ସୁରକ୍ଷା ବଳୟରେ ଥିବା ପ୍ରେମୀଯୁଗଳଙ୍କୁ ଏୟାର୍‌ପୋର୍ଟ ଥାନା ପୁଲିସ ଥାନାକୁ ନେଇଗଲା। ବାପାମା’ ଥାନା ପର୍ଯ୍ୟନ୍ତ ଧାଇଁଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଘଟିଥିବା ଏମିତି ଏକ ହାଇଡ୍ରାମା ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ସୂଚନା ମୁତାବକ, ପ୍ରେମୀଯୁଗଳ ବରମୁଣ୍ଡା ଅଞ୍ଚଳର। ଗତ ୬ ବର୍ଷ ହେଲା ସେମାନେ ପରସ୍ପରକୁ ଭଲ ପାଇବସିଛନ୍ତି। ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ଯୁବତୀ ଜଣଙ୍କ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚାକିରି କରୁଛନ୍ତି ଓ ତାଙ୍କ ଇଂଜିନିୟର ପ୍ରେମିକ ବି ଏକ ପ୍ରତିଷ୍ଠିତ କମ୍ପାନିରେ କାମ କରୁଛନ୍ତି। ତେବେ ଯୁବକ ଜଣକ ପଞ୍ଜାବୀ ସମ୍ପ୍ରଦାୟର ହୋଇଥିବାରୁ ଯୁବତୀଙ୍କ ପରିବାର ସେମାନଙ୍କ ଭଲ ପାଇବାକୁ ଗ୍ରହଣ କରିପାରିନଥିଲେ। ପରିବାର ଲୋକେ ଭୁବନେଶ୍ବର ଏମ୍‌ସର ଜଣେ ଡାକ୍ତରଙ୍କ ସହ ଯୁବତୀଙ୍କ ବାହାଘର ସ୍ଥିର କରିଥିଲେ। ଏହି ବିବାହ ପାଇଁ କଥା ଛିଡ଼ାଇବାକୁ ବାପାମା’ ଯୁବତୀଙ୍କୁ ବେଙ୍ଗାଲୁରୁରୁ ଭୁବନେଶ୍ବର ଆସିବାକୁ କହିଥିଲେ। କଥା ଅନୁସାରେ ଆଜି ଯୁବତୀ ଭୁବନେଶ୍ବର ଫେରିଥିଲେ ସିନା‌ କିନ୍ତୁ ସାଙ୍ଗରେ ଥିଲେ ତାଙ୍କ ପ୍ରେମିକ।

ସେ ପ୍ରେମିକ ସହ ଫେରୁଛନ୍ତି ଓ ତାଙ୍କୁ ହିଁ ବିବାହ କରିବେ ବୋଲି ଯୁବତୀ ବାପାମା’ଙ୍କୁ ଫୋନ୍‌ କରି କହିଥିଲେ। ଏମିତି ‌ଫୋନ୍ ପାଇବା ପରେ ଯୁବତୀଙ୍କ ବାପା ରାଗି ଯାଇଥିଲେ ଓ ପଞ୍ଜାବୀ ଯୁବକକୁ କୌଣସି ହାଲ୍‌ରେ ଗ୍ରହଣ କରିବେ ନାହିଁ ବୋଲି ଝିଅକୁ ଧମକ ଦେଇଥିଲେ। ତେଣୁ ଆଜି ବିମାନବନ୍ଦରରେ ସେମାନେ ବିମାନରୁ ଓହ୍ଲାଇବା ପରେ ପୁଲିସ ସୁରକ୍ଷା ଲୋଡ଼ିଥିଲେ। ବିମାନବନ୍ଦରରୁ ପୁଲିସ ସେମାନଙ୍କୁ ଥାନାକୁ ନେବା ପରେ ବାପାମା’ ଝିଅ ସହ କଥା ହେବାକୁ ଇଛା କରିଥିଲେ। କିନ୍ତୁ ଝିଅ ରାଜି ହୋଇନଥିଲା। ସାବାଳିକା ହୋଇଥିବାରୁ ପୁଲିସ ବାପାମା’ଙ୍କ ଅନୁରୋଧ ରଖିପାରିନଥିଲା। ତେଣୁ ବାଧ୍ୟ ହୋଇ ସେମାନେ ଖାଲି ହାତରେ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର