ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ନିକଟତର, ଦିନକରେ ୧୬୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୬୬ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ସଂଖ୍ୟା ୩୯୨୯ରେ ପହଞ୍ଚିଛି। ଗତ ୯ ଦିନରେ ରାଜଧାନୀରେ ୧୦୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୧୬୬ ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ ସଙ୍ଗରୋଧରୁ ଓ ୬୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟଙ୍କ ମଧ୍ୟରେ ସାଲିଆସାହିରୁ ସର୍ବାଧିକ ୧୭ଜଣ ରହିଛନ୍ତି। ହୋଟେଲରେ କାର୍ଯ୍ୟ କରୁଥିବା ସେହି ଅଞ୍ଚଳର ଜଣେ ଯୁବକଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଥିବା କୁହାଯାଇଛି। ଏହାବାଦ୍ ସଙ୍ଗରୋଧ କେନ୍ଦ୍ରରୁ ୧୩ଜଣ, ଅନନ୍ତ ବସ୍ତି, ୟୁନିଟ-୮ ଓସିସି ବସ୍ତି, ୟୁନିଟ-୧ ବସ୍ତି, ଶିରିପୁର କନ୍ଧସାହିରୁ ବହୁ ସଂଖ୍ୟାରେ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଏମ୍‌ସ, କ୍ୟାପିଟାଲ ହସ୍ପିଟାଲ ଓ ଘ‌ରୋଇ ହସ୍ପିଟାଲର ୯ଜଣଙ୍କୁ ଚିହ୍ନଟ କରାଯାଇଛି। ଲଗାତାର ଭାବେ ରାଜଧାନୀର ବିଭିନ୍ନ ବସ୍ତି ଓ ହସ୍ପିଟାଲରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବହୁ ବସ୍ତି ରହିଛି। ଜୟଦେବବିହାର ମୁଣ୍ଡାସାହି, ଶିରିପୁର କନ୍ଧ ସାହି, ଗାଡ଼କଣ କଲ୍ୟାଣୀ ସାହି, ନେହରୁ ବସ୍ତି, ୟୁନିଟ-୮ ଓସିସି ବସ୍ତି, ମସଜିଦ୍‌ କଲୋନି ଭଳି ଅଞ୍ଚଳ ରହିଛି। ଏହାବାଦ୍ ଅନ୍ୟ କଲୋନି ଓ ଗାଁରୁ ମଧ୍ୟ ପଜିଟିଭ୍ ରହିଛନ୍ତି। ରାଜଧାନୀରେ ଏବେ ସୁଦ୍ଧା ୨୪୭୩ଜଣ ରୋଗୀ ସୁସ୍ଥ ହୋଇଥିବା ବେ‌ଳେ ୧୪୩୫ଜଣ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ରାଜଧାନୀରେ ୧୯ଜଣ ରୋଗୀ କରୋନାରେ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧିତ ଖବର