ସବୁ ପଢ଼ୁଛି ସାଇବର ଠକଙ୍କ ଅଦୃଶ୍ୟ ଆଖି

ସାଇତିଛନ୍ତି ବିପୁଳ ଆଧାର ଓ ପାନ୍‌ କାର୍ଡ
ସହଜରେ ହାତଉଛନ୍ତି ମୋବାଇଲ୍‌ ନମ୍ବର
ନୂଆ ତରିକା ଅନ୍‌ଲାଇନ୍‌ ଋଣ

ଭୁବନେଶ୍ବର : ଆଧାର କାର୍ଡ ଓ ପାନ୍ କାର୍ଡ ଘରେ ଅଛି। କିନ୍ତୁ ସାଇବର ଠକଙ୍କ ଅଦୃଶ୍ୟ ଆଖି ଏସବୁ କାର୍ଡର ତଥ୍ୟ ଦେଖି ପଢ଼ିପାରୁଛି। ଏକଥା କେହି ସ୍ବପ୍ନରେ ମଧ୍ୟ ଭାବି ପାରିନଥିବେ। କିନ୍ତୁ ଏହା ସତ୍ୟ। ଏହି ସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ସେମାନେ ଅପରାଧରେ ବ୍ୟବହାର କରୁଛନ୍ତି। ଯାହା ପାଇଁ ଏହି କାର୍ଡର ପ୍ରକୃତ ଅଧିକାରୀ ଏବେ ବିପଦରେ ପଡ଼ୁଛନ୍ତି। ଆଧାର ଓ ପାନ୍ କାର୍ଡ ସହ ସାଇବର ଠକମାନେ ବଡ଼ ସହଜରେ ଲକ୍ଷ ଲକ୍ଷ ମୋବାଇଲ ନମ୍ବର ମଧ୍ୟ ସଂଗ୍ରହ କରୁଛନ୍ତି। ଏହାକୁ ବ୍ୟବହାର କରି ସେମାନେ ଜାଲ ବିଛାଉଛନ୍ତି ଓ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏମିତି ନିଦ ହଜାଇ ଚାଲିଛନ୍ତି ସାଇବର ଅପରଧୀ। କେବଳ ବ୍ୟକ୍ତିଗତ ନୁହେଁ ସରକାରୀ ପ୍ରତିଷ୍ଠାନ ଓ ଅଧିକାରୀଙ୍କ ତଥ୍ୟ ମଧ୍ୟ ରଖୁଛନ୍ତି। ଯାହା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

କେମିତି ହାତଉଛନ୍ତି ଆଧାର ଓ ପାନ୍ କାର୍ଡ ତଥ୍ୟ? କେମିତି ସାଇବର ଅପରାଧୀଙ୍କ ପାଖରେ ଦେଶର ପୁଳାପୁଳା ଲୋକଙ୍କ ତଥ୍ୟ ଅତି ସହଜରେ ଉପଲବ୍ଧ ହେଉଛି? ଏ ପ୍ରଶ୍ନ ଆଜି ବଡ଼ ଚିନ୍ତାର କାରଣ ହୋଇଛି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ ଏଥିପାଇଁ ଏକାଧିକ ଦିଗ ରହିଛି, ଯେଉଁଥିରେ ବ୍ୟକ୍ତିଙ୍କ ଆଧାର କାର୍ଡ, ପାନ୍ କାର୍ଡ ଭଳି ଗୋପନୀୟ ତଥ୍ୟ ଲିକ୍ ହେଉଛି। ବ୍ୟାଙ୍କ ଆକାଉଣ୍ଟ କେଓ୍ଵାଇସି(ନୋ ୟୋର କଷ୍ଟମର୍) ଅପ୍‌ଡେଟ୍ ନାଁରେ ସାଇବର ଠକ ମେସେଜ୍ ପଠାନ୍ତି। ଯେଉଁମାନେ ସେଥିରେ ଫସିଲେ, ସେମାନେ କ୍ଲିକ୍ କରି ସମସ୍ତ ଗୋପନୀୟ ତଥ୍ୟ ପ୍ରଦାନ କରନ୍ତି। ସାଇବର ଠକଙ୍କ ହାତରେ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ ମୋବାଇଲ ନମ୍ବର ଲାଗିଥାଏ। ସେହିପରି ଫୋନ୍ କଲ୍ ମାଧ୍ୟମରେ ଏ ସବୁ ତଥ୍ୟ ଅତି ସହଜରେ ସଂଗ୍ରହ କରି ନିଅନ୍ତି। ଖାଲି ବ୍ୟାଙ୍କ ଆକାଉଣ୍ଟ ନୁହେଁ, ସିମ୍ କାର୍ଡ ବ୍ଲକ୍ ହୋଇ ଯିବାର ଭୟ ଦେଖାଇ ସେମାନେ ଗୋପନୀୟ ତଥ୍ୟ ହାସଲ କରନ୍ତି। ସେହିପରି ପେଟ୍ରୋଲ୍‌ ପମ୍ପରେ ଲଟେରି ନାଁରେ ମଧ୍ୟ କିଛି ତଥ୍ୟ ହାସଲ କରନ୍ତି। କ୍ରେଡିଟ୍ କାର୍ଡ କରାଇବା ବାହାନାରେ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ଥିବା ମୋବଇଲ ନମ୍ବର ମଧ୍ୟ ହାସଲ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି ହୋଇଯାଏ। କେତେକ ସାଇବର କାଫେ, ଜେରକ୍ସ ଦୋକାନରୁ ମଧ୍ୟ ଏହି ତଥ୍ୟ ଲିକ୍ ହେଉଥିବା କୁହାଯାଏ। ଆଧାର, ପାନ୍ କାର୍ଡ ତଥ୍ୟକୁ ଆଧାର କରି ସାଇବର ଅପରାଧୀ ଅସଲି ଲୋକ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତି। ଯେଉଁଥିରେ ସାଇବର ଅପରାଧୀ ଟଙ୍କା ଜମା କରିଥାନ୍ତି। ସେହିପରି ମଲ୍, ପେଟ୍ରୋଲ ପମ୍ପ, ରେସ୍ତୋରାଁରେ ସଂଗ୍ରହ ହେଉଥିବା ମୋବାଇଲ ଫୋନ୍ ନମ୍ବର ପରବର୍ତ୍ତୀ ସମୟରେ ବିକ୍ରି କରି ଦିଆଯାଏ। ଯାହା ସାଇବର ଅପରାଧୀଙ୍କ ପାଖରେ ଉପଲବ୍ଧ ହୋଇଥାଏ।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସାଇବର ଅପରାଧୀ ଆଧାର ଓ ପାନ୍ କାର୍ଡକୁ ବ୍ୟବହାର କରି ଅନ୍‌ଲାଇନ୍ ଲୋନ୍‌ ଆପ୍‌ ଜରିଆରେ ଋଣ ଉଠାଉଛନ୍ତି। ଏଣେ ଋଣ ପରିଶୋଧ ନ ହେଲେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିବା ପାନ୍ ଓ ଆଧାର ବ୍ୟକ୍ତିଙ୍କ ସହ ଯୋଗାଯୋଗ କଲେ, ତାହା ଜାଲ୍ ବୋଲି ଜଣାପଡ଼ୁଛି। ଗତ କିଛିଦିନ ତଳେ ଲୁଧିଆନା ପୁଲିସ ୭ ଜଣଙ୍କୁ ଗିରଫ କରିବା ସହ ବିପୁଳ ଆଧାର, ପାନ୍ କାର୍ଡ ଜବତ କରିଥିଲା। ସେମାନେ ସାଇବର ଅପରାଧୀଙ୍କୁ ମାତ୍ର ଶହେ ଟଙ୍କାରେ ଜଣେ ବ୍ୟକ୍ତିଙ୍କର ତଥ୍ୟ ବିକ୍ରି କରୁଥିଲେ। ଯାହା ଜରିଆରେ ସାଇବର ଅପରାଧୀ ଅନଲାଇନ୍ ଋଣ ନେବା ସହ ବ୍ୟାଙ୍କରେ ପାସବୁକ୍ ଖୋଲୁଥିବା ଜଣାପଡ଼ିଥିଲା। ସେହିପରି ଅସଲି ପରିଚୟପତ୍ର ବ୍ୟବହାର କରି ସାଇବର ଅପରାଧୀମାନେ ପୁଳାପୁଳା ପ୍ରି ଆକ୍ଟିଭେଟେଡ୍(ପୂର୍ବରୁ ଚାଲୁ ହୋଇଥିବା) ସିମ୍ କାର୍ଡ ହାତଉଛନ୍ତି। ଯାହାକୁ ବ୍ୟବହାର କରି ସାଇବର ଅପରାଧୀ ଠକେଇ କରୁଛନ୍ତି। ପୂର୍ବରୁ କମିସନରେଟ୍‌ ପୁଲିସ ହାତରେ ଏଭଳି ଏକ ରାକେଟ୍ ଧରା ପଡ଼ିଥିବା ବେଳେ ସେମାନଙ୍କ ଠାରୁ ୧୭ ହଜାର ସିମ୍ କାର୍ଡ ଜବତ ହୋଇଥିଲା। ତେଣୁ ସାଇବର ଅପରାଧୀଙ୍କ କବଳରେ ଯେ କେହି ପଡ଼ିବା କିଛି ଅସମ୍ଭବ ନୁହେଁ ବୋଲି ବି‌ଶେଷଜ୍ଞ ଶ୍ରୀ ସାହୁ କହିଛନ୍ତି।

କେମିତି ରକ୍ଷା ପାଇବେ?
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟ କେଓ୍ଵାଇସି କିମ୍ବା ସିମ୍ କାର୍ଡ ଅପ୍‌ଡେଟ୍ ନାଁରେ ଆସୁଥିବା ଫୋନ୍ କଲ୍ କିମ୍ବା ଏସ୍‌ଏମ୍‌ଏସ୍‌କୁ ବିଶ୍ବାସ କରିବା କଥା ନୁହେଁ। ଏମିତି ଫୋନ୍‌ କଲ୍‌ ହେଲେ କୌଣସି ତଥ୍ୟ ପ୍ରଦାନ କରନ୍ତୁ ନାହିଁ। ସିମ୍‌ କାର୍ଡ ବନ୍ଦ ହୋଇଯିବାର ଭୟ ଦେଖାଇ ଠକ ଯଦି ସବିଶେଷ ତଥ୍ୟ ମାଗୁଛି, ତାହେଲେ ଦିଅନ୍ତୁ ନାହିଁ। ଯେଉଁଠି ଏସବୁ କାଗଜପତ୍ର ଦାଖଲ କରୁଛନ୍ତି, ଭଲ ଭାବେ ଯାଞ୍ଚ କରନ୍ତୁ ଓ କାହିଁକି ଦିଆଯାଉଛି, ତାହାର କାରଣ ଉଲ୍ଲେଖ କରନ୍ତୁ। ଯେଉଁଠି ଆବଶ୍ୟକ ନାହିଁ, ସେଠାରେ ପ୍ରଦାନ କରନ୍ତୁନାହିଁ। ସେହିପରି କ୍ରେଡିଟ୍ କାର୍ଡ ନାଁରେ ମଗା ଯାଉଥିବା ତଥ୍ୟ, ପେଟ୍ରୋଲ ପମ୍ପ ନିକଟରେ ଲଟେରି ଲୋଭ ଦେଖାଇ ଯଦି କେହି ତଥ୍ୟ ମାଗୁଛି, ତାହେଲେ ଦିଅନ୍ତୁନାହିଁ। ଅନ୍‌ଲାଇନ୍‌ରେ କୌଣସି ଲିଙ୍କ୍‌କୁ କ୍ଲିକ୍ କରି ସେଥିରେ କୌଣସି ତଥ୍ୟ ପ୍ରଦାନ କରନ୍ତୁନାହିଁ। ଏହି ସବୁ ସତର୍କତା ଅବଲମ୍ବନ କଲେ, ଠକେଇରୁ ରକ୍ଷା ପାଇପାରିବେ।

ସମ୍ବନ୍ଧିତ ଖବର