ଭୁବନେଶ୍ୱର: ଶିଶୁଟିଏ ସଚେତନ ହେଲେ ପରିବାରଟିଏ ସଚେତନ ହେବ। ଗୋଟିଏ ଗୋଟିଏ ପରିବାର ସଚେତନ ହେଲେ ସମଗ୍ର ରାଜ୍ୟ ସଚେତନ ହେବ। ଏଣୁ ଡେଙ୍ଗୁ ଉପରେ ନିୟନ୍ତ୍ରଣ ଆଣିବାକୁ ଶିଶୁମାନଙ୍କୁ ଟାର୍ଗେଟ୍ କରିଛି ବିଏମ୍ସି। ଗୁରୁବାରଠାରୁ ଶିଶୁମାନଙ୍କୁ ସଚେତନ କରିବା ଆରମ୍ଭ ହୋଇଛି। ଗତକାଲି ନୀଳାଦ୍ରିବିହାର କେନ୍ଦ୍ରୀୟ ବିଦ୍ୟାଳୟ-୪ରେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ପହଞ୍ଚିଥିଲେ।
କିଭଳି ସ୍ଥିର ପାଣିରେ ଡେଙ୍ଗୁ ମଶାଙ୍କ ବଂଶବୃଦ୍ଧି ହୁଏ, ଛୋଟଛୋଟ ପାତ୍ର ବା ପଇଡ଼ ଖୋଳରେ ପାଣି ଜମି ମଶାଙ୍କ ବଂଶ ବଢ଼େ ଓ ତାହାକୁ କିପରି ନଷ୍ଟ କରାଯାଇପାରିବ, ସେ ସଂପର୍କରେ ସେ ପିଲାମାନଙ୍କୁ ବୁଝାଇଥିଲେ। ପିଲାମାନେ ବୁଝିବା ସହ ପରିବାରବର୍ଗଙ୍କୁ ବୁଝାଇବାକୁ କହିଥିଲେ। ସ୍କୁଲରେ ଥିବା ପ୍ରାୟ ୧୫ଟି ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇଥିଲା। ପରେ ଲୁମ୍ବିନୀବିହାର ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତି ନିଜ ଘରେ ଏକ କୁଣ୍ଡରେ ପାଣି ରଖିଥିଲେ। ସେଥିରେ ଆଣ୍ଟି ଲାର୍ଭା ମାଛ ରଖିଥିଲେ। ଏଭଳି ଏକ ଅଭ୍ୟାସକୁ କମିସନର୍ ପ୍ରସଂଶା କରିଥିଲେ। ଏଥିରେ ସ୍ବଚ୍ଛ ସାଥୀ, ଆଣ୍ଟି ଲାର୍ଭା ସ୍କ୍ବାଡ୍, ଆଶା, ଅଙ୍ଗନୱାଡି କର୍ମୀ, ସୁପରଭାଇଜର୍, ପରିମଳ କର୍ମଚାରୀ, ପରିମଳ ବିଶେଷଜ୍ଞ, ସାନିଟାରି ଇନ୍ସପେକ୍ଟର୍ ପ୍ରମୁଖ ସାମିଲ ହୋଇଥିଲେ।