ଦିଲୀପ ରାୟ ଦରଦୀ ହୃଦୟର ମାଲିକ: ରାଜା ମୁରାଦ

ସଫଳ କାହାଣୀର ନାୟକ ଦିଲୀପ: ସୌମ୍ୟରଞ୍ଜନ

ଭୁବନେଶ୍ବର: ଅନେକ ଲୋକଙ୍କ ପାଖରେ ବିଡ଼ା ବିଡ଼ା ଟଙ୍କା, ବଡ଼ ବଡ଼ ବଙ୍ଗଳା ରହିଛି, ଅଖଣ୍ଡ କ୍ଷମତା ଓ ଲୋକପ୍ରିୟତା ବି ରହିଛି। ହେଲେ ଦରଦୀ ହୃଦୟଟିଏ ନାହିଁ। ଆଉ କିଛି ଲୋକଙ୍କ ପାଖରେ ଟଙ୍କା, ଘର, କ୍ଷମତା କି ଲୋକପ୍ରିୟତା ନଥାଇପାରେ କିନ୍ତୁ ସୁନ୍ଦର ଦରଦୀ ହୃଦୟଟିଏ ରହିଛି। ଦିଲୀପ ରାୟ ସେମିତି ଜଣେ ଦରଦୀ ମଣିଷ ବୋଲି କହିଛନ୍ତି ବିଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ତଥା ଅଭିନେତା ରାଜା ମୁରାଦ।

ଆଜି ହୋଟେଲ ମେ’ ଫେୟାରଠାରେ ‘ଦିଲୀପ ରାୟ ଜୟନ୍ତୀ କମିଟି’ ପକ୍ଷରୁ ରାଜନେତା ତଥା ସଫଳ ଉଦ୍ୟୋଗୀ ଦିଲୀପ ରାୟଙ୍କ ୬୭ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ମୁରାଦ। ଏହି ଅବସରରେ ସେ ଆହୁରି କହିଥିଲେ, ଓଡ଼ିଶା ପାଇଁ ଦିଲୀପଙ୍କ ଅବଦାନ ଅତୁଳନୀୟ। ତାଙ୍କ ପାଖରେ ଟଙ୍କା, ପ୍ରତିଷ୍ଠା ଓ ସମ୍ମାନ ଥାଇ ବି ସେ କେବେ ଗର୍ବ କରିନାହାନ୍ତି। କାମ କରିବା ସମୟରେ କେବେ ସେ ଡେଙ୍ଗୁରା ପିଟି ନାହାନ୍ତି। ହୋଟେଲ ଶିଳ୍ପ ପ୍ରତିଷ୍ଠା କରି ସେ ୩ ହଜାର ଓଡ଼ିଆଙ୍କୁ ରୋଜଗାର ଦେଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ରାଜା ମୁରାଦଙ୍କୁ ଭୁବନେଶ୍ବର ବେଶ୍‌ ପସନ୍ଦ ଆସିଥିବା ସେ କହିଛନ୍ତି। ରାଜଧାନୀର ସ୍ବଚ୍ଛତା, ରାସ୍ତାଘାଟର ସୌନ୍ଦର୍ଯ୍ୟ ଓ ସବୁଜିମା ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ବାନ୍ଧି ରଖିପାରିବ ବୋଲି ସେ କହିଥିଲେ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ଉଭୟ ବ୍ୟବସାୟ ଓ ରାଜନୀତିରେ ଦିଲୀପ ରାୟ ବେଶ୍‌ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ଏକ ସଫଳ କାହାଣୀର ନାୟକ କୁହାଯିବା ଯଥାର୍ଥ। ରାଜନୀତିରେ ବେଳେବେଳେ ବିବାଦ ଭିତରକୁ ଟଣା ହୋଇଥିଲେ ହେଁ ବ୍ୟବସାୟରେ ସେ କିନ୍ତୁ ଈର୍ଷଣୀୟ ସଫଳତା ହାସଲ କରିଛନ୍ତି। ଦେଶ ବାହାରେ ମଧ୍ୟ ତାଙ୍କ ମେ’ ଫେୟାର ହୋଟେଲ ଶିଳ୍ପର ସଫଳତା ଓଡ଼ିଶାକୁ ଏକ ପରିଚୟ ଦେଇଛି। ତେଣୁ ତାଙ୍କ ଅବଦାନକୁ ନେଇ ଆମେ ଗର୍ବ କରୁ।

ଜନୀତିରେ କୃତଜ୍ଞତା ଆଜିକାଲି ଏକ ବିରଳ ଗୁଣ ହୋଇଥିବା ବେଳେ ଦିଲୀପ ରାୟ କିନ୍ତୁ ଏ କ୍ଷେତ୍ରରେ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି। ବିଜୁବାବୁଙ୍କ ସହ ଶେଷ ଯାଏ ରହି ତାଙ୍କର ସେବା କରିବା ଦିଲୀପ ବାବୁଙ୍କର ସେହି କୃତଜ୍ଞ ରହିବା ଗୁଣକୁ ଦର୍ଶାଇଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଜଣେ ରାଜନେତା ଅପେକ୍ଷା ଜଣେ ଉଦ୍ୟୋଗପତି ଭାବେ ଦିଲୀପ ଅଧିକ ନାମ କମାଇଛନ୍ତି। ଏଥିଯୋଗୁଁ ଦେଶ ବିଦେଶରେ ପ୍ରଖ୍ୟାତ ହେବା ସହ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ରାୟଙ୍କ ରାଜନୈତିକ ସଚିବ ରାଜା ମହାନ୍ତି ଉପସ୍ଥିତ ଥିଲେ। କମିଟିର ସଭାପତି ସୁଶୀଳ ରାୟ ସଭାପତିତ୍ବ କରିଥିବା ବେଳେ ରାଇମୋହନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର