କାଟୁ କରୁନି କଟକଣା, ବ୍ୟବହାର ହେଉନି ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ନଦୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପାର୍ବଣ ଋତୁ ଆରମ୍ଭରୁ ପଦକ୍ଷେପ ନିଆଗଲା। ୩ଟି ଅସ୍ଥାୟୀ ପୋଖରୀ ମଧ୍ୟ ଖୋଳାଗଲା। ହେଲେ ପ୍ରଚାର, ସଚେତନତା, କଟକଣା କିଛି ବି କାଟୁ କଲାନାହିଁ। ଅସ୍ଥାୟୀ ପୋଖରୀ ଥାଇ ବି ସେଥିରେ ବିସର୍ଜନ ନକରି ଅନେକ ସିଧା ନଦୀ ଭିତରେ ମୂର୍ତି ବିସର୍ଜନ କରୁଛନ୍ତି। ୧୯୭୪ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ନିୟମ ମୁତାବକ ଦଣ୍ଡ ବିଧାନ ପାଇଁ ଆଇନ ଥିଲେ ମଧ୍ୟ ଏହାକୁ ଯେମିତି ଅନେକଙ୍କର ଭ୍ରୂକ୍ଷେପ ନଥିଲା। ବିଏମ୍‌ସି ଡିଭିଜନ୍‌-୧ ପକ୍ଷରୁ ପାଣ୍ଡରା ନିକଟ କୁଆଖାଇ ନଦୀରେ ଗୋଟିଏ ପୋଖରୀ, ଡିଭିଜନ୍‌-୨ ପକ୍ଷରୁ କୁଆଖାଇ ଟଙ୍କପାଣି ରୋଡ୍‌ ପୋଲ ନିକଟ ଓ ଦୟା ନଦୀର ଲିଙ୍ଗିପୁରଠାରେ ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି। ପୋଖରୀଗୁଡ଼ିକ ଛୋଟ ଆକାରରେ ଖୋଳାଯାଇଥିଲା। କିନ୍ତୁ ଏଥର ଗଣେଶ ପୂଜାଠୁ ନେଇ ବିଶ୍ୱକର୍ମାଙ୍କ ଶହଶହ ମୂର୍ତି କୁଆଖାଇ ଓ ଦୟା ନଦୀରେ ବିସର୍ଜନ କରାଯାଇଛି।

ଏମିତି ତ ଅନେକ ଅସ୍ଥାୟୀ ପୋଖରୀ ବ୍ୟବସ୍ଥାକୁ ମାନୁନାହାନ୍ତି। ଅସ୍ଥାୟୀ ପୋଖରୀ କିନ୍ତୁ ପ୍ରକୃତ ସମାଧାନ ନୁହେଁ ବୋଲି କହିଛନ୍ତି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ। ଉଚ୍ଚ ନ୍ୟାୟାଳୟ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରିବାକୁ କହିଥିଲେ ହେଁ ବାସ୍ତବରେ ଯେଉଁମାନେ ପ୍ରାକୃତିକ ରଙ୍ଗ ବ୍ୟବହାର କରୁଛନ୍ତି ସେହି ଅନୁଷ୍ଠାନଗୁଡ଼ିକୁ ହିଁ ପୂଜା ପାଇଁ ଅନୁମତି ଦିଆଯିବା ଉଚିତ୍‌ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତାଙ୍କ ସୂଚନା ମୁତାବକ, ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରୁ ପରବର୍ତୀ ସମୟରେ ପ୍ରଦୂଷିତ ପାଣିକୁ ପମ୍ପରେ ସେଇ ନଦୀ ପାର୍ଶ୍ୱରେ ହିଁ ଛଡ଼ାଯିବ। ଯାହା ମୃତ୍ତିକାକୁ ପ୍ରଦୂଷିତ କରିବ। ପରବର୍ତୀ ସମୟରେ ବର୍ଷାରେ ସେଇ ସଂଶ୍ଳେଷିତ ରାସାୟନିକ ରଙ୍ଗ ଭାସି ପୁଣି ନଦୀ ଜଳରେ ମିଶିବ। ତେଣୁ ଅସ୍ଥାୟୀ ପୋଖରୀ ଖୋଳିଦେଲେ ପାଣି ହୁଏତ ପ୍ରଦୂଷିତ ହେବ ନାହିଁ। କିନ୍ତୁ ସମୟକ୍ରମେ ଏହା ନିଶ୍ଚିତ ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଅସ୍ଥାୟୀ ପୋଖରୀରେ ଯେ ବିଲକୁଲ୍‌ ମୂର୍ତି ବିସର୍ଜନ ହୋଇନାହିଁ ସେକଥା ନୁହେଁ, କିନ୍ତୁ ଅସ୍ଥାୟୀ ପୋଖରୀ ଅପେକ୍ଷା ମୁଖ୍ୟ ନଦୀରେ ଅନେକ ମୂର୍ତି ବିସର୍ଜନ କରାଯାଇଛି। ନଦୀ ତଳ ପଠାକୁ ନଯାଇ ଅନେକ ଓଭରବ୍ରିଜ୍‌ ଉପରେ ଛିଡ଼ା ହୋଇ ସିଧାସଳଖ ମୂର୍ତିକୁ ନଦୀ ମଧ୍ୟକୁ ପକାଉଛନ୍ତି। ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ବିଏମ୍‌ସି ପୋଖରୀ ଖୋଳିଲା। କିନ୍ତୁ ନଦୀ ମଧ୍ୟକୁ ମୂର୍ତି ନପକାଇ ଅସ୍ଥାୟୀ ପୋଖରୀରେ ମୂର୍ତିଗୁଡ଼ିକ କିଭଳି ବିସର୍ଜନ ହେବ ତାକୁ ତଦାରଖ କରିବାକୁ କେହି ନାହାନ୍ତି। ପୁଣି ଶାରଦୀୟ ଦୁର୍ଗାପୂଜାରେ ୧୭୮ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ପାର୍ଶ୍ୱ ଦେବତାଙ୍କୁ ହିସାବକୁ ନେଲେ ୫୦୦ ମୂର୍ତି ଅତିକ୍ରମ କରିବ। ଆସନ୍ତା ଦିନମାନଙ୍କରେ ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତିକ ପୂଜା ଓ ସରସ୍ୱତୀ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୧ହଜାରରୁ ଅଧିକ ମୂର୍ତି ବିସର୍ଜନ କରାଯିବ। ତେଣୁ ଲାଗୁ ହୋଇଥିବା କଟକଣାକୁ କଡ଼ାକଡ଼ି ନକଲେ ଅସ୍ଥାୟୀ ପୋଖରୀ ହୋଇ ବି କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର