ତଳ ମହଲାକୁ ଆସିବ ଜନସ୍ବାସ୍ଥ୍ୟ ଓ ନର୍ସିଂ ନିର୍ଦେଶାଳୟ, ୩ ମହଲାରେ ରହିବ ସମସ୍ତ ସ୍ବାସ୍ଥ୍ୟ ନିର୍ଦେଶାଳୟ

ପ୍ରତିଷ୍ଠା ହେବ ଇଣ୍ଟିଗ୍ରେଟେଡ୍ ହେଲ୍‌ଥ ଡାଟା ସେଣ୍ଟର

ଭୁବନେଶ୍ବର: ବିଭାଗୀୟ ନିର୍ଦେଶାଳୟ ବା ନ’ତାଲାରେ ହେବ ଅଦଳ ବଦଳ। ଦ୍ବିତୀୟ ମହଲାରେ ଥିବା ଜନସ୍ବାସ୍ଥ୍ୟ ଓ ନର୍ସିଂ ନିର୍ଦେଶାଳୟ ତଳ ମହଲାକୁ ଆସିବ। ପୂର୍ବରୁ ସେଠାରେ ଥିବା ମୃତ୍ତିକା ସଂରକ୍ଷଣ ଓ କୃଷି ନିର୍ଦେଶାଳୟ କାର୍ଯ୍ୟାଳୟରେ ଏହା କାର୍ଯ୍ୟ କରିବ। ‌ଏହାସହ ଖାଦ୍ୟ ସୁରକ୍ଷା ନିର୍ଦେଶାଳୟ ମଧ୍ୟ ଏଠାରେ କାର୍ଯ୍ୟ କରିବ। ଯାହାଫଳରେ ୩ଟି ମହଲାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ନିର୍ଦେଶାଳୟ କାର୍ଯ୍ୟ କରିବ। ଏଥିପାଇଁ ତଳ ମହଲାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ଏହି ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି।

ବିଭାଗୀୟ ନିର୍ଦେଶାଳୟରେ ସ୍ବାସ୍ଥ୍ୟ ବିଭାଗର ୫ ନିର୍ଦେଶାଳୟ କାର୍ଯ୍ୟ କରୁଛି। ଗୋଟିଏ ଗୋଟିଏ ମହଲାରେ ଏକାଧିକ ନିର୍ଦେଶାଳୟ ରହିଛି। ଏହାସହ ସ୍ବାସ୍ଥ୍ୟ ବିଭାଗର ଏକାଧିକ କାର୍ଯ୍ୟକ୍ରମ ପାଇଁ ଅଧିକାରୀମାନେ ମଧ୍ୟ ଏସବୁ ମହଲାରେ ବସୁଛନ୍ତି। ଯାହାଫଳରେ ଜାଗାକୁ ନେଇ ସେଠାରେ ସମସ୍ୟା ସୃଷ୍ଟି ହେଉଛି। ‌ପୂର୍ବରୁ ବିଭାଗୀୟ ନିର୍ଦେଶାଳୟର ତଳ ମହଲାରେ ରହିଥିବା ମୃତ୍ତିକା ନିର୍ଦେଶାଳୟ ଓ କୃଷି ନିର୍ଦେଶାଳୟ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛି। ତେଣୁ ଏହି ଦୁଇ ସ୍ଥାନରେ ସ୍ବାସ୍ଥ୍ୟ ନିର୍ଦେଶାଳୟ କାର୍ଯ୍ୟ କରିବ। ପ୍ରଥମ ମହଲାରେ ଥିବା ନର୍ସିଂ ନିର୍ଦେଶାଳୟ ତଳକୁ ଆସିବ। ଯାହାଫଳରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦେଶଳୟ ସଂପୂର୍ଣ୍ଣଭାବେ ଏହି ମହଲାରେ ରହିବ। ଏହାସହ ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ମଧ୍ୟ ତଳ ମହଲାକୁ ଆସିବ। ଦ୍ବିତୀୟ ମହଲାରେ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ରହିବ। ଖାଦ୍ୟ ସୁରକ୍ଷା ନିର୍ଦେଶାଳୟ ଏବେ ଏନ୍‌ଭିବିଡିସିପି ପରିସରରେ କାର୍ଯ୍ୟ କରୁଛି। ତେଣୁ ଏହାକୁ ମଧ୍ୟ ତଳ ମହଲାକୁ ଆଣିବା ଲାଗି ନିଷ୍ପତ୍ତି ହୋଇଛି। ତୃତୀୟ ମହଲାରେ ପରିବାର କଲ୍ୟାଣ ନିର୍ଦେଶାଳୟ ପୂର୍ବଭଳି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ପ୍ରତିଷ୍ଠା ହେବ ଇଣ୍ଟିଗ୍ରେଟେଡ୍ ହେଲ୍‌ଥ ଡାଟା ସେଣ୍ଟର
ସ୍ବାସ୍ଥ୍ୟ ନିର୍ଦେଶାଳୟ ସମସ୍ତ ତଥ୍ୟ ଗୋଟିଏ ଜାଗାରେ ମିଳିବ। ସବୁ ନିର୍ଦେଶାଳୟକୁ ଇଣ୍ଟିଗ୍ରେଟ୍‌ କରାଯାଇ ପ୍ରତିଷ୍ଠା କରାଯିବ ଇଣ୍ଟିଗ୍ରେଟେଡ୍‌ ହେଲ୍‌ଥ ଡାଟା ସେଣ୍ଟର। ଏହାସହ ଜାତୀୟସ୍ତରୀୟ କାର୍ଯ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯିବ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ବୈଠକରେ ଏଭଳି ସେଣ୍ଟର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ହୋଇଛି। ଏହାକୁ ବିଭାଗୀୟ ନିର୍ଦେଶାଳୟର ଦ୍ବିତୀୟ ମହଲାରେ ପ୍ରତିଷ୍ଠା କରିବା ଲାଗି ଯୋଜନା ହୋଇଛି। ଜନସ୍ବାସ୍ଥ୍ୟ ଓ ଅନ୍ୟ ଉପ-ବିଭାଗ ତଳକୁ ଆସିବା ପରେ ସେଠାରେ ଏହା କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଜଣେ ଡାଟା ମ୍ୟାନେଜର/କନସଲଟାଣ୍ଟ ସହିତ ୨ଜଣ ଡାଟା ଏଣ୍ଟ୍ରି ଅପରେଟର ରହିବେ। ପରବର୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବ। ୟୁନିସେଫ୍‌ ଓଡ଼ିଶାକୁ ଏଥିପାଇଁ ଏକ ଏସ୍‌ଓପି ପ୍ରତିଷ୍ଠା କରିବା ଲାଗି କୁହାଯାଇଛି। ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ, ସ୍ବାସ୍ଥ୍ୟ ପରିସଂଖ୍ୟାନର ନିର୍ଦେଶକମାନେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ(ଜନସ୍ବାସ୍ଥ୍ୟ)ଙ୍କ ସହିତ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌କୁ ମିଶାଇ ରାଜ୍ୟରେ ଏବେ ୧୨ଟି ସ୍ବାସ୍ଥ୍ୟ ନିର୍ଦେଶାଳୟ କାର୍ଯ୍ୟ କରୁଛି। ତେଣୁ ହେଲ୍‌ଥ ଡାଟା ସେଣ୍ଟର ଜରିଆରେ ସମସ୍ତ ନିର୍ଦେଶାଳୟ ଏକାଠି ହୋଇପାରିବ। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏବେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ବିଭିନ୍ନ ନିର୍ଦେଶାଳୟରୁ ସଂଗ୍ରହ କରିବାକୁ ପଡ଼ୁଛି। ଏଥିରେ ସମୟ ବ୍ୟୟ ହେବା ସହିତ ସବୁ ତଥ୍ୟକୁ ଏକାଠି କରିବା ଅନେକ ସମୟରେ ସମସ୍ୟା ହେଉଛି। ତେଣୁ ହେଲ୍‌ଥ ଡାଟା ସେଣ୍ଟର ଏହି ସମସ୍ୟାର ସମାଧାନ କରିପାରିବ। ଯାହାଫଳରେ ହେଲ୍‌ଥ ଇଣ୍ଟେଲିଜେନ୍‌ସ ସୁଦୃଢ଼ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର