ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ କାର୍ଯ୍ୟ ପ୍ରସଙ୍ଗ: ବିଏମ୍‌ସିକୁ ମହଲତ

୪ ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭୁବନେଶ୍ବର ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ କାର୍ଯ୍ୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ ପାଇଁ ବିଏମସି ଅଧିକ ସମୟ ଲୋଡ଼ିଛି। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ଚାରି ସପ୍ତାହ ଭିତରେ ପ୍ରସ୍ତାବିତ କାର୍ଯ୍ୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ଜାନୁଆରି ୧୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୁଷୋତ୍ତମ ବଳ ଓ ଅନ୍ୟ ୮ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୧୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ଚାରି ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବଡଗଡ଼ କଲୋନି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା, ସ୍ବେରେଜ ଓ ଡ୍ରେନେଜ ପ୍ରସଂଗକୁ ନେଇ ୨୦୧୬ରେ ହାଇକୋର୍ଟରେ ୯ଜଣ ସ୍ଥାନୀୟ ବାସିନ୍ଦା ଏହି ମାମଲା ରୁଜୁ କରିଥିଲେ। ଡ୍ରେନେଜ ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ବିଏମସିର ବୋଲି ଜଳ ସଂପଦ ବିଭାଗ ପକ୍ଷରୁ ଦର୍ଶାଯିବା ପରେ ବିଏମସି ନିକଟରୁ ହାଇକୋର୍ଟ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର