ଦୂତି ଗଣମାଧ୍ୟମର ସାମ୍ବାଦିକଙ୍କ ନାମରେ ଆଣିଲେ ଅଭିଯୋଗ, କହିଲେ; ‘ମୋତେ ଧମକାଇ ମାଗୁଛନ୍ତି ଟଙ୍କା’

ଭୁବନେଶ୍ବର: ଦୁଇଥର ଅଲମ୍ପିକରେ ଭାଗ ନେଇ ଦେଶପାଇଁ ଗୌରବ ଆଣିଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦ ଏଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ଧମକାଇ ଟଙ୍କା ମାଗୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦୂତି ଚାନ୍ଦ।

ଦୂତି ଚାନ୍ଦ କହିଛନ୍ତି, ‘କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ମୋ ବାପା, ମା’ଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ବାଧ୍ୟକରି ମୋ ବିରୋଧରେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଛନ୍ତି ।

ବାପା ଓ ମା’ଙ୍କ ଉପରେ ଚାପ ପକାଇ ଖବର ସଂଗ୍ରହ କରି ସାରିବା ପରେ ଉକ୍ତ ଖବରକୁ ପ୍ରସାରିତ କରିବାର ଭୟ ଦେଖାଉଛନ୍ତି। ଯଦି ଏକ ଲକ୍ଷ ଟଙ୍କା ନଦିଏ ତେବେ ସେମାନେ ସେହି ଖବରକୁ ଗଣମାଧ୍ୟମରେ ପ୍ରସାରଣ କରିଦେବେ ବୋଲି ଧମକ ଦେଉଛନ୍ତି।

ଏପରିକି ଏତେ ବଡ଼ କରୋନା ମହାମାରୀ ସମୟରେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ବାପା ମା’ଙ୍କ ପାଖରେ ବିନା ମାସ୍କରେ ବସି ଖବର ସଂଗ୍ରହ କରିବାକୁ ନେଇ ସାମ୍ବାଦିକଙ୍କୁ ନିନ୍ଦା କରିଛନ୍ତି ଦୂତି ଚାନ୍ଦ। ଏଥିସହିତ ଏଭଳି ଗଣମାଧ୍ୟମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୂତି ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର