ବାତ୍ୟା ପରଠୁ ଉଧେଇ ପାରୁନି ଅଙ୍ଗନବାଡ଼ି : ଖୋଲା ଆକାଶ ତଳେ ଅ ଆ…

ଭୁବନେଶ୍ବର : ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ଏଇ ନାରାକୁ ବିକି ସରକାର ବାଃ ବାଃ ନେବାକୁ ପଛାଉନାହାନ୍ତି। ମାତ୍ର କୋମଳମତି ଶିଶୁଙ୍କ ମୂଳଦୁଆ ପଡ଼ୁଥିବା ଅଙ୍ଗନବାଡ଼ିର ରୁଗ୍‌ଣ ଅବସ୍ଥା ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି।

ଶୈଶବ ଶିକ୍ଷା ପାଇଁ ମାଳମାଳ ଯୋଜନା ହେଉଛି। ଶିଶୁଙ୍କ ଖାଇବା, ପିଇବା, ଖେଳିବା, ପିନ୍ଧିବା ଲାଗି ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଶିକ୍ଷାଦାନ ଲାଗି ଗଳିକନ୍ଦିରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ହେଲେ ବାତ୍ୟା ‘ଫନି’ ମାଡ଼ରେ ଭାଙ୍ଗି ପଡ଼ିଥିବା ଅଙ୍ଗନବାଡିଗୁଡ଼ିକ କିଭଳି ଚାଲିଛି, ତାହା ଏଯାଏଁ ପରଖିବାକୁ ସମୟ ପାଇନାହାନ୍ତି। ଏହାର ନଗ୍ନ ନମୁନା ରାଜଧାନୀରେ ଦେଖିବାକୁ ମିଳୁଛି। ବାତ୍ୟାର ୫୫ଦିନ ପରେ ବି ପିଲାଙ୍କ ଖାଇବା, ପିଇବା କଥା ଦୂରେ ଥାଉ, ସେମାନଙ୍କ ସୁରକ୍ଷା ପ୍ରତି କେହି ଧ୍ୟାନ ଦେବାକୁ ଉଚିତ ମଣିନାହାନ୍ତି। ସରକାରୀ ବାବୁମାନେ ସବୁ ଜାଣି ଚୁପ୍‌ ବସିଥିବା ବେଳେ ଅଙ୍ଗନବାଡ଼ି ଦିଦିମାନେ ହାତ ଟେକି ଦେଲେଣି। ଯେଉଁଥିପାଇଁ କିଛି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଲାଣି। ଆଉ କିଛି କେନ୍ଦ୍ରକୁ ପିଲା ଆସୁନାହାନ୍ତି। ଆଉ ଯେଉଁଠିକୁ ପିଲା ଆସୁଛନ୍ତି, ସେଠାରେ ଖୋଲା ଆକାଶ ତଳେ ଖରାବର୍ଷାରେ ତିନି ଘଣ୍ଟା ବିତାଇ ଘରକୁ ଫେରୁଛନ୍ତି।

ଏକଥା ଆମେ କହୁନୁ। ଆଜି ‘ସମ୍ବାଦ’ର ଏକ ଟିମ୍‌ ସହରରେ ଥିବା କିଛି ଅଙ୍ଗନବାଡ଼ି କେନ୍ଦ୍ର ବୁଲିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଖାରବେଳ ନଗର ମାଳିସାହି ଭିତରେ ଥିବା ମସ୍‌ଜିଦ୍‌ ବସ୍ତିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିଲା। ଗତକାଲି ରାତିରେ ବର୍ଷା ହେବା ପରେ ପେଟି କାଗଜ, ଆଜବେଷ୍ଟସ୍‌ରେ ତିଆରି ହୋଇଥିବା ଘର ବିପଦପୂର୍ଣ୍ଣ। ତେଣୁ ଦିଦି ଅଙ୍ଗନବାଡ଼ି ଖୋଲି ନଥିଲେ। ଘର ଉପରେ ପଡ଼ିଥିବା ଜରି ପାଲ କଣା ହୋଇ ପାଣି ଢ଼େଉ ଖେଳୁଥିଲା। ମାଳିସାହି ଅଙ୍ଗନବାଡ଼ି-୨ ଘର ଭିତରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବାହାରେ କାଦୁଅ ପଚପଚ। ତେଣୁ ଏଠାରେ ବି ତାଲା ପଡ଼ିଥିଲା। ଅଶୋକ ନଗର ଫାଳିକିଆ ବସ୍ତିରେ ଥିବା ଅଙ୍ଗନବାଡ଼ିରେ ତ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁଠି ପିଲା ପଢ଼ୁଥିଲେ, ସେଠାରେ ଏବେ ଅବର୍ଜନାର ପାହାଡ଼ ଛିଡ଼ା ହେଲାଣି। ବହୁ ଦିନ ହେଲା ସଫା ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ୩ଟି ଅଙ୍ଗନବାଡ଼ି କେନ୍ଦ୍ରରୁ ଶୈଶବ ଶିକ୍ଷାର ପ୍ରକୃତ ଚିତ୍ର ଜଣାପଡ଼ୁଛି। ଭଗବାନଙ୍କ ଭରସାରେ ଶିଶୁଙ୍କ ଭବିଷ୍ୟତ ଛାଡ଼ି ଦେଇଛନ୍ତି।

ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଦୃଶ୍ୟ ଦେଖିଲେ ଅଭିଭାବକଙ୍କ ହୋସ୍‌ ଉଡ଼ିଯିବ। ଏଠାରେ ଯେଉଁ କେନ୍ଦ୍ର ରହିଛି, ତାହା ଭିତରକୁ ଜଣେ ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ପଶିପାରିବ ନାହିଁ। ଆଜ୍‌ବେଷ୍ଟସ୍‌ରେ ନିର୍ମାଣ ହୋଇଥିବା ଏହି ଘର ଭିତରେ ପ୍ରତିଦିନ ୨୦ରୁ ୨୫ ଶିଶୁ ପଢ଼ୁଛନ୍ତି। ଘର ଉପରେ ଟାୟାର, ପାଇପ୍‌, ବୋତଲ, କୁଣ୍ଡ ଆଦି ଜମା ହୋଇଛି। ତା’ ସାଙ୍ଗକୁ ଏବେ ବର୍ଷା ଦିନ ଆରମ୍ଭ ହୋଇଛି। କୌଣସି କାରଣରୁ ଯଦି ଆଜବେଷ୍ଟସ୍‌ ଭାଙ୍ଗିଯାଏ, କୋମଳମତି ଶିଶୁଙ୍କ ଅବସ୍ଥା କ’ଣ ହେବ ତାହା ଅନୁମାନ କରାଯାଇପାରେ।

ଭୁବନେଶ୍ବର ଉତ୍ତରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଅବସ୍ଥା ବି ତଦ୍ରୂପ। ୧୬ ନମ୍ବର ୱାର୍ଡ ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଆସୁନାହାନ୍ତି। ଯେଉଁ ଦୁଇରୁ ତିନିଜଣ ପିଲା ଆସିଥିଲେ, ସେମାନେ ପାଣି ଭିତରେ ବସି ରହିଥିଲେ। ଦିନରେ ସୂର୍ଯ୍ୟଙ୍କ କିରଣ ଘର ଭିତରେ ପଡ଼ିଥିଲା। ୨୧ନମ୍ବର ୱାର୍ଡର ଆଦିବାସୀ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବାତ୍ୟାରେ ଭାଙ୍ଗିଯାଇଛି। ସେବେଠାରୁ ଏହାର ମରାମତି କରାଯାଇ ନଥିବାରୁ ତାଲା ଝୁଲୁଛି। ସାଲିଆ ସାହି ନିରଙ୍କାରି ନଗରରେ ବି ସମାନ ଚିତ୍ର। ଘର ଆଜବେଷ୍ଟସ ଉଡ଼ି ଯାଇଛି। ଖୋଲାମେଲାରେ ଖରାବର୍ଷା ମାଡ଼ ଖାଇ ପିଲାମାନେ ପାଠ ପଢ଼ୁଛନ୍ତି। ବାଜପେୟୀ ନଗର ଅଙ୍ଗନବାଡ଼ି କେନ୍ଦ୍ର-୩ ଓ ବିଶ୍ବେଶ୍ବର ବସ୍ତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଆଜବେଷ୍ଟସ ବାତ୍ୟାରେ ଭାଙ୍ଗିଛି ଯେ ମରାମତି ହେଉନାହିଁ। ବିପଦସଙ୍କୁଳ ଅବସ୍ଥାରେ ପିଲାଏ ପଢ଼ୁଛନ୍ତି।

ସମ୍ବନ୍ଧିତ ଖବର