ଏନ୍‌କାଉଣ୍ଟର ମାମଲା, କାର୍‌କୁ ଘର କରିଥିଲା ରବି

ଭୁବନେଶ୍ବର: ୪୮ ଘଣ୍ଟାରେ ୩ଟି ଏନ୍‌କାଉଣ୍ଟର୍‌ କରି ୫ଅପରାଧୀଙ୍କୁ ଘାଇଲା କରିଛି କମିସନରେଟ୍‌ ପୁଲିସ। ସମସ୍ତ ଅଭିଯୁକ୍ତ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁଳି ଗଭୀର କ୍ଷତ ସୃଷ୍ଟି କରିଥିବାରୁ ସମସ୍ତଙ୍କର ଅପରେସନ୍‌ ହେବ। ଏଣେ ଏହି ଗୋଷ୍ଠୀର ଅନ୍ୟ ସହଯୋଗୀମାନଙ୍କୁ ଖୋଜିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି। କମିସନରେଟ୍‌ ପୁଲିସ ବିଭିନ୍ନ ଥାନାରୁ ଏମାନଙ୍କର ଅପରାଧ ରେକର୍ଡ ମାଗିଥିଲେ ମଧ୍ୟ ଏଯାବତ୍‌ କୌଣସି ସୂଚନା ମିଳି ପାରିନାହିଁ। ସେମାନେ ଅସୁସ୍ଥ ଥିବାରୁ ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଇ ପାରିନାହିଁ। ତେବେ ଖୋଳତାଡ଼ ବେଳେ ଭରତପୁରରେ ଏନ୍‌କାଉଣ୍ଟରର ଶିକାର ହୋଇଥିବା ରବି ରାଓକୁ ନେଇ ତନାଘନା ଆରମ୍ଭ ହୋଇଛି। ରବିର ଭୁବନେଶ୍ବରରେ ଘର ରହିଥିବା ବେଳେ ସେ ତିନି ମାସ ହେଲା ଘରକୁ ନ ଆସି ନିଜ ଚୋରା ଗାଡ଼ିକୁ ଘର କରିଥିଲା ବୋଲି ପୁଲିସ କହିଛି।

ଲୁଟ୍‌ କରିଥିବା ଏକ ଗାଡ଼ିକୁ ବ୍ୟବହାର କରୁଥିଲା ରବି। ଏଥିରେ ଦୁଇଟି ତକିଆ, ୬ ହଳ ସାର୍ଟ ପ୍ୟାଣ୍ଟ, ମଶାଧୂପ, ବ୍ରସ୍‌, ଚୂଡ଼ା, କିଛି ବାସନ ଜବତ କରାଯାଇଛି। କେବଳ ଟଏଲେଟ୍‌ ଛଡ଼ା ରହିବା ଭଳି ସମସ୍ତ ବ୍ୟବସ୍ଥା ଗାଡ଼ି ଭିତରେ କରିଥିଲା। ତା’ର ଘର ଖାରବେଳ ନଗର ଥାନା ଅଧୀନ ଶାନ୍ତିନଗର ବସ୍ତିରେ। ହେଲେ ଦୀର୍ଘ ଦିନ ହେବ ସେ ଏହି ଘରକୁ ଯାଇନାହିଁ। ଭୁବନେଶ୍ବର ବାହାରର ବିଭିନ୍ନ ଥାନାରେ ସେ ୱାଣ୍ଟେଡ୍‌ ଥିବାରୁ ବିଭିନ୍ନ ସମୟରେ ପୁଲିସ ଭୁବନେଶ୍ବରରେ ଚଢ଼ଉ କରିଛି। ଫଳରେ ସେ ଘର ଛାଡ଼ି ଗାଡ଼ିରେ ହିଁ ରାତି କଟାଇଛି। ତେବେ ୟୁନିଟ ୩ ନମ୍ବରରେ ଥିବା ତା’ର ଘରକୁ ପୁଲିସ ଖୋଜୁଥିଲେ ମଧ୍ୟ ପାଇ ନଥିବା ଜଣାପଡ଼ିଛି। ଏଠାରେ କେହି ରହୁନାହାନ୍ତି, ଭଡ଼ାରେ ଲାଗିଛି ବୋଲି କେତେକ କହିଛନ୍ତି।

ସମ୍ବନ୍ଧିତ ଖବର