ଉତ୍ସାହ, ଆବିଷ୍କାରର ଜନନୀ ‘ଉତ୍ସବ’

ଚୂଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ-୨୦୨୨ ଉଦ୍‌ଘାଟିତ

ବାରଙ୍ଗ/ ତ୍ରିଶୁଳିଆ: ଯେକୌଣସି ଉତ୍ସବ ହେଉ, ସବୁର ଉପାଦେୟତା ରହିଛି। ଉତ୍ସବ ଉତ୍ସାହ ସୃଷ୍ଟି କ‌ରେ ଏବଂ ଏହା ଆବିଷ୍କାରକୁ ଜନ୍ମଦିଏ। କାହା ପାଖରେ କି ପ୍ରତିଭା ରହିଛି, କିଏ କେଉଁ କଳାର ଅଧିକାରୀ, ସେସବୁ ଉତ୍ସବରୁ ବାରି ହୋଇପଡ଼େ। ତେଣୁ ସମାଜର କୋଣ ଅନୁକୋଣରେ ଉତ୍ସବ ଆୟୋଜନ ହେବା ଜରୁରୀ। ଏହା ସମସ୍ତଙ୍କୁ ଏକାଠି କରିବାର ମଉକା ସୃଷ୍ଟି କରିବା ବେଳେ ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜ୍ଞାନ ବଢ଼ାଏ। ଆଜି ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ଉଦ୍‌ଘା‌ଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ବାରଙ୍ଗ ଆନନ୍ଦ ବଜାରରେ ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୨ କମିଟିର ପଞ୍ଚମ ବାର୍ଷିକ ଉତ୍ସବ ଆଜି ଉଦ୍‌ଘାଟିତ ହୋଇଯାଇଛି। ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଉଦ୍‌ଘାଟନୀ ପର୍ବ ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଆୟୋଜକମାନଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ଐତିହ୍ୟ ସମ୍ପର୍କରେ ଆମ ପିଲାମାନଙ୍କୁ ଅଧିକ ସଚେତନ କରିବାକୁ ହେଲେ, ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ ହେବା ଉଚିତ। ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ ମିଶ୍ର ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି କହିଥିଲେ ଯେ ଆମ ପରମ୍ପରା ଓ ଐତିହ୍ୟର ଗୌରବମୟ ଅଧ୍ୟାୟ ସବୁକୁ ସୁରକ୍ଷିତ ରଖିବା ଉଚିତ। କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ଅମରେନ୍ଦ୍ର ମହାପାତ୍ର, ମହୋତ୍ସବ ସମ୍ପାଦକ ସୁନିଲ ସିଂ, ମୁଖ୍ୟ ଉପଦେଷ୍ଟା ବସନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚୂଡ଼ଙ୍ଗଗଡ଼ର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାର ଆଗେଇ ଆସିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। କମିଟିର ସଭାପତି ପ୍ରେମାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇଥିବା‌ ବେଳେ ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦାସ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ‘ଐତିହ୍ୟର ମୂକସାକ୍ଷୀ ଚୂଡ଼ଙ୍ଗଗଡ଼’ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବାରଙ୍ଗ ଓ ବାଙ୍କୀ ଅଞ୍ଚଳ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଦୀପକ ସ୍ବାଇଁ, ସହସମ୍ପାଦକ ସୁନିଲ ସ୍ବାଇଁ, ସାଂସ୍କୃତିକ ସମ୍ପାଦକ କିଷନ୍‌ କୁମାର ଜେନା, କୋଷାଧ୍ୟକ୍ଷ ରାଜକିଶୋର ରାଉତ, ଉପସଭାପତି ଭୂପତି ଭୂଷଣ ପାଣି, ସନ୍ତୋଷ ଷଡ଼ଙ୍ଗୀ, ଚନ୍ଦନ ମୁଦୁଲି, ଉପଦେଷ୍ଟା କୃଷ୍ଣଚନ୍ଦ୍ର ମଲ୍ଲିକ, ସଂଗଠକ ବାଙ୍କ ବିହାରୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ସଂଯୋଜକ ବସନ୍ତ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ କମିଟିର ପୂର୍ବତନ ଉପଦେଷ୍ଟା ସ୍ବର୍ଗତ ଶାନ୍ତନୁ ମୂଳିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପାର୍ଥନା କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ପାଇକ ଆଖଡ଼ା, ସମର ନୃତ୍ୟ କଳା ପରିବେଷଣ କରିଥିଲେ। ତେବେ କାର୍ଯ୍ୟକ୍ରମର ପ୍ରଥମ କା‌ର୍ଯ୍ୟସୂଚୀ ଅନୁସାରେ ଭୋର୍‌ ପ୍ରାୟ ସାଢ଼େ ୪ଟାରେ ବ୍ଲକ୍‌ ଛକରେ ପୂର୍ବର ପ୍ରାଚୀ ନଦୀ ତଥା ବର୍ତ୍ତମାନର ପୁରୀ ମୁଖ୍ୟ କେନାଲରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏକ ସୁସଜ୍ଜିତ ବୋଇତକୁ ସାଧବ ବୋହୂ ଓ ଯୁବତୀମାନେ ବନ୍ଦାପନା କରି ଭସାଇଥିଲେ।

ସମ୍ବନ୍ଧିତ ଖବର