‘ବୁଥ ଫେରନ୍ତା ମତ : ଗଣତନ୍ତ୍ର ପାଇଁ ଶୁଭଙ୍କର କି ଚିନ୍ତାର କାରଣ’ ଆଲୋଚନାଚକ୍ର
ଏକ୍ଜିଟ୍ ପୋଲକୁ ବନ୍ଦ ନୁହେଁ, ନିୟନ୍ତ୍ରଣ କରାଯାଉ
ଭୁବନେଶ୍ବର: ୧୯୮୦ ମସିହାରେ ଦେଶରେ ଏକ୍ଜିଟ ପୋଲ ବା ବୁଥ ଫେରନ୍ତା ମତ ପ୍ରସ୍ତୁତ ହୋଇଥିଲା। ଏହାକୁ ନେଇ ପରବର୍ତୀ ସମୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଲାଗି ରହିଥିଲା। ୧୯୮୮ ମସିହାରେ ପ୍ରଥମଥର ଲାଗି ନିର୍ବାଚନ କମିସନ ଏଥିପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଥିଲେ। ପରବର୍ତୀ ସମୟରେ ଏହାକୁ ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା। ତେବେ ବୁଥ ଫେରନ୍ତା ମତକୁ ନିୟନ୍ତ୍ରଣ କରିବାର ଅଧିକାର ନିର୍ବାଚନ କମିସନଙ୍କ ନ ଥିବା ସୁପ୍ରିମକୋର୍ଟ ଜଣାଇଥିଲେ। ପରବର୍ତୀ ସମୟରେ ୨୦୦୪ ମସିହାରେ ନିର୍ବାଚନ କମିସନ ୬ଟି ଜାତୀୟ ଦଳ ଓ ୧୮ଟି ଆଞ୍ଚଳିକ ଦଳକୁ ନେଇ ବୁଥ ଫେରନ୍ତା ମତ ଉପରେ ବିଚାରବିମର୍ଶ କରିଥିଲେ। ଏଥିରେ ଏକ୍ଜିଟ ପୋଲକୁ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏକ୍ଜିଟ ପୋଲ ଆରମ୍ଭ ହେବାଠାରୁ ଏହା ମଧ୍ୟରେ ଅନେକ ପରିବର୍ତନ ହୋଇଛି। ପୂର୍ବରୁ ଦେଶରେ ନିର୍ବାଚନ ସମୟ ସୀମିତ ରହିଥିବା ବେଳେ ଏବେ ବହୁ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଅନେକ ଦେଶରେ ଏକ୍ଜିଟ ପୋଲକୁ ବନ୍ଦ କରି ଦିଆଯାଇଛି। ତଥାପି ଦେଶରେ ଏକ୍ଜିଟ ପୋଲକୁ ନେଇ ଯୁକ୍ତି ରହିଛି। କେବଳ ଏକ୍ଜିଟ ପୋଲ ନୁହେଁ, ପ୍ରି-ପୋଲ ବା ଜନମତ ସର୍ବେଣକ୍ଷ ମଧ୍ୟ ଦେଶରେ କରାଯାଉଛି। ଅନେକ ସମୟରେ ଏକ୍ଜିଟ ପୋଲରେ ପ୍ରସ୍ତୁତ ହେଉଥିବା ତଥ୍ୟ ଠିକ୍ ହେଉନାହିଁ। ଫଳରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକ୍ଜିଟ୍ ପୋଲ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଏଜେନ୍ସି ବା ସଂସ୍ଥା ରହିଛନ୍ତି। ଏହାସହ ନିର୍ବାଚନ ବିଶ୍ଲେଷକ ବା ସେଫୋଲୋଜିଷ୍ଟଙ୍କ ଅଭାବ ଦେଶରେ ରହିଛି। ଅଧିକାଂଶ ବିଶ୍ବବିଦ୍ୟାଳୟରେ ଏ ନେଇ କୌଣସି ସ୍ବତନ୍ତ୍ର ପାଠ୍ୟକ୍ରମ ନାହିଁ। ଏକ୍ଜିଟ ପୋଲରେ କେତେ ଲୋକଙ୍କଠାରୁ ମତ ନିଆଗଲା ବା ସାମ୍ପୁଲ ସାଇଜ୍ ସ୍ପଷ୍ଟ ନ ଥିବା ବେଳେ ଦେଶର ସମସ୍ତ ନିର୍ବାଚନମଣ୍ଡଳୀରେ ଏହାକୁ ସର୍ବେକ୍ଷଣ କରାଯାଉନାହିଁ। ଏ ପରିସ୍ଥିତିରେ ଲୋକଙ୍କର ଜାଣିବାର ଅଧିକାରକୁ ଭୁଲ ଭାବେ ପରିବେଷଣ କରାଯାଉଛି। ଅପରପକ୍ଷରେ ଏକ୍ଜିଟ ପୋଲ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଟିଆରପି ବଢ଼ାଇବାର ଏକ ମୁଖ୍ୟ ମାଧ୍ୟମ ବୋଲି ବିବେଚନା କରାଯାଉଛି। ନିର୍ବାଚନ ଉପରେ ଲୋକଙ୍କ ନଜର ରହିଥିବା ବେଳେ ଗଣମାଧ୍ୟମ ଏକ୍ଜିଟ ପୋଲ ଦ୍ବାରା ଫାଇଦା ହାସଲ କରୁଛନ୍ତି। ଏକ୍ଜିଟ ପୋଲ ଯଦି ଠିକ୍ ହେଲା ନାହିଁ କି କୌଣସି ଗୋଟିଏ ଦଳର ପ୍ରଭାବିତ କରିବା ଭଳି ପ୍ରସ୍ତାବ ଦେଲା, ଏନେଇ କେହି ଉତ୍ତରଦାୟୀ ରହୁନାହାନ୍ତି। ତେଣୁ ଏକ୍ଜିଟ ପୋଲକୁ ସଂପୂର୍ଣ୍ଣ ଭାବେ ବନ୍ଦ ନ କରି ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଦ୍ୟାବାହିନୀ ଟ୍ରଷ୍ଟ ଓ ‘ଆମ’ଗ୍ରୁପ୍ ପକ୍ଷରୁ ପ୍ରେସ୍ କ୍ଲବ୍ ଅଫ ଓଡ଼ିଶାରେ ‘ବୁଥ ଫେରନ୍ତା ମତ : ଗଣତନ୍ତ୍ର ପାଇଁ ଶୁଭଙ୍କର କି ଚିନ୍ତାର କାରଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ କେନ୍ଦ୍ର ନିର୍ବାଚନ କମିସନଙ୍କ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ, ଆଇଏନ୍ସିର ମିଡିଆ କମିଟିର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ସିଙ୍ଗାପୁରସ୍ଥିତ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କର ଉପସଭାପତି କାର୍ତିକ ଗଣେଶନ୍, ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ ଓ ଆଇନଜୀବୀ ଅସୀମ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ଆନନ୍ଦ ସରସ୍ବତୀ ଓ ସଂସ୍ଥାର ଟ୍ରଷ୍ଟି ନଗେନ୍ ବାରିକ କାର୍ଯ୍ୟକ୍ରମ ସଂପର୍କରେ ମତ ରଖିଥିଲେ। ପରେ ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।