ନକଲି ଆଇଟିଡିଏ ଅଫିସର ଗିରଫ, ୧ଲକ୍ଷ ୨୦ ହଜାର ଜବତ

ଭୁବନେଶ୍ବର : ନିଜକୁ ଆଇଟିଡିଏ(ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା) ଅଫିସର୍‌ କହି ଆଦିବାସୀ ମେଳାରୁ ବ୍ୟବସାୟୀଙ୍କଠାରୁ ୧ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଥିବା ଅଭିଯୁକ୍ତ ଗିରଫ ହୋଇଛି। ସେ ହେଲା, ପୁରୁଣା ଭୁବନେଶ୍ବରରେ ରହୁଥିବା ଗଞ୍ଜାମ ଧରାକୋଟର ଲକ୍ଷ୍ମଣ ପଣ୍ଡା। ପୂର୍ବରୁ ଏକ ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ୟ ତା’ ନାମରେ ମାମଲା ରହିଛି। ଏଠାରେ ସେ ସୁରକ୍ଷାକର୍ମୀ ଭାବରେ କାମ କରୁଥିଲା ବୋଲି ପୁଲିସ କହିଛି।

ସୂଚନା ମୁତାବକ, ନିକଟରେ ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଥିବା ଆଦିବାସୀ ମେଳାରେ କୋରାପୁଟ୍‌ର ଶଶୀ ପାଲିଗୁଡ଼ିଆ ଓ ଦମେଇ ନାୟକ ଏକ ଷ୍ଟଲ୍‌ ନେଇଥିଲେ। ସେଠାରେ ସେମାନେ ବିଭିନ୍ନ ବନ୍ୟଜାତ ଦ୍ରବ୍ୟରୁ ଉତ୍ପାଦ ପ୍ରସ୍ତୁତ କରି ବିକିବା ପାଇଁ ରଖିଥିଲେ। ଗତ ଦୁଇ ତାରିଖ ଦିନ ଲକ୍ଷ୍ମଣ ସେଠାରେ ପହଞ୍ଚି ନିଜକୁ ଆଇଟିଡିଏ ଅଫିସର ବୋଲି ପରିଚୟ ଦେଇଥିଲା। ମେଳାରେ ଯାହାର ଉତ୍ପାଦ ଭଲ ସେମାନଙ୍କୁ କୋଟିଏ ଟଙ୍କାର ପୁରସ୍କାର ଦିଆଯିବ। ଏଣୁ ଯେତିକି ବେପାର କରିଛ ତାହା ଦିଅ ବୋଲି କହିଥିଲା। ସେମାନେ ସରଳ ବିଶ୍ବାସୀ ହୋଇଥିବାରୁ ସମସ୍ତ ରୋଜଗାର ଅର୍ଥାତ୍‌ ୧ଲକ୍ଷ ୪୦ ହଜାର ଟଙ୍କା ଦେଇ ଦେଇଥିଲେ। କାଳେ ସେମାନେ ଫୋନ୍‌ କରି କାହାକୁ ଜଣାଇବେ ସେଥିପାଇଁ ସେମାନଙ୍କର ମୋବାଇଲ ଫୋନ୍‌ ମଧ୍ୟ ସେ କୌଶଳରେ ନେଇ ଯାଇଥିଲା।

ଏହାପରେ ଶଶୀ ଓ ଦମେଇ ମେଳା ପରିଚାଳନା କରୁଥିବା ସଦସ୍ୟମାନଙ୍କୁ ଅବଗତ କରାଇବା ପରେ ଠକାମୀର ଶିକାର ହୋଇଥିବା ଜାଣିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଚୋରି ମୋବାଇଲକୁ ଟ୍ରାକ୍‌ କରିବା ପରେ ଏହା ବ୍ରହ୍ମପୁରରେ ଥିବା ଜଣା ପଡ଼ିଥିଲା। ଆଜି ସକାଳେ ଲକ୍ଷ୍ମଣ ଭୁବନେଶ୍ବର ଆସୁଥିବା ଜଣାପଡ଼ିବାରୁ କ୍ୟାପିଟାଲ ଥାନା ଏସ୍‌ଆଇ ଅରୁଣ ଖିଲାର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ତାକୁ ଗିରଫ କରିଥିଲେ। ତା’ ଠାରୁ ମୋବାଇଲ ଜବତ ହେବା ସହ ଲୁଟ୍‌ ଅର୍ଥରୁ ୧ ଲକ୍ଷ ୨୦ ହଜାର ଜବତ କରାଯାଇଥିଲା। ବାକି ୨୦ ହଜାର ସେ ଖର୍ଚ୍ଚ କରି ଦେଇଥିବା କହିଥିଲା।

ସମ୍ବନ୍ଧିତ ଖବର