‘ଭଲ ଲୋକ ଅଛନ୍ତି ବୋଲି ସମାଜ ତିଷ୍ଠିଛି’

‘ପ୍ରଥମ ଦୃଷ୍ଟାନ୍ତ ସମ୍ମାନ-୨୦୧୮’ ପ୍ରଦାନ ଉତ୍ସବ

ଭୁବନେଶ୍ୱର: ବର୍ତ୍ତମାନ ଲୋକମାନଙ୍କ ଭିତରେ ଏକ ଧାରଣା ରହିଛି ଯେ ସମାଜରେ ଆଉ ଭଲ ଲୋକ କେହି ନାହାନ୍ତି। ସମସ୍ତେ ଖରାପ ହୋଇ ଗଲେଣି। କିନ୍ତୁ ଏହା ଏକ ଭୁଲ୍‌ ଧାରଣା। କାରଣ ଖରାପ ଲୋକଙ୍କ ସଂଖ୍ୟା ଯଦି ବଢିଯାଆନ୍ତା, ଏହି ଦୁନିଆ ତିଷ୍ଠନ୍ତା ନାହିଁ। ହେଲେ ଖରାପ ଲୋକ ନିଜକୁ ବଞ୍ଚାଇବା ପାଇଁ କୌଶଳ ଜାଣିଥିବା ବେଳେ ଭଲ ଲୋକ ଏହି କୌଶଳର ବହୁତ ପଛରେ ଅଛନ୍ତି। ସେଥିପାଇଁ ଆମ ଆଖିକୁ ଭଲ ଲୋକ ଦେଖାଯାଆନ୍ତି ନାହିଁ ବୋଲି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଞ୍ଚନ ପଟ୍ଟନାୟକ କହିଛନ୍ତି। ‘ଦୃଷ୍ଟାନ୍ତ’ ଅନୁଷ୍ଠାନ ପକ୍ଷରୁ ଆଜି ଜୟଦେବ ଭବନରେ ଅନୁଷ୍ଠିତ ‘ପ୍ରଥମ ଦୃଷ୍ଟାନ୍ତ ସମ୍ମାନ-୨୦୧୮’ ପ୍ରଦାନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ପରିବେଶକୁ ପ୍ରତିଦିନ ନିଜ ହାତରେ ଆମେ ନଷ୍ଟ କରୁଛେ। ବିକାଶ ନାଁରେ ଆମେ ପରସ୍ପର ଭିତରେ ପ୍ରତିଯୋଗିତାରେ ମାତିଛୁ। କିନ୍ତୁ ଏହି ବିକାଶ ଏକ ଅବାଞ୍ଛିତ ଓ ଅବୈଧ ସନ୍ତାନ। ସେଥିରୁ ଜନ୍ମ ହେଉଥିବା ସନ୍ତାନକୁ ଜାରଜ ସନ୍ତାନ ବୋଲି କୁହାଯାଏ। ଏହା ମଣିଷ ଭିତରେ ଜନ୍ମ ନିଏ। ସେ ଆହୁରି କହିଥିଲେ, ଏବେ ବଦଳିର ଭୟ ସମସ୍ତଙ୍କୁ ପ୍ରାୟ ଘାରିଛି । ସେ ଡାକ୍ତର ହୁଅନ୍ତୁ କି ଶିକ୍ଷକ। ଯଦି ଗେପୀନାଥ ମହାନ୍ତିଙ୍କ ବଦଳି ହୋଇଯିବାର ଭୟ ରହିଥା’ନ୍ତା, ତେବେ ସେ ପରଜା ଉପନ୍ୟାସ ଲେଖି ପାରି ନଥା’ନ୍ତେ। ସେଥିପାଇଁ ମଣିଷ ସବୁ ପରିସ୍ଥିତିର ସାମ୍ନା କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ପରିବେଶବିତ୍‌ ନଦିଆଚାନ୍ଦ କାନୁନ୍‌ଗୋ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ, ବର୍ତ୍ତମାନ ସ୍ୱଚ୍ଛତା ଆଉ ନାହିଁ। ସମୁଦ୍ର, ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେବାକୁ ଲାଗିଲାଣି। ଏହି ପରିବେଶ ପ୍ରଦୂଷଣର ମୁଖ୍ୟ ବାହାକ ସାଜିଛି ପଲିଥିନ୍‌। ଆଉ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଁ ମଣିଷ ଦାୟୀ। ଅନ୍ୟତମ ଅତିଥି ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଭାଷା ସୁରକ୍ଷା ଉପରେ ଆଲୋଚନା କରି କହିଥିଲେ, ଦେଶର ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ଭାଷାର ଅଣଦେଖା କରିବା। ଭାଷା ସବୁର ମୂଳକଥା। ଭାଷା ମାଧ୍ୟମରେ ସମ୍ପର୍କ, ସମାଜ, ପରିବେଶ ସୃଷ୍ଟି। କିନ୍ତୁ ଭାଷାକୁ ସମସ୍ତେ ଅଣଦେଖା କରୁଛନ୍ତି। ଭୁବନେଶ୍ୱର ଏମ୍‌ସ୍‌ର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ଅତିଥି ଭାବେ ଯୋଗଦେଇ ଡାକ୍ତର ମାନଙ୍କ ସମସ୍ୟା ଓ ଲୋକମାନଙ୍କ ପାଇଁ ତାଙ୍କ ନିସ୍ୱାର୍ଥପର ସେବା ଉପରେ ଆଲୋଚନା କରିଥିଲେ। ଆଜିର ସଭାରେ ଡାକ୍ତର ଓମ୍‌କାର ହୋତା ଓ ଡାକ୍ତର ଯଜ୍ଞଦତ୍ତ ରଥଙ୍କୁ ‘ଦୃଷ୍ଟାନ୍ତ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। ଦୃଷ୍ଟାନ୍ତ ଅନୁଷ୍ଠାନର ସଂପାଦକ ଅବିନାଶ ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ସଦସ୍ୟ ତନୁଜା ଦାସ, ସ୍ୱାଗତିକା ରଥ ଓ ଲଳିତ ଉପସ୍ଥିତ ରହିଥିଲେ।

ଅନେକ ସମୟରେ ଖବରକାଗଜରେ ପଢ଼େ ମାଲକାନାଗିରିର ଅପହଞ୍ଚ ଇଲାକାକୁ ଡାକ୍ତରମାନେ ଯିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଗରିବ ଆଦିବାସୀ ଓ ନିରୀହ ଲୋକଙ୍କ ସେବା ଯୋଗାଇବା ଇଚ୍ଛାରେ ମୁଁ ସେହି ଅପହଞ୍ଚ ଇଲାକାରେ ପାଦ ଦେଇଥିଲି। ଏହି ଆଗ୍ରହ କେବଳ ମୋ ମା’ଙ୍କ ପାଇଁ। କାରଣ ସେ ସବୁବେଳେ କୁହନ୍ତି ଯେ ଡାକ୍ତର ସମସ୍ତେ ହେବେ, ହେଲେ ଭଲ ଡାକ୍ତର ବହୁତ କମ୍‌ ଜଣ ହୋଇପାରନ୍ତି। ମୁଁ ମାଲକାନାଗିରି ଯିବା ପାଇଁ ଆମ ପୂର୍ବତନ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲି। କହିଥିଲି, ଏମିତି ସ୍ଥାନକୁ ମୋତେ ପଠାନ୍ତୁ, ଯେଉଁଠି କେହି ଡାକ୍ତର ଯିବାକୁ ରାଜି ହେଉ ନଥିବେ। ଆଉ ସେ ୧୬ ବର୍ଷ ଧରି ଡାକ୍ତର ନ ଥିବା ହସ୍ପିଟାଲରେ ମୋତେ ନିଯୁକ୍ତି ଦେଇଥିଲେ। ଆଜି ଯାଏ ସେଠାରେ ରହି ଲୋକଙ୍କ ସେବା କରୁଛି ଓ ଆନନ୍ଦ ପାଉଛି।
ଡାକ୍ତର ଓମ୍‌କାର ହୋତା

ସମ୍ବନ୍ଧିତ ଖବର