ଅଏଲ୍‌ ଓଡ଼ିଶା କର୍ମଚାରୀଙ୍କ ଆନ୍ଦୋଳନ ଧମକ

ଭୁବନେଶ୍ୱର : ବକେୟା ଦରମା ପ୍ରଦାନ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଅଏଲ୍‌ ଓଡ଼ିଶା କର୍ମଚାରୀ ସଂଘ। ନୂଆପଲ୍ଲୀ ସ୍ଥିତ ଅଏଲ୍‌ ଓଡ଼ିଶା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସମସ୍ୟା ଯୋଗୁଁ ସଂସ୍ଥା ୧୯୯୬ ମସିହାରେ ଦେବାଳିଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ସଂସ୍ଥା କ୍ଷତିରେ ଚାଲିବା ଯୋଗୁଁ କର୍ମଚାରୀ ମାନେ୧୯୯୬-୨୦୦୭ ମସିହା ପର୍ଯ୍ୟନ୍ତ ଦରମା ପାଇ ନଥିଲେ। ଗତ ୨୦୦୭ରେ ୨୮୬ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ତେବେ ଗତ ୨୦୦୮ ଜୁନ୍‌ ୬ ତାରିଖରେ ଓଡ଼ିଶା କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା ଯେ, ସାଧାରଣ ଉଦ୍ୟୋଗ ବିଭାଗ(ପିଇ) ଅଏଲ୍‌ ଓଡ଼ିଶାର ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରିକରିବ। ସେଥିରୁ ଯେଉଁ ଅର୍ଥ ଆସିବ ତାହା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବର୍ତ୍ତମାନ ସାଧାରଣ ଉଦ୍ୟୋଗ ବିଭାଗ ଏହି ଦାୟିତ୍ୱକୁ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଛି। ଆଉ ଶିଳ୍ପ ବିଭାଗ ଇଡ୍‌କୋକୁ ଦାୟିତ୍ୱ ଦେଇଛି। କର୍ମଚାରୀଙ୍କ ବକୟା ଦରମା ୫କୋଟି ୯୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଇଡ୍‌କୋ ଦାୟିତ୍ୱ ନେବା ପରେ ଖୋର୍ଦ୍ଧା ସ୍ଥିତ ଅଏଲ୍‌ ମିଲ୍‌ କମ୍ପ୍ଲେକ୍ସର ଟ୍ୟାଙ୍କଫାର୍ମ ନିଲାମି କରି ୨୪ ଲକ୍ଷ ୯୦ ହଜାର ଟଙ୍କା, ତେଲ କଳର ଯନ୍ତ୍ର ଓ ଯନ୍ତ୍ରାଂଶ ନିଲାମିରୁ ୨କୋଟି ୮୨ଲକ୍ଷ ଟଙ୍କା ଓ ଗୋଦାମ ଭଡ଼ାରୁ ୨କୋଟି ୧୦ଲକ୍ଷ ଟଙ୍କା ଆଦାୟ କରିଛି। ତେବେ ଇତି ମଧ୍ୟରେ ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ କର୍ମଚାରୀଙ୍କ ବକେୟା ଦରମା ଦିଆଯାଉନାହିଁ। ଏନେଇ ସଂଘ କ୍ଷୋଭ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର