ଜର୍ସି ପାଇଁ ତୁମୁଳକାଣ୍ଡ ୧୦ କାଉଣ୍ଟର ଭାଙ୍ଗିଦେଲେ

ସାଇକ୍ଲୋଥନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀରେ ତୈଳ ସଂରକ୍ଷଣ ଗବେଷଣା ସଂସ୍ଥା(ପିସିଆରଏ) ପକ୍ଷରୁ ହେବାକୁ ଥିବା ସାଇକ୍ଲୋଥନ୍‌ର ଦିନକ ପୂର୍ବରୁ ଘଟିଛି ତୁମୁଳକାଣ୍ଡ। ସାଇକ୍ଲୋଥନ୍‌ ପାଇଁ ଅଂଶଗ୍ରହଣକାରୀଙ୍କୁ ପିନ୍ଧିବାକୁ ଦିଆଯାଉଥିବା ମାଗଣା ଜର୍ସି ନ ମିଳିବାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଷ୍ଟାଡିୟମ ପରିସରରେ ଥିବା ୧୦ଟି କାଉଣ୍ଟରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଅପରପକ୍ଷରେ ଆୟୋଜକଙ୍କ ପକ୍ଷରୁ ଜୋରଜବରଦସ୍ତ ଜର୍ସି ଛଡ଼ାଇ ନିଆଯାଇଥିବା ଦର୍ଶାଇ ୫ଜଣ ଛାତ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ରବିବାର ସକାଳେ ହେବାକୁ ଥିବା ଏହି ସାଇକ୍ଲୋଥୋନ୍‌ ପାଇଁ ଆଜି କଳିଙ୍ଗ ବିଭିନ୍ନ ପେଟ୍ରୋଲ ପମ୍ପ୍‌ ଓ ଅନଲାଇନ୍‌ରେ ପଞ୍ଜୀକରଣ ଚାଲିଥିଲ। ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଲୋକଙ୍କୁ କଳିଙ୍ଗ ଷ୍ଟାଡିୟମ ପରିସରରୁ ଆଜି ମାଗଣାରେ ଜର୍ସି ସଂଗ୍ରହ କରିବାକୁ କୁହାଯାଇଥିଲା। ତେବେ ଦିନ ୧୧ଟା ସମୟରେ କାଉଣ୍ଟର ଖୋଲିବ ବୋଲି କୁହା ଯାଇଥିଲେ ହେଁ ଅପରାହ୍‌ଣ ୨ଟାରେ କାଉଣ୍ଟର ଖୋଲିଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ପ୍ରତିଯୋଗୀମାନଙ୍କ ଭିଡ଼କୁ ଆୟୋଜକମାନେ ନିୟନ୍ତ୍ରଣ କରି ପାରି ନ ଥିଲେ। ଏପଟେ ବଣ୍ଟା ହେବାର କିଛି ସମୟ ପରେ ଜର୍ସି ମଧ୍ୟ ଶେଷ ହୋଇଯାଇଥିଲା। ଏହି ଖବର ଶୁଣି ଧାଡ଼ିରେ ଅପେକ୍ଷା କରିଥିବା ଶହଶହ ପ୍ରତିଯୋଗୀ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଆଉ ସେଠାରେ ଥିବା ୧୦ଟି କାଉଣ୍ଟର ସମେତ ବ୍ୟାରିକେଡ୍‌ ଓ ଚେୟାରଗୁଡ଼ିକୁ ବାଡ଼େଇ ଭାଙ୍ଗି ପକାଇଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକମାନେ ଷ୍ଟାଡିୟମ ପରିସରରେ ଏମିତି ଲଙ୍କାକାଣ୍ଡ ଘଟାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ପ୍ରଥମେ ପିସିଆର ଭ୍ୟାନକୁ ଖବର ଦେଇଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହେବାରୁ ନୂଆପଲ୍ଲୀ ଥାନାର ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟାଡିୟମରୁ ବାହାରି ଯାଇଥିଲେ। ଅପରପକ୍ଷରେ ବଡ଼ଗଡ଼ ବ୍ରିଟ କଲୋନିରୁ ସାଇକ୍ଲୋଥନରେ ଭାଗ ନେବାକୁ ଆସିଥିବା ପାଞ୍ଚ ଜଣ ଛାତ୍ର ଆୟୋଜନକାରୀଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଦିନ ୧୧ଟାରୁ ସେମାନେ ଷ୍ଟାଡୟମରେ ପହଞ୍ଚିବା ସହିତ ଧାଡ଼ିରେ ଜର୍ସି ପାଇଁ ଅପେକ୍ଷା କରିଥିଲେ। ଅପରାହ୍‌ଣ ୨ଟାରେ ଗେଟ୍‌ ଖୋଲିବା ପରେ ସେମାନେ ଟିକେଟ୍‌ ଦେଖାଇ ଜର୍ସି ଆଣିଥିଲେ। ଏହାପରେ ସେମାନେ ଚାଲିଚାଲି ଗେଟ ପାଖକୁ ଆସୁଥବା ସମୟରେ ହଠାତ୍‌ ଗେଟ୍‌ ପାଖରେ ଥିବା କିଛି ଆୟୋଜକ ସେମାନଙ୍କୁ ଅଟକାଇବା ସହିତ ଜର୍ସି ଫେରସ୍ତ ମାଗିଥିଲେ। ସେମାନେ ଏହାକୁ ବିରୋଧ କରିବାରୁ ଆୟୋଜକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ ଏବଂ ଜୋରଜବରଦସ୍ତ ଜର୍ସି ଛଡ଼ାଇ ନେଇଥିଲେ। ତେବେ ଏ ନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ ବୋଲି ନୂଆପଲ୍ଲୀ ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର